ଛାତ୍ର ସଂସଦ ନିର୍ବାଚନ, କଲେଜ କ୍ୟାମ୍ପସ୍ ସରଗରମ: ନାମାଙ୍କନ ନାକଚ୍, ଆଶାୟୀ ଅସନ୍ତୋଷ
ବରଗଡ଼,10।୧୦(ପ୍ରେମାନନ୍ଦ ଖମାରୀ):ଆସନ୍ତା ୧୫ତାରିଖ ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନ ଯେତିକି ପାଖେଇ ଆସୁଛି, କଲେଜ କ୍ୟାମ୍ପସ୍ ଗୁଡ଼ିକରେ ନିର୍ବାଚନୀ ବାତାବରଣ ସେତିକି ସରଗରମ ହୋଇ ପଡୁଛି। ଶୁକ୍ରବାର ନାମାଙ୍କନ ପତ୍ର ଯାଞ୍ଚ ପରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏହାପରେ ଛାତ୍ର ସଂସଦ ନିର୍ବାଚନୀକୁ ନେଇ ଆହୁରି ଉଷ୍ମତା ବଢ଼ି ଯାଇଛି। ଅନ୍ୟପଟେ ଯାଞ୍ଚ ପରେ ପ୍ରାର୍ଥୀ ତାଲିକାରୁ ବାଦ୍ ପଡ଼ିବା ଯୋଗୁ ଅନେକ ଆଶାୟୀଙ୍କୁ ନିରାଶ ହେବାକୁ ପଡ଼ିଛି। ତାକୁ ନେଇ ବିଭିନ୍ନ କଲେଜରେ ଚାପା ଅସନ୍ତୋଷ ଲାଗି ରହିଛି। ଅପରପକ୍ଷେ ଯାଞ୍ଚ ପରେ ବିଭିନ୍ନ ପଦବୀରେ କେବଳ ଜଣେ ଲେଖାଏ ପ୍ରାର୍ଥୀ ରହିଛନ୍ତି। ସେମାନେ ନିଦ୍ଦର୍ବନ୍ଦରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଯାଇ ଥିବାବେଳେ କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଛି। ଏହାକୁ ନେଇ ସମ୍ପୃକ୍ତ ପ୍ରାର୍ଥୀ ଏବଂ ତାଙ୍କ ସମର୍ଥକଙ୍କ ମହଲରେ ଉତ୍ସାହ ଖେଳି ଯାଇଛି।
ବରଗଡ଼ ପଞ୍ଚାୟତ କଲେଜରେ ଯାଞ୍ଚ ପରେ ସଭାପତି ପଦବୀରେ ୪ଜଣ ପ୍ରାର୍ଥୀ ରହିଛନ୍ତି। ସମ୍ପୃକ୍ତ ପ୍ରାର୍ଥୀ ଦିପକ ସାହୁ, ଅବିନାଶ ବାଗ, ମୀମାଂଶା ଶର୍ମା ଏବଂ ତିଲକ ରଞ୍ଜନ ଛୁରିଆଙ୍କ ମଧ୍ୟରେ ଏଠାରେ ଚତୁର୍ମୁଖୀ ଲଢ଼େଇ ଚାଲିଛି। ବାକି ପଦବୀ ଗୁଡ଼ିକରେ ଯାଞ୍ଚ ପରେ ଅନେକ ଆଶାୟୀଙ୍କ ନାମାଙ୍କନ କଟି ଯାଇଛି। ପ୍ରାର୍ଥୀ ତାଲିକାରେ ସେହି ପଦବୀ ଗୁଡ଼ିକରେ କେବଳ ଜଣେ ଲେଖାଏ ରହିଛନ୍ତି। ଉପସଭାପତି ପଦବୀରେ ସୌରଭ ଭୁଏ, ସମ୍ପାଦକ ପଦବୀରେ ଲିପସ, ମୁଦୁଲି, ଯୁଗ୍ମ ସମ୍ପାଦକରେ ଆଶୁତୋଷ ସାହୁ, ଓମେନ୍ସ ରିପ୍ରେଜେଣ୍ଟେଟିଭ୍ରେ ଜ୍ୟୋତି କାଜି, କମର୍ସ କ୍ଲିୟରିଂ ହାଉସ୍ କ୍ଲାସ ରିପ୍ରେଜେଣ୍ଟେଟିଭ୍ରେ ବର୍ଷା ସିଂ, କମର୍ସ କ୍ଲିୟରିଂ ହାଉସ୍ ସମ୍ପାଦକରେ ଚିରାଗ ନାରାୟଣୀ, ଦିବାଧ୍ୟାୟୀ(ଡିଏସଏ) ସମ୍ପାଦକରେ ଜୟଦେବ ବାରିକ, ଡ୍ରାମାଟିକ ସମ୍ପାଦକରେ ବୁଲୁ ମିଶ୍ର ଏବଂ ସାଇନ୍ସ ଆସୋସିଏଶନ ସମ୍ପାଦକ ପଦବୀରେ ଆଲୋକ ସୁନାଙ୍କ ନାମ କେବଳ ପ୍ରାର୍ଥୀ ତାଲିକାରେ ରହିଛି।
ଏହି ଦୃଷ୍ଟିରୁ ବରଗଡ଼ ପଞ୍ଚାୟତ କଲେଜ ଛାତ୍ରୀ ସଂସଦ ନିର୍ବାଚନରେ ପ୍ରାର୍ଥୀ ତାଲିକାରେ ବିଭିନ୍ନ ପଦବୀ ଗୁଡ଼ିକରେ କେବଳ ଜଣେ ଲେଖାଏ ରହିଥିବା ଉପରୋକ୍ତ ପ୍ରାର୍ଥୀ ନିଦ୍ଦର୍ବନ୍ଦରେ ନିର୍ବାଚିତ ହୋଇଥିବା ସ୍ପଷ୍ଟ ହୋଇଛି। ଅନ୍ୟପଟେ ଏଠାରେ ଛାତ୍ର ସଂସଦ ସଭାପତି ପଦବୀରେ ୪ଜଣ ପ୍ରାର୍ଥୀ ରହିଥିବାରୁ ନିର୍ବାଚନୀ ବୈତରଣୀ ପାରି ହେବା ପାଇଁ ସବୁ ପ୍ରାର୍ଥୀଙ୍କ ବଳ କଷାକଷି ଆରମ୍ଭ ହୋଇଯାଇଛି। ପ୍ରତ୍ୟକ୍ଷରେ ନ ହେଲେ ମଧ୍ୟ ପରୋକ୍ଷରେ ବିଭିନ୍ନ ରାଜନୈତିକ ଦଳ ଗୁଡ଼ିକ ଜଣେ ଲେଖାଏ ପ୍ରାର୍ଥୀଙ୍କ ସପକ୍ଷରେ ପୂରାଦମ୍ରେ ଲାଗି ପଡ଼ିଥିବା ପରିଲକ୍ଷିତ ହେଉଛି। ତେବେ ଏହି ନିର୍ବାଚନରେ କେଉଁ ଦଳର ନିର୍ବାଚନୀ କସରତ ସଫଳ ହେବ, ତାହା ୧୫ତାରିଖ ସ୍ପଷ୍ଟ ହୋଇଯିବ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।