‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

Sep 27, 2026 - 18:40
‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ  ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଏକ ଧମକପୂର୍ଣ୍ଣ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନୋଏଡା ସେକ୍ଟର-୬୩ର ବାସିନ୍ଦା ତଥା ଯୁବ ଶକ୍ତି ଦଳର ଅଧ୍ୟକ୍ଷ ରବି କୁମାର ଗୌତମ ଏହି ଭିଡିଓରେ CEC ଜ୍ଞାନେଶ କୁମାରଙ୍କୁ ଗୁରୁତର ଧମକ ଦେଉଥିବା ଦାବି କରାଯାଉଛି। ତେବେ ଭାଇରାଲ ଭିଡିଓର ସତ୍ୟତା ସ୍ବାଧୀନ ଭାବେ ନିଶ୍ଚିତ ହୋଇନାହିଁ।

ପ୍ରାୟ ୪ ମିନିଟ୍ର ଏହି ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ଭାବେ ସେୟାର ହେଉଛି। ଭିଡିଓରେ ରବି କୁମାର ଗୌତମ CEC ଜ୍ଞାନେଶ କୁମାରଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିବା ସହ ତାଙ୍କୁ ହତ୍ୟା କରିବା ନେଇ ଧମକ ଦେଇଥିବା ଦାବି କରାଯାଉଛି।

ଭାଇରାଲ ଭିଡିଓରେ ରବି କୁମାର ଗୌତମ କହୁଥିବା ଶୁଣାଯାଉଛି ଯେ, ଯଦି ସୁପ୍ରିମକୋର୍ଟ ଏବଂ ରାଷ୍ଟ୍ରପତି ତାଙ୍କୁ ଜଣେ ବ୍ୟକ୍ତିଙ୍କ ହତ୍ୟା ପାଇଁ କ୍ଷମା ପ୍ରଦାନ କରନ୍ତି, ତେବେ ସେ ପ୍ରଥମେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ହତ୍ୟା କରିବେ। ତାଙ୍କ ଅଭିଯୋଗ ଅନୁସାରେ, ଜ୍ଞାନେଶ କୁମାର ଦେଶବାସୀଙ୍କ ଭବିଷ୍ୟତକୁ କ୍ଷତି ପହଞ୍ଚାଇବା ସହ ମତଦାନ ଅଧିକାର ସହ ଖେଳ କରିଛନ୍ତି। ଏହାସହ ଯୁବକମାନଙ୍କ ରୋଜଗାରକୁ କ୍ଷତି ପହଞ୍ଚାଇବା ଏବଂ ନିର୍ବାଚନରେ ଭାଜପାକୁ ଫାଇଦା ଦେବା ପାଇଁ ପଦର ଦୁରୁପଯୋଗ କରିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଭୋଟର ତାଲିକାରେ ହେରଫେର କରି ଲୋକଙ୍କ ଭୋଟ କାଟିଥିବା ନେଇ ମଧ୍ୟ ସେ ଦାବି କରିଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓକୁ ନୋଏଡା ପୋଲିସ ଗୁରୁତର ସହ ନେଇଛି। ପୋଲିସ ଏବେ ଭିଡିଓର ସତ୍ୟତା ଯାଞ୍ଚ କରୁଛି। ଭିଡିଓଟି କିଏ ତିଆରି କରିଥିଲା, କେବେ ଏବଂ କେଉଁଠାରେ ଶୁଟ କରାଯାଇଥିଲା, ଏହାକୁ ସୋସିଆଲ ମିଡିଆରେ କିଏ ଅପଲୋଡ କରିଥିଲା ଏସବୁ ଦିଗରେ ପୋଲିସ ତଦନ୍ତ କରୁଛି।

ଭିଡିଓରେ ଦେଖାଯାଉଥିବା ରବି କୁମାର ଗୌତମଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ପୋଲିସ କହିଛି। ଯଦି ସେ ପ୍ରକୃତରେ CEC ଜ୍ଞାନେଶ କୁମାରଙ୍କୁ ଧମକ ଦେଇଥିବା ପ୍ରମାଣିତ ହୁଏ, ତେବେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ। ପୋଲିସ ଭିଡିଓଟି ଜବତ କରିଥିବା ସହ ଏହାର ଅଧିକ ପ୍ରସାରକୁ ରୋକିବାକୁ ଉଦ୍ୟମ କରୁଛି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।