ଗୃହ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି; ଜନ୍ତରମନ୍ତରରେ ହେବନି ବିକ୍ଷୋଭ ପ୍ରଦର୍ଶନ, ଏହି ୩ ନୂଆ ସ୍ଥାନ….

Oct 12, 2026 - 14:09
ଗୃହ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି; ଜନ୍ତରମନ୍ତରରେ ହେବନି ବିକ୍ଷୋଭ ପ୍ରଦର୍ଶନ, ଏହି ୩ ନୂଆ ସ୍ଥାନ….

ନୂଆଦିଲ୍ଲୀ,୧୨।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରହିଥିବା ବେଳେ ଦିଲ୍ଲୀରେ ଧାରଣା ଓ ବିରୋଧ ପ୍ରଦର୍ଶନ ପାଇଁ ନିର୍ଦ୍ଧାରିତ ସ୍ଥାନକୁ ନେଇ ବଡ଼ ପରିବର୍ତ୍ତନ କରାଯାଇଛି । ଦିଲ୍ଲୀ ପୋଲିସ ପକ୍ଷରୁ ଜାରି ଷ୍ଟାଣ୍ଡିଂ ଅର୍ଡର ଅନୁସାରେ, ଦୀର୍ଘଦିନ ଧରି ପ୍ରତିବାଦର ପ୍ରମୁଖ କେନ୍ଦ୍ର ରହିଆସିଥିବା ଜନ୍ତରମନ୍ତରକୁ ନିର୍ଦ୍ଧାରିତ ପ୍ରଦର୍ଶନ ସ୍ଥଳର ତାଲିକାରୁ ହଟାଇ ଦିଆଯାଇଛି। ଏହା ବଦଳରେ ଦିଲ୍ଲୀରେ ତିନୋଟି ନୂଆ ସ୍ଥାନ ଚିହ୍ନଟ କରାଯାଇଛି। ନୂଆ ସ୍ଥାନଗୁଡ଼ିକ ହେଉଛି ରାମଲୀଳା ମୈଦାନ, ବୁରାରି ଗ୍ରାଉଣ୍ଡ ଏବଂ ପୂର୍ବ ଦିଲ୍ଲୀର CBD ଗ୍ରାଉଣ୍ଡ।

ଦିଲ୍ଲୀ ପୋଲିସ କମିଶନର ଅନୁରାଗ କୁମାରଙ୍କ ପକ୍ଷରୁ ଜାରି ଆଦେଶ ଅନୁଯାୟୀ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରତିବାଦ ଓ ଧାରଣା ପାଇଁ ବିକଳ୍ପ ସ୍ଥାନ ଚିହ୍ନଟ କରିବା ଲାଗି ଏକ କମିଟି ଗଠନ କରିଥିଲା। ନାଗରିକମାନେ ନିଜର ମତ ପ୍ରକାଶ କରିବା ଓ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବା ପାଇଁ ଅନ୍ୟ ସ୍ଥାନର ବ୍ୟବସ୍ଥା କରିବା ଏହି କମିଟିର ଦାୟିତ୍ୱ ଥିଲା।

କମିଟିର ସୁପାରିସ ଆଧାରରେ ଜନ୍ତରମନ୍ତରକୁ ନିର୍ଦ୍ଧାରିତ ପ୍ରଦର୍ଶନ ସ୍ଥଳର ତାଲିକାରୁ ହଟାଇ ତିନୋଟି ବିକଳ୍ପ ସ୍ଥାନକୁ ସାମିଲ କରାଯାଇଛି । ପ୍ରଦର୍ଶନ ପାଇଁ ଅନୁମତି, ନିୟମ ଓ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କିତ ବିସ୍ତୃତ ତଥ୍ୟ ପରବର୍ତ୍ତୀ SOP ବା ମାନକ କାର୍ଯ୍ୟପଦ୍ଧତିରେ ସ୍ପଷ୍ଟ ହେବ।

ଦିଲ୍ଲୀର ଜନ୍ତରମନ୍ତର ପ୍ରାୟ ୧୯୯୩ ମସିହାରୁ ଧାରଣା ଓ ପ୍ରତିବାଦର ଏକ ପ୍ରମୁଖ ସ୍ଥାନ ଭାବେ ପରିଚିତ । ୧୯୮୮ ମସିହାରେ କୃଷକ ନେତା ମହେନ୍ଦ୍ର ସିଂ ଟିକାୟତଙ୍କ ନେତୃତ୍ୱରେ ବୋଟ୍ କ୍ଲବ୍ ଅଞ୍ଚଳରେ ବଡ଼ କୃଷକ ଆନ୍ଦୋଳନ ହୋଇଥିଲା। ଏହା ପରେ ସେଠାରେ ପ୍ରତିବାଦ ଉପରେ କଟକଣା କଡ଼ାକଡ଼ି କରାଯାଇଥିଲା। ପରବର୍ତ୍ତୀ ସମୟରେ ଜନ୍ତରମନ୍ତର ରୋଡ୍ ଧାରଣା ଓ ପ୍ରତିବାଦର ଏକ ପ୍ରମୁଖ କେନ୍ଦ୍ର ପାଲଟିଥିଲା। ୨୦୧୧ ମସିହାରେ ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନ ଜନ୍ତରମନ୍ତରକୁ ଦେଶବ୍ୟାପୀ ପରିଚିତି ଦେଇଥିଲା। ସେବେଠାରୁ ଏହି ସ୍ଥାନକୁ ଦେଶର ବିଭିନ୍ନ ଆନ୍ଦୋଳନ ଓ ଜନସ୍ୱାର୍ଥ ସମ୍ପର୍କିତ ପ୍ରତିବାଦର ପ୍ରତୀକ ଭାବେ ଦେଖାଯାଉଥିଲା।

ବର୍ତ୍ତମାନ ଜନ୍ତରମନ୍ତରକୁ ନିର୍ଦ୍ଧାରିତ ପ୍ରଦର୍ଶନ ସ୍ଥଳର ତାଲିକାରୁ ହଟାଇବା ପରେ ଦିଲ୍ଲୀରେ ଆନ୍ଦୋଳନ ଓ ପ୍ରତିବାଦର ରୂପରେଖ କିପରି ବଦଳିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।