ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

Sep 14, 2026 - 20:16
ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ ଆନନ୍ଦଉଲ୍ଲାସର ସହ ବିଘ୍ନବିନାଶକଙ୍କ ପୂଜାତ୍ସବ ପାଳିତ ହେଉଛି। ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ବିଭିନ୍ନ ସାହି, ଛକ ଏବଂ ଘରେ ଘରେ ନିଷ୍ଠାର ସହ ଗଣପତିଙ୍କ ପୂଜାର୍ଚ୍ଚନା କରାଯାଉଛି।

ଗାଁଠାରୁ ସହର ପର୍ଯ୍ୟନ୍ତ ଲୋକେ ଏକାଠି ହୋଇ ଉତ୍ସାହ ଓ ଉଲ୍ଲାସର ସହ ଏହି ପବିତ୍ର ପର୍ବ ପାଳନ କରୁଛନ୍ତି। ଛତ୍ରପୁର ସହର ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ପୂଜାମଣ୍ଡପରେ ଆକର୍ଷଣୀୟ ତୋରଣ, ରଙ୍ଗବେରଙ୍ଗ ଆଲୋକମାଳା ଓ ସୁସଜ୍ଜିତ ମଣ୍ଡପ ଭକ୍ତଙ୍କୁ ଆକର୍ଷିତ କରୁଛି। ବୈଦିକ ମନ୍ତ୍ରୋଚ୍ଚାରଣରେ ପରିବେଶ ଭକ୍ତିମୟ ହୋଇଉଠିଛି।

ଛତ୍ରପୁର ପ୍ରେସ୍‌ କ୍ଲବ୍‌ ପରିସରରେ ଆୟୋଜିତ ଗଣେଶ ପୂଜାରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଓ ରାଧେଶ୍ୟାମ ଫାଉଣ୍ଡେସନର ସଭାପତି ଦେବାଶିଷ ମିଶ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ କ୍ଲବ୍‌ର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ସମସ୍ତେ ପ୍ରଭୁ ଶ୍ରୀଗଣେଶଙ୍କ ଆଶୀର୍ବାଦ ଲାଭ କରିଥିଲେ।

ସେହିପରି ବ୍ୟାରେକ ସାହିସ୍ଥିତ ଶ୍ରୀ ସମ୍ପଦ ବିନାୟକ ମନ୍ଦିର, ଗୋପବନ୍ଧୁନଗର, ଗିଲଟିପେଟା ସାହି, ୟୁରୋ ସ୍କୁଲ, ଷ୍ଟେସନ ରୋଡ଼ ଓ ବିଭିନ୍ନ ଛକ ସମେତ ସହରର ଅନେକ ସାହିରେ ବହୁ ଆଡ଼ମ୍ବରରେ ଶ୍ରୀଗଣେଶଙ୍କ ପୂଜା ଆୟୋଜିତ ହୋଇଛି। ପୂଜାମଣ୍ଡପଗୁଡ଼ିକରେ ଭକ୍ତଙ୍କ ଭିଡ଼ ଲାଗିରହିଥିବା ବେଳେ ସମଗ୍ର ଛତ୍ରପୁର ସହର ଗଣେଶମୟ ହୋଇପଡ଼ିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।