ଜୟ ଶାହାଙ୍କ ଟିମ୍ରେ ମିଳିଲା ବଡ଼ ଦାୟିତ୍ୱ, ICCରେ ଇତିହାସ ରଚିଲେ…
ନୂଆଦିଲ୍ଲୀ,୧୭ା୯: ଜିମ୍ବାୱେ କ୍ରିକେଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଇଣ୍ଟରନ୍ୟାସନାଲ କ୍ରିକେଟ୍ କାଉନସିଲ୍ (ICC) ତୱେଙ୍ଗୱା ମୁକୁହଲାନିଙ୍କୁ ଡେପୁଟି ଚେୟାରମ୍ୟାନ୍ ଭାବେ ନିଯୁକ୍ତ କରିଛି । ତାଙ୍କ କାର୍ଯ୍ୟକାଳ ୧୪ ମାସ ରହିବ ଏବଂ ସେ ନଭେମ୍ବର ୨୦୨୭ ପର୍ଯ୍ୟନ୍ତ ଏହି ପଦରେ ରହିବେ ।
ମୁକୁହଲାନି ବର୍ତ୍ତମାନ ଜିମ୍ବାୱେ କ୍ରିକେଟ୍ର ଚେୟାରମ୍ୟାନ୍ ଅଛନ୍ତି । ଏଥିସହ ସେ ଆଇସିସି ବୋର୍ଡରେ ଜିମ୍ବାୱେର ପ୍ରତିନିଧିତ୍ୱ କରୁଛନ୍ତି । ତାଙ୍କ ନିଯୁକ୍ତି ଆଫ୍ରିକୀୟ କ୍ରିକେଟ୍ ପାଇଁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ହୋଇଛି । ୨୦୨୭ କ୍ରିକେଟ୍ ବିଶ୍ୱକପ୍କୁ ଜିମ୍ବାୱେ, ଦକ୍ଷିଣ ଆଫ୍ରିକା ଓ ନାମିବିଆ ମିଳିତ ଭାବେ ଆୟୋଜନ କରିବେ।
ଆଇସିସି ଚେୟାରମ୍ୟାନ୍ ଜୟ ଶାହା ମୁକୁହଲାନିଙ୍କୁ ନୂଆ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଜୟ ଶାହା କହିଛନ୍ତି ଯେ, କ୍ରିକେଟ୍ ପ୍ରଶାସନରେ ମୁକୁହଲାନିଙ୍କ ଅଭିଜ୍ଞତା, ଖେଳର ବିଶ୍ୱସ୍ତରୀୟ ବୁଝାମଣା ଏବଂ କ୍ରିକେଟ୍ର ବିକାଶ ପ୍ରତି ତାଙ୍କ ପ୍ରତିବଦ୍ଧତା ଆଇସିସି ବୋର୍ଡ ପାଇଁ ମୂଲ୍ୟବାନ ହେବ ।ମୁକୁହଲାନି ତାଙ୍କ ସହକର୍ମୀ ଡାଇରେକ୍ଟରମାନଙ୍କ ବିଶ୍ୱାସ ହାସଲ କରିଛନ୍ତି । କ୍ରିକେଟ୍କୁ ଅଧିକ ଦେଶ ଓ ନୂଆ ଦର୍ଶକଙ୍କ ନିକଟରେ ପହଞ୍ଚାଇବା ସହ ଖେଳର ବିକାଶ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବାରେ ତାଙ୍କ ସହ ମିଶି କାମ କରିବାକୁ ସେ ଆଗ୍ରହୀ ବୋଲି କହିଛନ୍ତି।
ତୱେଙ୍ଗୱା ମୁକୁହଲାନି ଆଇସିସିର ଡେପୁଟି ଚେୟାରମ୍ୟାନ୍ ପଦରେ ନିଯୁକ୍ତ ହେବାରେ ପ୍ରଥମ ଜିମ୍ବାୱେ ନାଗରିକ ହୋଇଛନ୍ତି । ଜୟ ଶାହା ମଧ୍ୟ ଏହାକୁ ଜିମ୍ବାୱେ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି କହିଛନ୍ତି । ନୂଆ ଦାୟିତ୍ୱ ନେଇ ମୁକୁହଲାନି କହିଛନ୍ତି ଯେ ଆଇସିସି ବୋର୍ଡର ଡାଇରେକ୍ଟରମାନେ ତାଙ୍କ ଉପରେ ଭରସା ରଖିଥିବାରୁ ସେ ସମ୍ମାନିତ ଅନୁଭବ କରୁଛନ୍ତି । ଡେପୁଟି ଚେୟାରମ୍ୟାନ୍ ଭାବେ ସେ ଜୟ ଶାହାଙ୍କ ସହ ମିଶି କାମ କରିବାକୁ ଆଗ୍ରହୀ ବୋଲି କହିଛନ୍ତି ।
କ୍ରିକେଟ୍କୁ ଅଧିକ ବ୍ୟାପକ କରିବା, ଆଇସିସି ସଦସ୍ୟଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବା ଏବଂ ନୂଆ ଦର୍ଶକ ଓ ବଜାରରେ ଖେଳକୁ ପହଞ୍ଚାଇବା ଉପରେ ଧ୍ୟାନ ଦେଇ କାମ କରିବେ ବୋଲି ସେ କହିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।