ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା: ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଛୁରାମାଡ଼

Oct 10, 2026 - 14:50
ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା: ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଛୁରାମାଡ଼

ନବରଙ୍ଗପୁର, ୧୦/୧୦ (ସନ୍ତୋଷ ସନ୍ତୋଷ): ଉମରକୋଟରେ କଲେଜ ନିର୍ବାଚନକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଛି। ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଦୀପକମଲ ମହାପାତ୍ର ନାମକ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଆହତ ଦୀପକମଲଙ୍କୁ ପ୍ରଥମେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି। ଉମରକୋଟ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ, କଲେଜରେ ଛାତ୍ର ସଂସଦ ନିର୍ବାଚନ ପ୍ରସ୍ତୁତି ବେଳେ  କଲେଜ କ୍ୟାମ୍ପସ ବାହାରେ ଗତକାଲି ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ପରେ ପରିସ୍ଥିତି ସାମୟିକ ଭାବେ ଶାନ୍ତ ହୋଇଥିଲେ ମଧ୍ୟ ଆଜି ସକାଳେ ପୁଣି ଉତ୍ତେଜନା ଦେଖାଦେଇଥିଲା।

ଅଭିଯୋଗ ଅନୁସାରେ, ଅଭିଷେକ ପଣ୍ଡା ନାମକ ଜଣେ ଯୁବକଙ୍କୁ ଅନ୍ୟ ଗୋଷ୍ଠୀର କିଛି ଯୁବକ ଡିଏନକେ ଅଞ୍ଚଳରେ ଆକ୍ରମଣ କରିଥିଲେ। ଏହାକୁ ନେଇ ଦୀପକମଲ ମହାପାତ୍ରଙ୍କ ଗୋଷ୍ଠୀ ପକ୍ଷରୁ ଡିଏନକେସ୍ଥିତ ତ୍ରିନାଥ ମନ୍ଦିର ନିକଟରେ ଆଲୋଚନା ଚାଲିଥିଲା। ଏହି ସମୟରେ ପ୍ରାୟ ୩୦ରୁ ୪୦ ଜଣ ଯୁବକ ସେଠାରେ ପହଞ୍ଚି ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଏହି ଆକ୍ରମଣ ସମୟରେ ଦୀପକମଲ ମହାପାତ୍ରଙ୍କୁ ଛୁରି ଓ ଭୁଜାଲିରେ ଆକ୍ରମଣ କରାଯାଇଥିଲା। ତାଙ୍କ ପେଟ, ହାତ ଓ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ଏହି ଘଟଣା ପରେ ଉମରକୋଟ ସହରରେ ଉତ୍ତେଜନା ଲାଗିରହିଛି। ଆହତ ଦୀପକମଲଙ୍କ ଚିକିତ୍ସା ଚାଲିଥିବା ବେଳେ ମେଡିକାଲ ପରିସରରେ ମଧ୍ୟ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହିଛି। ଏନେଇ ଉମରକୋଟ ଥାନାରେ ଅଭିଯୋଗ ଦାଖଲ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି। ଆକ୍ରମଣର ପ୍ରକୃତ କାରଣ କ’ଣ ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।