ଗଭୀର ଅବପାତରେ ପରିଣତ ହେଲା ଅବପାତ: ଆଜି ଝଡ଼ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ

Sep 29, 2026 - 09:28
ଗଭୀର ଅବପାତରେ ପରିଣତ ହେଲା ଅବପାତ: ଆଜି ଝଡ଼ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୯।୯ (ବନ୍ଦନା ସେଠୀ):ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମ୍ୟାନ୍‌ମାର ଉପକୂଳ ଉପରେ ଥିବା ଅବପାତ ସୋମବାର ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି ଜାରି ରଖି ସୋମବାର ରାତିରେ ମ୍ୟାନ୍‌ମାରର ୟାଙ୍ଗୁନ୍‌ ଓ କ୍ୟାଇକ୍ଟୋ ମଧ୍ୟରେ ଉପକୂଳ ଅତିକ୍ରମ କରିଛି। ଏହା ପରେ ଆଗାମୀ ୨ ଦିନ ମଧ୍ୟରେ ଏହା ମ୍ୟାନ୍‌ମାର ଉପକୂଳ ଅଞ୍ଚଳ ଦେଇ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଆଗକୁ ବଢ଼ି ପୂର୍ବ-ମଧ୍ୟ ଓ ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ-ପୂର୍ବ ବାଂଲାଦେଶ ଅଞ୍ଚଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ କି ନାହିଁ ସେ ନେଇ ସ୍ପଷ୍ଟ କରାଯାଇନାହିଁ। ସେହିପରି ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-ମଧ୍ୟ ବଙ୍ଗୋପସାଗର ଉପରେ ସମୁଦ୍ର ପତ୍ତନଠାରୁ ୩.୧ରୁ ୪.୫ କି.ମି. ଉଚ୍ଚତା ମଧ୍ୟରେ ଥିବା ଉପରି ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟର ଗୋଟିଏ ଦୁଇଟି ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଅନ୍ୟପକ୍ଷରେ ବର୍ଷାର ପରିମାଣ କମିବା ପରେ ବିଭିନ୍ନ ସ୍ଥାନରେ ପାରଦ ପୁଣି ଉପରମୁହଁା ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ସୋମବାର ୧୧ଟି ସ୍ଥାନର ତାପମାତ୍ରା ୩୪ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଥିଲା। ସର୍ବାଧିକ ତାପମାତ୍ରା ୩୫.୨ ଡିଗ୍ରୀ ପାରଳାଖେମୁଣ୍ଡିରେ ରେକର୍ଡ ହୋଇଥିଲା। ସେହିପରି ବାଲେଶ୍ୱର ଓ ଝାରସୁଗୁଡ଼ାରେ ୩୪.୬, ନୟାଗଡ଼ରେ ୩୪.୫, ଚାନ୍ଦବାଲିରେ ୩୪.୪, କଟକ ଓ ପୁରୀରେ ୩୪.୨, ଭୁବନେଶ୍ୱର, ଅନୁଗୋଳ, ଛତ୍ରପୁର ଏବଂ ଢେଙ୍କାନାଳରେ ୩୪ ଡିଗ୍ରୀ ତାପମାତ୍ରା ରହିଥିଲା। ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୨୮.୫ ଡିଗ୍ରୀ ରହିଥିଲା।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।