ଗୋଦାମରେ ନୁହେଁ, ପ୍ରତି ଗାଁରେ ମହଜୁଦ ରହିବ ଖାଦ୍ୟ

Nov 02, 2026 - 19:45
ଗୋଦାମରେ ନୁହେଁ, ପ୍ରତି ଗାଁରେ ମହଜୁଦ ରହିବ ଖାଦ୍ୟ

ଛତ୍ରପୁର,୨ା୧୧(ଦିଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ଓ ବନ୍ୟାର ମୁକାବିଲା ପାଇଁ ଗଞ୍ଜାମ ଜିଲାର ସମସ୍ତ ଅଞ୍ଚଳରେ ଆଗୁଆ ପ୍ରସ୍ତୁତି ରଖିବାକୁ ଜିଲାପାଳ ଭି. କୀର୍ତ୍ତି ଭାସନ ନିର୍ଦ୍ଦେଶ ଦେଇଛନ୍ତି। ଗୋଦାମରେ ନୁହେଁ, ପ୍ରତି ଗାଁରେ ଖାଦ୍ୟ, ପାନୀୟ ଜୂଠାରୁ ଆରମ୍ଭ କରି ସମସ୍ତ ସାମଗ୍ରୀ ମହଜୁଦ ରଖିବାକୁ ରବିବାର ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ସେ ବିଭିନ୍ନ ବିଭାଗର ପ୍ରସ୍ତୁତି ଓ ବନ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା ଅବସରରେ ଏହା କହିଛନ୍ତି।

ଜିଲାପାଳ ଆସିକା, ଶେରଗଡ଼, ଧରାକୋଟ ଓ ଚିକିଟି ସମେତ ବିଭିନ୍ନ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରି ସେ ଆବଶ୍ୟକ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ କହିଥିଲେ। କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଠିକ ତଥ୍ୟ ଯାଞ୍ଚ କରି ପ୍ରଦାନ କରିବେ। ଭୁଲ ତଥ୍ୟ ପ୍ରଦାନ କିମ୍ବା କାର୍ଯ୍ୟରେ ଅବହେଳା ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ସ୍ପଷ୍ଟ କରି ଦେଇଥିଲେ। ବିପଦସଙ୍କୁଳ ଓ କ୍ଷତିଗ୍ରସ୍ତ ରାସ୍ତାରେ ବ୍ୟାରିକେଡ ଲଗାଇ ଯାତାୟାତ ନିୟନ୍ତ୍ରଣ, ସମସ୍ତ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ଏବଂ ଜଳ ବିଶୋଧନ ଓ କ୍ଲୋରିନେସନ କାର୍ଯ୍ୟକୁ ବ୍ୟାପକ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଆରଡି, ଆର୍‌ଆଣ୍ଡବି ଓ ପଞ୍ଚାୟତିରାଜ ବିଭାଗ ଅଧୀନରେ ଥିବା କ୍ଷତିଗ୍ରସ୍ତ ରାସ୍ତାଗୁଡ଼ିକର ମରାମତି ୪୮ ଘଣ୍ଟା ମଧ୍ୟରେ ଶେଷ କରିବାକୁ ବୈଠକରେ କୁହାଯାଇଥିଲା। ଧରାକୋଟ ଓ ଆସିକାର କିଛି ଅଞ୍ଚଳକୁ ବାଦ ଦେଲେ ଜିଲାର ଅଧିକାଂଶ ସ୍ଥାନରେ ବିଦ୍ୟୁତ୍‌ ସେବା ପୁନଃସ୍ଥାପିତ ହୋଇଥିବା ଟାଟା ପାୱାର ପକ୍ଷରୁ ଅବଗତ କରାଯାଇଥିଲା। ଏଥିସହ ପ୍ରତ୍ୟେକ କଚ୍ଚା ଓ ଚାଳଛପର ଘରେ ରହୁଥିବା ପରିବାରକୁ ତୁରନ୍ତ ପାଲ ବଣ୍ଟନ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ।

ବୈଠକରେ ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ନାୟକ, ଦେବଦତ୍ତ ପଣ୍ଡା, ସୁନୀଲ କେର୍କେଟା, ବ୍ରହ୍ମପୁର ମହାନଗର ନିଗମ କମିଶନର ଆକବରମ ଶଶ୍ୟା ରେଡ୍ଡୀ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର ଜେନା, ବିଭିନ୍ନ ଜିଲାରୁ ଆସିଥିବା ବରିଷ୍ଠ ଅଧିକାରୀ, ଉପଜିଲାପାଳ, ବିଡିଓ, ତହସିଲଦାର ଓ ଜିଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।