ଛତିଶଗଡ଼ ଆଡ଼େ ମୁହାଁଇଲା ‘ଅର୍ଣ୍ଣବ’, ଓଡ଼ିଶାରେ କମ୍ କ୍ଷତି, ଅଧିକ ବର୍ଷା
ଭୁବନେଶ୍ୱର, ୨୯।୧୦(ବନ୍ଦନା ସେଠୀ): ଦୀର୍ଘ ୬ଘଣ୍ଟା ୩୦ ମିନିଟର (ମଙ୍ଗଳବାର ରାତି ୨ଟାରୁ ବୁଧବାର ସକାଳ ୮ ଟା ୩୦) ସଂଘର୍ଷ ପରେ ବାତ୍ୟା ‘ଅର୍ଣ୍ଣବ’ ଆନ୍ଧ୍ର ପ୍ରଦେଶର ୟାନମ୍ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି। ଉପକୂଳ ଅତିକ୍ରମ ସମୟରେ ଏହା ଦୁର୍ବଳ ହୋଇ ଅତି ଭୀଷଣ ବାତ୍ୟାରୁ ଭୀଷଣ ବାତ୍ୟାରେ ପରିଣତ ହୋଇଥିଲା। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୨୫ ରୁ ୧୩୫ କିଲୋମିଟର ରହିଥିଲା। ଏଥିସହ ଝଟକା ସହ ଘଣ୍ଟା ପ୍ରତି ୧୫୦ କିଲୋମିଟର ରହିଥିଲା। ବୁଧବାର ଅପରାହ୍ନ ପରଠାରୁ ଏହା ଧୀରେଧୀରେ ଉତ୍ତର ଆଡକୁ ଆନ୍ଧ୍ରପ୍ରଦେଶ ଦେଇ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲା ଯଥା ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଏବଂ ଛତିଶଗଡ଼ ଆଡ଼କୁ ମୁହଁାଇଛି। ତେବେ ବୁଧବାର ରାତି ସୁଦ୍ଧା ଅର୍ଣ୍ଣବ ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ ଏବଂ ପବନର ବେଗ ମଧ୍ୟ ପୂର୍ବାପେକ୍ଷା କମିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଗୁରୁବାର ସକାଳେ ଏହା ଆହୁରି ଦୁର୍ବଳ ହୋଇ ଛତିଶଗଡ଼ ଉପରେ ଅବପାତ ବା ଡିପ୍ରେଶନ ଭାବେ କେନ୍ଦ୍ରୀଭୂତ ହେବ। ସେତେବେଳେ ପବନର ବେଗ ସର୍ବାଧିକ ୬୦ କିଲୋମିଟର ପ୍ରତି ଘଣ୍ଟା ରହିବ। ଗୁରୁବାର ପବନର ବେଗ କମିବ ଏବଂ କେବଳ ଉତ୍ତର ଓଡ଼ିଶାର ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର, ମୟୂରଭଞ୍ଜ, ଦେବଗଡ଼ ଆଦି ଜିଲାଗୁଡ଼ିକରେ ବର୍ଷା ହେବା ସହିତ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆଇଏମ୍ଡି ଡିଜି କହିଛନ୍ତି।
ବାତ୍ୟା ଅର୍ଣ୍ଣବର ପ୍ରକୋପରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ଜନଜୀବନ ପ୍ରଭାବିତ ହୋଇଛି। ଲ୍ୟାଣ୍ଡଫଲ୍ ପରେ ଦକ୍ଷିଣ ଓଡି଼ଶାରେ ବର୍ଷା ସାଙ୍ଗକୁ ପବନ ମଧ୍ୟ ବଢିବାରେ ଲାଗିଥିଲା। ଲଗାଣ ବର୍ଷାରେ ଅନେକ ସ୍ଥାନରେ ଗଛ ଭାଙ୍ଗିବା ସହିତ କାନ୍ଥ ଭୁଶୁଡ଼ିବା, ବିଦ୍ୟୁତ୍ ଖୁଣ୍ଟ ପଡିବା ଭଳି ସ୍ଥିତି ଦେଖିବାକୁ ମିଳିଥିଲା। ସେହିପରି ଯାତାୟାତ ବାଧାପ୍ରାପ୍ତ ହେବା ସହିତ ସତର୍କତାମୂଳକ ପଦକ୍ଷେପ ଭାବେ ୫୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ କରାଯାଇଥିବାବେଳେ ଅନେକ ବିମାନ ଉଡ଼ାଣ ମଧ୍ୟ ବନ୍ଦ ରହିଛି। ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳରେ ଥିବା ବିମାନବନ୍ଦରଗୁଡ଼ିକରୁ କିଛି ବିମାନ ଉଡ଼ାଣ ବାତିଲ କରାଯାଇଛି। ସେହିପରି ଭୁବନେଶ୍ୱରରୁ ଜୟପୁରକୁ ଯାଉଥିବା ୨ଟି ଫ୍ଲାଇଟ୍ ଏବଂ ଭୁବନେଶ୍ୱରରୁ ଉତ୍କେଲା ଫ୍ଲାଇଟ୍କୁ ବୁଧବାର ପାଇଁ ବାତିଲ କରାଯାଇଥିଲା। ଗଞ୍ଜାମ ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ଅର୍ଣ୍ଣବର ତାଣ୍ଡବ ଦେଖିବାକୁ ମିଳିଥିଲା। ଜାତୀୟ ରାଜପଥ ୩୨୬ରେ ପାଳୁଖୋଳା ରାସ୍ତା ଉପରେ ୨ ଫୁଟରେ ବର୍ଷା ପାଣି ଲହଡ଼ି ମାରିଥିଲା। ସେହିପରି ଉପରମୁଣ୍ଡରେ ବର୍ଷା ଯୋଗୁ ପାହାଡ଼ିଆ ଅଞ୍ଚଳରେ ଫ୍ଲାସ ଫ୍ଲଡ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ପାହାଡ଼ ଉପରୁ ପ୍ରଖର ସ୍ରୋତରେ ପାଣି ମାଡ଼ିଆସି ରାସ୍ତାଘାଟ ଜଳମଗ୍ନ ହୋଇପଡିଥିଲା। ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା କାରଣରୁ ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ସ୍ଥିତି ହୋଇଥିଲା। ଅନ୍ୟପକ୍ଷରେ ଗୁରୁବାର ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାଶର୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ସମୁଦ୍ର ପତ୍ତନରୁ ଏହା ୫.୮ କି.ମି. ଯାଏଁ ବ୍ୟାପିଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ତେବେ ପରବର୍ତ୍ତୀ ସ୍ଥିତି ନେଇ ଏଯାବତ୍ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ ହୋଇ ନ ଥିବା ସୂଚନା ଦିଆଯାଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାଜ୍ୟର ବିଭିନ୍ନ ଜିଲାରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିବ। ତେବେ ସୁନ୍ଦରଗଡ଼, ଝାରସୁଗୁଡା ଏବଂ ବରଗଡ଼ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହି ସମୟରେ ପବନର ବେଗ ସର୍ବାଧିକ ୬୦ କିଲୋମିଟର ରହିବ। ସେହିପରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗୀର, ସୋନପୁର ଏବଂ ଦେବଗଡ଼ ଜିଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ସେହିପରି ପାଣିପାଗ କେନ୍ଦ୍ରର ରେକର୍ଡ ଅନୁଯାୟୀ ଗତ ୨୪ ଘଣ୍ଟାରେ ଗଜପତି ଜିଲା ମହେନ୍ଦ୍ରଗିରିଠାରେ ସର୍ବାଧିକ ୨୪୯.୯ ମି.ମି. ବର୍ଷା ରେକର୍ଡ ହୋଇଥିଲା। କୋରାପୁଟ ଜିଲା ପଟ୍ଟାଙ୍ଗୀଠାରେ ୧୮୮ ମି.ମି., ଗଜପତି ଜିଲା ମୋହନାଠାରେ ୧୬୮.୮ ମି.ମି., ଗଞ୍ଜାମରେ ୧୬୧.୪ ମି.ମି., କୋରାପୁଟର ସିମିଳିଗୁଡାଠାରେ ୧୪୩.୧ ମି.ମି., ଗଞ୍ଜାମର ଦିଗପହଣ୍ଡିଠାରେ ୧୩୯.୫ ମି.ମି., ଗଜପତିର ଗୁମ୍ମାଠାରେ ୧୩୫ ମି.ମି., ଗଞ୍ଜାମର ବ୍ରହ୍ମପୁରଠାରେ ୧୩୧.୪ ମି.ମି., ଗଜପତିର ଗୋଷାଣୀରେ ୧୨୮ ମି.ମି., ଗଞ୍ଜାମର କୁକୁଡାଖଣ୍ଡିଠାରେ ୧୨୭ ମି.ମି., ସାନଖେମୁଣ୍ଡିରେ ୧୧୪ ମି.ମି., ଗଜପତିର କାଶୀନଗରରେ ୧୦୭.୨ ମି.ମି. ବର୍ଷା ରେକର୍ଡ ହୋଇଥିଲା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।