ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

Oct 12, 2026 - 23:04
ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର ପ୍ରଚାର ହେବା ପରେ ନବଜାତ ଛୁଆଟିକୁ ଦେଖିବା ପାଇଁ ଆଖପାଖ ଗାଁରୁ ଲୋକଙ୍କ ଭିଡ଼ ଜମିଛି। ସୂଚନା ଅନୁଯାୟୀ, ଡିଣ୍ଡୋରୀ ଜିଲାର କେୱଲାରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଚ୍ଛାରା ଟୋଲାରେ ଏହି ଘଟଣା ଘଟିଛି। ଦୁର୍ଗାବତୀ ନାମକ ଏକ ମଇଁଷି ନବରାତ୍ରି ଆରମ୍ଭ ହେବାର ଠିକ ଗୋଟିଏ ଦିନ ପୂର୍ବରୁ, ଶନିବାର ସନ୍ଧ୍ୟାରେ ୮ଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଥିବା କୁହାଯାଇଛି। ଏହି ଅସାଧାରଣ ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି। ଛୁଆଟିକୁ ଦେଖିବା ପାଇଁ କେବଳ ନିକଟସ୍ଥ ଗାଁ ନୁହେଁ, ଦୂରଦୂରାନ୍ତରୁ ମଧ୍ୟ ଲୋକ ଆସୁଛନ୍ତି।

ମଇଁଷିର ମାଲିକ ଶିବଲାଲ ନନ୍ଦାଙ୍କ କହିବା ଅନୁଯାୟୀ, ତାଙ୍କ ମଇଁଷି ଏକ ୮ ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ତେବେ ଜନ୍ମ ପରେ ଛୁଆଟି ଏପର୍ଯ୍ୟନ୍ତ ଚାଲିପାରୁନାହିଁ। ଏହି ଘଟଣା ତାଙ୍କ ଅଞ୍ଚଳରେ ପ୍ରଥମ ବୋଲି ସେ କହିଛନ୍ତି। ଛୁଆଟିର ଶରୀରରେ ଅତିରିକ୍ତ ଗୋଡ଼ ଥିବାର କାରଣ କ’ଣ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏଥିପାଇଁ ପ୍ରାଣୀ ଚିକିତ୍ସକଙ୍କ ଯାଞ୍ଚ ଆବଶ୍ୟକ। ଚିକିତ୍ସା ବିଶେଷଜ୍ଞଙ୍କ ପରୀକ୍ଷା ପରେ ହିଁ ଛୁଆଟିର ଶାରୀରିକ ଅବସ୍ଥା ଓ ଅତିରିକ୍ତ ଅଙ୍ଗର କାରଣ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ମିଳିପାରିବ।

ପଶୁଙ୍କ ଶରୀରରେ ଅତିରିକ୍ତ ଅଙ୍ଗ ଥିବା ଭଳି ବିରଳ ଘଟଣା ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଛି। ଗର୍ଭାବସ୍ଥାରେ ଭ୍ରୂଣର ବିକାଶ ସମୟରେ ହେଉଥିବା କିଛି ଅସାମାନ୍ୟତା ଏହାର କାରଣ ହୋଇପାରେ। ତେବେ ଡିଣ୍ଡୋରୀର ଏହି ମଇଁଷି ଛୁଆ କ୍ଷେତ୍ରରେ ପ୍ରକୃତ କାରଣ ଜାଣିବା ପାଇଁ ପ୍ରାଣୀ ଚିକିତ୍ସକଙ୍କ ପରୀକ୍ଷା ଜରୁରୀ।

ଏପଟେ ନବରାତ୍ରି ପୂର୍ବରୁ ଏହି ଘଟଣା ଘଟିଥିବାରୁ ଅଞ୍ଚଳରେ ଏହାକୁ ନେଇ ଭିନ୍ନଭିନ୍ନ ଚର୍ଚ୍ଚା ଚାଲିଛି। ତେବେ ଛୁଆଟିର ସ୍ବାସ୍ଥ୍ୟ ଓ ଶାରୀରିକ ଅବସ୍ଥା ସମ୍ପର୍କରେ ଚିକିତ୍ସା ପରେ ହିଁ ଅଧିକ ତଥ୍ୟ ଜଣାପଡ଼ିବ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।