ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…
ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷା ଅନ୍ନପୂର୍ଣ୍ଣା ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା।
ସଭାରେ ପ୍ରାକ୍ତନ ଅଧ୍ୟକ୍ଷ ଯତୀନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବିଦାୟୀ କର୍ମଚାରୀ ଭଗବାନ ମହାନ୍ତଙ୍କୁ ଅଧ୍ୟକ୍ଷା ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଉପସ୍ଥିତ କର୍ମଚାରୀମାନେ ମହାନ୍ତଙ୍କ ସହ ବିତାଇଥିବା ସ୍ମୃତି ଓ ଅନୁଭୂତି ବଖାଣିଥିଲେ। ସ୍କୁଲ ଟାଇମ୍ ୧୦ ହେଲେ ତାଙ୍କୁ ସମସ୍ତେ ମନେ ପକାଇବେ। ହେଲେ ସେ ଆଉ ତାଙ୍କ କର୍ମକ୍ଷେତ୍ରକୁ ଆସିବେ ନାହିଁ କହି ଲୁହ ଛଳଛଳ ଆଖିରେ ବିଦାୟ ଦେଇଥିଲେ। ସ୍ନାତକୋତ୍ତର ଶିକ୍ଷୟିତ୍ରୀ ମନି ରାଉତ ସଭା ପରିଚାଳନା କରିଥିବାବେଳେ ସ୍ନାତକୋତ୍ତର ଶିକ୍ଷୟିତ୍ରୀ ତପସ୍ବିନୀ ମୁଣ୍ଡା ମାନପତ୍ର ପାଠ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।