ଟାଙ୍ଗିଆ ଆକ୍ରମଣରେ ବୃଦ୍ଧ ମୃତ, ଅଭିଯୁକ୍ତଙ୍କୁ ବାନ୍ଧିଲେ ପରିବାର
ପାପଡ଼ାହାଣ୍ଡି, ୨୩ା୧୦ (ସ୍ୱପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ସିରସୀ ପଞ୍ଚାୟତର ପାଳପୁର କଦମଗୁଡ଼ା ଗ୍ରାମରେ ଟାଙ୍ଗିଆ ଆକ୍ରମଣରେ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନବରଙ୍ଗପୁର ବ୍ଲକ ବିକ୍ରମପୁର ପଞ୍ଚାୟତ ଡଙ୍ଗରିଗୁଡ଼ା ଗ୍ରାମର ମୁଣ୍ଡରା ପୂଜାରୀ। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଉଦୟନାଥ ଅମନାତ୍ୟ ଓରଫ ଶୁକ୍ରୁଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, ମୁଣ୍ଡରା ପାଳପୁର କଦମଗୁଡ଼ା ଗ୍ରାମରେ ନିଜ ଶ୍ୱଶୁର ଘରେ ରହୁଥିଲେ। ଶୁକ୍ରବାର ସକାଳେ ସେ ଘର ପଛପଟ ବାରି ସଫା କରୁଥିବା ସମୟରେ ସେହି ଗ୍ରାମର ଉଦୟନାଥ ଏକ ଟାଙ୍ଗିଆରେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମୁଣ୍ଡରାଙ୍କ ଚିତ୍କାର ଶୁଣି ତାଙ୍କ ସ୍ତ୍ରୀ ଓ ବୋହୂ ଘଟଣାସ୍ଥଳକୁ ଆସିଥିଲେ। ତେବେ ଆକ୍ରମଣ ଦେଖି ଭୟଭୀତ ହୋଇ ସେମାନେ ସେଠାରୁ ପଳାଇଥିଲେ। ଏହାପରେ ଅଭିଯୁକ୍ତ ନିଜ ଘରକୁ ଚାଲିଯାଇଥିଲେ।
ଘଟଣା ସମ୍ପର୍କରେ ଜାଣିବା ପରେ ଅଭିଯୁକ୍ତଙ୍କ ପରିବାର ଲୋକେ ତାଙ୍କୁ ଦଉଡ଼ିରେ ବାନ୍ଧି ରଖିବା ସହ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି। ଆକ୍ରମଣର କାରଣ ଜଣାପଡ଼ି ନ ଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।