ଛାତ୍ର ସଂସଦ ନିର୍ବାଚନ: ପୁଅଙ୍କୁ ପଛରେ ପକାଇ ମଇଦାନରେ ଝିଅ ଆଗୁଆ
ପୁରୁଷୋତ୍ତମପୁର,୭ା୧୦(ସବିତା ମିଶ୍ର): ଦୀର୍ଘ ୮ ବର୍ଷ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଏହାକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ପରିସର ଏବେ ରାଜନୈତିକ ଉଷ୍ଣତାରେ ଚଳଚଞ୍ଚଳ ହୋଇଉଠିଛି। ନିର୍ବାଚନ ଘୋଷଣା ପରେ ଛାତ୍ରନେତାଙ୍କ ମଧ୍ୟରେ ତତ୍ପରତା ବଢ଼ିଥିବା ବେଳେ ଏଥର ନିର୍ବାଚନୀ ମଇଦାନରେ ପ୍ରଥମେ ଝିଅ ଆଗୁଆ ହୋଇ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। କଲେଜରେ ସମୁଦାୟ ୨୦ଟି ପଦବୀ ପାଇଁ ନିର୍ବାଚନ ହେବ। ଏହାକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ସାହ ଚରମରେ ପହଞ୍ଚିଥିବା ବେଳେ ବିଭିନ୍ନ ଛାତ୍ର ସଂଗଠନ ଓ ଛାତ୍ରନେତାମାନେ ସକ୍ରିୟ ହୋଇଉଠିଛନ୍ତି। ନିଜ ପସନ୍ଦର ପ୍ରତିନିଧିଙ୍କୁ ନିର୍ବାଚିତ କରି କଲେଜର ବିଭିନ୍ନ ସମସ୍ୟାର ସମାଧାନ ଓ ଛାତ୍ରୀଛାତ୍ରଙ୍କ ସ୍ବରକୁ ଶକ୍ତିଶାଳୀ କରିବା ନେଇ ଆଶା ରଖିଛନ୍ତି ଛାତ୍ରସମାଜ। ନିର୍ବାଚନ ଘୋଷଣା ହେବା ମାତ୍ରେ ଯୁକ୍ତତିନି ଦ୍ବିତୀୟ ବର୍ଷ କଳାର ଛାତ୍ରୀ ଦୀପ୍ତିମୟୀ ଦାଶ ସଭାପତି ପଦବୀ ପାଇଁ ଦାବିଦାର ଭାବେ ଆଗକୁ ଆସି ଚର୍ଚ୍ଚାରେ ରହିଛନ୍ତି। ସେ ସୋସିଆଲ ମିଡିଆରେ ପ୍ରଚାର ଚଲାଇ ନିଜର କ୍ୟାମ୍ପେନିଂ ଆରମ୍ଭ କରି ସମର୍ଥନ ଯୋଗାଡ଼ରେ ଲାଗିପଡ଼ିଛନ୍ତି। ଫଳରେ ନିର୍ବାଚନୀ ମଇଦାନରେ ଏବେ ଝିଅଙ୍କ ଦବଦବା ନେଇ ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନ ସୁଦ୍ଧା ଆଉ କେହି ସେପରି ଆଗକୁ ଆସିନାହାନ୍ତି।
ଅନ୍ୟପକ୍ଷରେ ତାରାତାରିଣୀ କଲେଜର ଯୁକ୍ତତିନି ଶ୍ରେଣୀରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ସଂଖ୍ୟା ବହୁଗୁଣ ଅଧିକ। କଲେଜରେ ୨୩୧ ଜଣ ଛାତ୍ର ଥିବାବେଳେ ଛାତ୍ରୀଙ୍କ ସଂଖ୍ୟା ୯୦୨। ଏଭଳି ସ୍ଥିତିରେ ଛାତ୍ରୀ ଭୋଟରଙ୍କ ସମର୍ଥନ ନିର୍ବାଚନରେ ବଡ଼ ଭୂମିକା ନେବ ବୋଲି ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଛି। ୨୦୧୭ ପରଠାରୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିବା ବେଳେ ଏଥର ପୁଣି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରସମାଜକୁ ଅଧିକ ସକ୍ରିୟ ଓ ଶକ୍ତିଶାଳୀ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି। ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ନିର୍ବାଚନ ଲାଗି ବୁଧବାର କଲେଜ ନିର୍ବାଚନ ଅଧିକାରୀ ଡଃ ପ୍ରବୀର କେଶରୀ ପ୍ରଧାନ ବିଜ୍ଞପ୍ତି ପ୍ରକାଶ କରାଯାଇଥିବା ନେଇ ସୂଚନା ଦେଇଛନ୍ତି। ୯ ତାରିଖରେ ନାମାଙ୍କନପତ୍ର ଦାଖଲ, ୧୦ ତାରିଖରେ ନାମାଙ୍କନ ପ୍ରତ୍ୟାହାର ହେବ। ଏହାପରେ ୧୫ ତାରିଖରେ ଭୋଟଗ୍ରହଣ ଓ ଗଣତି ହେବା ସହ ୧୬ ତାରିଖରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥଗ୍ରହଣ ଅନୁଷ୍ଠିତ ହେବ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।