ଚାଞ୍ଚଲ୍ୟକର ତଥ୍ୟ, ଗ୍ଲୋବାଲ ୱାର୍ମିଂ ଯୋଗୁ ଅଟକିଗଲା ନୂଆ ‘ବରଫ ଯୁଗ’

Oct 27, 2026 - 07:57
ଚାଞ୍ଚଲ୍ୟକର ତଥ୍ୟ, ଗ୍ଲୋବାଲ ୱାର୍ମିଂ ଯୋଗୁ ଅଟକିଗଲା ନୂଆ ‘ବରଫ ଯୁଗ’

ନୂଆଦିଲ୍ଲୀ,୨୭ା୧୦: ପ୍ରତିଷ୍ଠିତ ପତ୍ରିକା ‘ସାଇନ୍ସ’ରେ ପ୍ରକାଶିତ ଏକ ଚାଞ୍ଚଲ୍ୟକର ଗବେଷଣା ତଥ୍ୟ ଅନୁସାରେ, ପୃଥିବୀ ଆଜକୁ ପ୍ରାୟ ୨,୦୦୦ ବର୍ଷ ପୂର୍ବରୁ ଏକ ନୂତନ ‘ବରଫ ଯୁଗ’ର ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରବେଶ କରିସାରିଥିଲା। ପ୍ରକୃତିର ନିୟମ ଅନୁସାରେ ଆର୍କଟିକ୍‌ (ଉତ୍ତର ମେରୁ) ଅଞ୍ଚଳରେ ଶତାବ୍ଦୀ ଶତାବ୍ଦୀ ଧରି ବରଫର ସାମ୍ରାଜ୍ୟ ମାଡ଼ି ଚାଲିଥିଲା। କିନ୍ତୁ ମନୁଷ୍ୟକୃତ ‘ଗ୍ଲୋବାଲ ୱାର୍ମିଂ’ ବା ବିଶ୍ୱତାପନ ଏହି ପ୍ରାକୃତିକ ପ୍ରକ୍ରିୟାକୁ ହଠାତ୍‌ ଅଟକାଇ ଦେଇଛି ଏବଂ ଏକ ବଡ଼ ବରଫ ଯୁଗକୁ ସମ୍ପୂର୍ଣ୍ଣ ରୂପେ ବିଫଳ କରିଦେଇଛି।
କଲରାଡୋ ବିଶ୍ୱବିଦ୍ୟାଳୟ ଏବଂ କଲମ୍ବିଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ କାନାଡାର ବାଫିନ ଦ୍ୱୀପରେ ଥିବା ପ୍ରାଚୀନ ‘ବାର୍ନସ ଆଇସ୍‌ କ୍ୟାପ୍‌’ ରୁ ପ୍ରଥମ ଥର ପାଇଁ ଏହାର ଭୌତିକ ପ୍ରମାଣ ପାଇଛନ୍ତି। ମିଲାଙ୍କୋଭିଚ୍‌ ସାଇକେଲ ବା ପୃଥିବୀର କକ୍ଷପଥରେ ପରିବର୍ତ୍ତନ ଯୋଗୁ ଆର୍କଟିକ୍‌ ଅଞ୍ଚଳରେ ଗ୍ରୀଷ୍ମଋତୁରେ ସୂର୍ଯ୍ୟକିରଣ କମିଯାଇଥିଲା। ଫଳରେ ବରଫ ତରଳିବା ବନ୍ଦହୋଇ ଏହା ଲଗାତର ବଢ଼ିବାରେ ଲାଗିଥିଲା ଏବଂ ପ୍ରାୟ ୧୯୬୦ ମସିହା ସୁଦ୍ଧା ଏହା ଚରମସୀମାରେ ପହଞ୍ଚିଥିଲା।
ତେବେ ୧୯୬୦ ଦଶକ ପରଠାରୁ ଶିଳ୍ପାୟନ ଯୋଗୁ ନିର୍ଗତ ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌ ପରିବେଶକୁ ଏତେ ମାତ୍ରାରେ ଉଷ୍ମ କରିଦେଲା ଯେ, ପ୍ରକୃତିର ଏହି ଶୀତଳ ଚକ୍ର ସମ୍ପୂର୍ଣ୍ଣ ଓଲଟିଗଲା। ୧୯୮୦ ଦଶକରୁ ଏହି ପ୍ରାଚୀନ ବରଫ ଚାଦର ପ୍ରତିବର୍ଷ ପ୍ରାୟ ୪ ମିଟର ବେଗରେ ତରଳିବାକୁ ଲାଗିଛି। ବୈଜ୍ଞାନିକମାନଙ୍କ ମତରେ, ମଣିଷ ଦ୍ୱାରା ହେଉଥିବା ପ୍ରଦୂଷଣ ପୃଥିବୀର ଏକ ପ୍ରାକୃତିକ ମହାବିପଦକୁ ଟାଳିଦେଇଛି ସତ, କିନ୍ତୁ ଏହା ବଦଳରେ ପୃଥିବୀର ଜଳବାୟୁରେ ଏକ ଅସ୍ବାଭାବିକ ଉତ୍ତାପ ସୃଷ୍ଟିକରିଛି, ଯାହା ଭବିଷ୍ୟତ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।