ଜୀବନରେ ଏହି ୩ କଥାରେ କେବେ ବି କରନ୍ତୁ ନାହିଁ ଲାଜ, ନଚେତ୍ ପରେ କରିବେ ପଶ୍ଚାତାପ
ମହାନ ବିଦ୍ୱାନ, ଅର୍ଥନୀତିଜ୍ଞ ଏବଂ ଦକ୍ଷ ରାଜନେତା ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ଲିଖିତ ‘ଚାଣକ୍ୟ ନୀତି’ କେବଳ ରାଜନୀତି ନୁହେଁ, ବରଂ ବ୍ୟକ୍ତିଗତ ଓ ସାମାଜିକ ଜୀବନର ପ୍ରତ୍ୟେକ ଦିଗକୁ ମାର୍ଗଦର୍ଶନ କରିବାରେ ଅତ୍ୟନ୍ତ ଉପଯୋଗୀ। ଚାଣକ୍ୟଙ୍କ ମତରେ, ଜୀବନରେ ଏପରି କିଛି କାର୍ଯ୍ୟ ରହିଛି, ଯାହାକୁ ଅତ୍ୟନ୍ତ ସାହସ ଏବଂ ବିଚକ୍ଷଣତାର ସହିତ କରିବା ଉଚିଥ। ସେଥିରେ ଲଜ୍ଜା ବା ସଂକୋଚ କରିବା ଆଦୌ ଉଚିତ୍ ନୁହେଁ। ଯଦି ଜଣେ ବ୍ୟକ୍ତି ଏହିସବୁ କ୍ଷେତ୍ରରେ ଲଜ୍ଜା ଅନୁଭବ କରେ, ତେବେ ତାକୁ ଜୀବନସାରା କ୍ଷତି ଏବଂ ପଶ୍ଚାତାପ କରିବାକୁ ପଡ଼ିଥାଏ।
ନିଜର ମତ ପ୍ରକାଶ କରିବାରେ:
ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ, ଅନ୍ୟମାନଙ୍କ ସମ୍ମୁଖରେ ନିଜର ମତ ବା ଚିନ୍ତାଧାରା ପ୍ରକାଶ କରିବାରେ କେବେବି ଲଜ୍ଜା କରିବା ଉଚିତ୍ ନୁହେଁ। ଯେଉଁ ବ୍ୟକ୍ତି ଏହି ସମୟରେ ସଂକୋଚ କରେ, ସେ ସବୁବେଳେ କ୍ଷତି ସହେ। କେତେକ କ୍ଷେତ୍ରରେ ବ୍ୟକ୍ତିଜଣକ ଠିକ୍ ଥିଲେ ମଧ୍ୟ, କେବଳ ସଂକୋଚ ବା ଲଜ୍ଜା କାରଣରୁ ନିଜର ମତକୁ ଖୋଲାଖୋଲି ରଖିପାରେ ନାହିଁ, ଯାହା ତାଙ୍କର ସଫଳତା ସମ୍ଭାବନାକୁ ହ୍ରାସ କରିଦିଏ।
ଖାଦ୍ୟ ଗ୍ରହଣ କରିବାରେ:
ଖାଇବା ପିଇବା କ୍ଷେତ୍ରରେ ମଧ୍ୟ କୌଣସି ପ୍ରକାରର ଲଜ୍ଜା ରଖିବା ଉଚିତ୍ ନୁହେଁ। ଯେଉଁ ବ୍ୟକ୍ତି ଖାଇବାକୁ ସଂକୋଚ କରେ, ସେ ପ୍ରାୟତଃ ଭୋକିଲା ରହିଯାଏ। ପେଟ ପୂର୍ଣ୍ଣ ଥିଲେ ହିଁ ଜଣେ ବ୍ୟକ୍ତି ଯେକୌଣସି କାର୍ଯ୍ୟକୁ ପ୍ରଭାବଶାଳୀ ଭାବରେ କରିପାରେ। ଅଧିକ ଭୋକ ଚିନ୍ତା କରିବା ଏବଂ ବୁଝିବାର କ୍ଷମତାକୁ ମଧ୍ୟ ଦୁର୍ବଳ କରିଦିଏ। ତେଣୁ ଭୋକ କିମ୍ବା ଖାଦ୍ୟ ସମ୍ବନ୍ଧୀୟ ଆବଶ୍ୟକତା କ୍ଷେତ୍ରରେ କେବେବି ସଂକୋଚ କରନ୍ତୁ ନାହିଁ।
ଆର୍ଥିକ କାରବାର ବା ଟଙ୍କାପଇସା ମାମଲା:
ଚାଣକ୍ୟ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଯେଉଁମାନେ ଟଙ୍କାପଇସା କାରବାରରେ ଲଜ୍ଜା ଅନୁଭବ କରନ୍ତି, ସେମାନଙ୍କୁ ସର୍ବଦା ଆର୍ଥିକ କ୍ଷତି ସହିବାକୁ ପଡ଼େ। ପ୍ରାୟତଃ ଲୋକମାନେ ସମ୍ମୁଖସ୍ଥ ବ୍ୟକ୍ତି କ’ଣ ଭାବିବେ ସେକଥା ଭାବି, ନିଜର ଧାର ଦେଇଥିବା ଟଙ୍କା ଫେରାଇ ମାଗିବାକୁ ସଂକୋଚ କରନ୍ତି। କିନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ, ସମ୍ପର୍କ ଯେତେ ଭଲ ହେଉନା କାହିଁକି, ଆର୍ଥିକ କାରବାର କିମ୍ବା ଋଣ ଦେଇଥିବା ଟଙ୍କା ଫେରାଇ ନେବା ସମୟରେ କୌଣସି ପ୍ରକାରର ଲଜ୍ଜା କିମ୍ବା ସଂକୋଚ ରଖିବା ଉଚିତ୍ ନୁହେଁ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।