ଜଟଣୀରେ RBI ଡାଟା ସେଣ୍ଟର ଉଦଘାଟନ କରି ବଡ଼ କଥା କହିଲେ ମୋଦି, ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ବଢ଼ିବ….
ଭୁବନେଶ୍ବର,୨୫।୧୦: ଜଟଣୀ ଇନ୍ଫୋଭାଲି-୨ରେ RBI ଡାଟା ସେଣ୍ଟର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଉଦଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ, ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ଦୁଇ ଉପମୁଖ୍ୟମନ୍ତ୍ରୀ ସାମିଲ ଥିଲେ ।
RBI ଡାଟା ସେଣ୍ଟର ଉଦ୍ଘାଟନ ପରେ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ । ମହାପ୍ରଭୁଙ୍କ ଆଶୀର୍ବାଦରୁ ଭୁବନେଶ୍ବରରେ ନୂଆ ସଂସ୍ଥା ଖୋଲିଲା । ଆଜିର ଦିନଟି ଓଡ଼ିଶା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦିନ। ନୂଆ ଭାରତ ନିର୍ମାଣରେ ନୂଆ ଅବଦାନ ଭେଟିଦେଲା । ଦେଶର ବିକାଶରେ ଛୋଟ ସହରର ବଡ଼ ଭୂମିକା ରହିବା ଦରକାର । ଆଜିର ଏହି ସଂସ୍ଥା ଓଡ଼ିଶାର ଓ ଦେଶର ବିକାଶ ପାଇଁ କାର୍ଯ୍ୟ କରିବ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମ ପାଇଁ ବିକାଶ ଗୁରୁତ୍ବପୂର୍ଣ୍ଣ। ସହର ଠାରୁ ଦୂରରେ ରହୁଥିବା ଲୋକଙ୍କ ପାଖରେ ପହଞ୍ଚିବା ଆମର ଲକ୍ଷ୍ୟ । ଗରୀବଙ୍କ ନାଁ ନେଇ ଦୀର୍ଘ ସମୟ ଧରି ପ୍ରଚାର ଚାଲିଲା । ୬୦/୭୦ ଦଶକରେ ଗରୀବଙ୍କ ନାଁ ନେଇ ବ୍ୟାଙ୍କ ଜାତୀୟକରଣ ହେଲା । ମାତ୍ର ୨୦୧୪ ପର୍ଯ୍ୟନ୍ତ ଗରୀବ ଲୋକେ ପ୍ରକୃତ ସେବାରୁ ବଞ୍ଚିତ ଥିଲା । ଗରୀବଙ୍କୁ ବ୍ୟାଙ୍କ ଖାତା ଖୋଲିବା ପାଇଁ ଗ୍ୟାରେଣ୍ଟର ଦରକାର ପଡ଼ୁଥିଲା । ମାତ୍ର ଆଜି ଡିଜିଟାଲ ବ୍ୟାଙ୍କିଂ ଘରେ ଘରେ ପହଞ୍ଚିଛି ।
ମୋଦି ତାଙ୍କ ଅଭିଭାଷଣରେ ପୂର୍ବ କଂଗ୍ରେସ ସରକାରକୁ ଟାର୍ଗେଟ କରିଛନ୍ତି । ଜଣେ ପ୍ରଧାନମନ୍ତ୍ରୀ କହିଥିଲେ ଟଙ୍କାଏ ଦେଲେ ଲୋକେ ୧୫ ପଇସା ପାଉଛନ୍ତି । ହେଲେ ଆଜି ଡିବିଟି ଜରିଆରେ ପୂରା ୧ ଟଙ୍କା ଲୋକଙ୍କ ପାଖକୁ ଯାଉଛି । ଆଜି ଅଟଳ ପେନସନ ଜରିଆରେ ଦେଶରେ ୯ କୋଟି ଉପକୃତ ହେଉଛନ୍ତି । ଓଡ଼ିଶାରେ ୩୮ ଲକ୍ଷ ଲୋକ ଅଟକ ପେନସନ୍ ଯୋଜନାରେ ଲାଭ ପାଉଛନ୍ତି । ମାତ୍ର ୨୦ ଟଙ୍କା ପ୍ରିମିୟମରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ମିଳୁଛି । ଆଜିକାଲି ଆଉ ଯୁଦ୍ଧ କେବଳ ଅସ୍ତ୍ରଶସ୍ତ୍ରରେ କରାଯାଉ ନାହିଁ । କୌଣସି ଦେଶର ଆର୍ଥିକ ମେରୁଦଣ୍ଡ ଉପରେ ଆକ୍ରମଣ ହେଉଛି । ତେଣୁ ବ୍ୟାଙ୍କିଂ ବ୍ୟବସ୍ଥାକୁ ସୁରକ୍ଷିତ କରିବା ଜରୁରୀ ହୋଇପଡ଼ିଛି । ଓଡ଼ିଶାରେ ମାଇଣ୍ଡ୍ସରୁ ମାଇକ୍ରୋ ଚିପ୍ସ ପ୍ରତିଷ୍ଠା ସମ୍ଭବ ହୋଇପାରିଛି ଓଡ଼ିଶାରେ ଡାଟା ସେଣ୍ଟର ପ୍ରତିଷ୍ଠା ପାଇଁ ନୂଆ ପୁଞ୍ଜି ଆସିବାକୁ ଯାଉଛି । ଓଡ଼ିଶାର ଯୁବ ପିଢ଼ିଙ୍କ ପାଇଁ ଆଗକୁ ନୂଆ ସମ୍ଭାବନା ସୃଷ୍ଟି ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅନ୍ୟପଟେ କେନ୍ଦ୍ର ଅର୍ଥମନ୍ତ୍ରୀ କହିଲେ, ଆଇବିଆଇକୁ ଅଭିନନ୍ଦନ ଜଣାଉଛି । ଜନଧନ ଯୋଜନା ବଡ଼ ଲାଭ ଦେଇଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।