ଛେଚୁଛି ବର୍ଷା: ପାଣିରେ ବୁଡ଼ିଲା ଚାଷଜମି, ଚିନ୍ତାରେ ଚାଷୀ

Oct 29, 2026 - 12:52
ଛେଚୁଛି ବର୍ଷା: ପାଣିରେ ବୁଡ଼ିଲା ଚାଷଜମି, ଚିନ୍ତାରେ ଚାଷୀ

ଗଞ୍ଜାମ,୨୯ା୧୦(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ସହର ଏବଂ ଆଖପାଖ ଅଞ୍ଚଳରେ ତିନିଦିନ ଧରି ଲଗାଣ ବର୍ଷା ଜାରିରହିଛି l ଏହି ବର୍ଷା ଯୋଗୁୁ ବ୍ଲକ ଅଞ୍ଚଳର ଚାଷଜମି ବର୍ଷାପାଣିରେ ବୁଡି ରହିଥିବା ଦେଖିବାକୁ ମିଳିଛି l ଯାହାକୁ ନେଇ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି l ପୁଣି ଏକ ବାତ୍ୟା ଓ ଲଘୁଚାପ ଥିବା ପାଣିପାଗ ବିଭାଗ ସ୍ପଷ୍ଟ କରିବା ପରେ ଚାଷୀଙ୍କ ଚିନ୍ତା ଦ୍ୱିଗୁଣିତ ହୋଇପଡ଼ିଛି l ଚାଷଜମିରେ ପାଣି ଜମି ରହିବା ଫଳରେ ଥୋଡ଼ ଧରିଥିବା ଧାନ ସବୁ ଅଗାଡ଼ି ହୋଇଯିବ ବୋଲି ଚାଷୀ କହିଛନ୍ତି। ଏହି ବ୍ଲକ ଅଞ୍ଚଳରେ ପ୍ରାୟ ୮୬୬୪ ହେକ୍ଟର ଜମିରେ ଧାନ ଚାଷ ହୋଇଛି। ତଳିଆ ଅଞ୍ଚଳ ଚାଷଜମିରେ ଧାନଚାଷ ଅଧିକ ପ୍ରଭାବିତ ହେବ ବୋଲି ସ୍ଥାନୀୟ ଅଞ୍ଚଳ ଚାଷୀ ସୂଚନା ଦେଇଛନ୍ତି। ଅଗାଡ଼ି ହେଲେ ମଣ୍ଡି ଧାନ ନେବନି। କେମିତି ଋଣ ଶୁଝିବ ତାହା ବର୍ତ୍ତମାନ ଚିନ୍ତାର ବିଷୟ ବୋଲି ଚାଷୀମାନେ କହିଛନ୍ତି।

ଅନ୍ୟପଟେ ଏହି ବାତ୍ୟା ଅର୍ଣ୍ଣବର ପ୍ରଭାବରେ ପନିପରିବା ଚାଷୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି। ରମ୍ଭା ଅଞ୍ଚଳରେ ମକା, ଫୁଲକୋବି, ଅଲଡି, ବିନ୍ସ, ଭେଣ୍ଡି, ପୋଟଳ, ବନ୍ଧାକୋବି ଆଦି ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି l ସଠିକ୍‌ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ କ୍ଷତି ପୂରଣ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।