ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ: ମୋହନାରୁ ଯାଉଥିଲା ବ୍ରହ୍ମପୁର…
ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁ ଛକ ନିକଟରୁ ଗୁରୁବାର ଅବକାରୀ କର୍ମଚାରୀ ୨ଜଣ ଯୁବକଙ୍କ ନିକଟରୁ ୯ କେଜି ୪ ୧୦୦ ଗ୍ରାମ ଗଞ୍ଜେଇ ଜବତ କରିଛନ୍ତି।
ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଗଜପତି ଜିଲା ମୋହନା ଥାନା ଚଣ୍ଡିପଦା ଗ୍ରାମର ସୀମାଦ୍ରି ବୀର (୪୯) ଏବଂ ଅଡବା ଥାନା କପିଳ ବିରୋ(୩୪)। ଗଜପତି ଜିଲା ମୋହନାରୁ ଉଭୟେ ଏକ କଳା ରଙ୍ଗର ବାଇକ୍(ନଂ. ଓଡ଼ି୦୭-୫୦୮୩) ଯୋଗେ ଗଞ୍ଜେଇ ନେଇ ବ୍ରହ୍ମପୁର ଯାଉଥିବା ବେଳେ ଗୋକର୍ଣ୍ଣପୁର ଗ୍ରାମରେ ପାଟ୍ରୋଲିଂ କରୁଥିବା ଦିଗପହଣ୍ଡି ଅବକାରୀ ଥାନା ଓଆଇସି ସସ୍ମିତା ମଲ୍ଲିକ, ଏଏସଆଇ ଏନ୍. ତ୍ରିପତି, କନେଷ୍ଟବଳ ଆଲଫଲତା ସାହୁ, ବଳରାମ ପାତ୍ର , ରାଜେଶ ଜେନା, ସେକ. ରାଜେଶ ଉଦ୍ଦିନ ପ୍ରମୁଖ ବାଇକକୁ ଅଟକାଇ ଯାଞ୍ଚ କରିଥିଲେ।
ଯାଞ୍ଚ ବେଳେ କର୍ମଚାରୀମାନେ ସେମାନଙ୍କ ନିକଟରୁ ୯ କେଜି ୪ ଶହ ଗ୍ରାମ ଗଞ୍ଜେଇ ଜବତ କରିଥିଲେ। ଫଳରେ ଅଭିଯୁକ୍ତ ଦ୍ବୟଙ୍କୁ ଘଟଣାସ୍ଥଳରେ ଓଆଇସି ଗିରଫ କରିଥିଲେ। ବାଇକ୍ ଓ ଗଞ୍ଜେଇ ବସ୍ତା ସହ ଉଭୟଙ୍କୁ ଦିଗପହଣ୍ଡି ଅବକାରୀ ଥାନାକୁ ଅଣାଯାଇଥିଲା। ଉଭୟେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସ୍ବୀକାର କରିଥିଲେ।
ଏନେଇ ଅବକାରୀ ବିଭାଗ ଏକ(ମାମଲା ନଂ.୧୨୨/୨୬-୨୭) ରୁଜୁ କରି ଗିରଫ ଅଭିଯୁକ୍ତ ଦ୍ୱୟଙ୍କୁ ବ୍ରହ୍ମପୁର ଜିଲା ଜଜ୍ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ଦ୍ବୟଙ୍କ ନିକଟରୁ ବାଇକ୍, ଗଞ୍ଜେଇ ଏବଂ ମୋବାଇଲ ଫୋନ ଜବତ କରାଯାଇଥିବା ଅବକାରୀ ଓଆଇସି ପ୍ରକାଶ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।