ଟିମ୍‌ଇଣ୍ଡିଆରେ ସ୍ଥାନ ପକ୍କା କରିବା ପାଇଁ ଚୁପଚାପ କରୁଛନ୍ତି ଏହି କାମ: କୋଚ କରିଦେଲେ…

Oct 31, 2026 - 12:34
ଟିମ୍‌ଇଣ୍ଡିଆରେ ସ୍ଥାନ ପକ୍କା କରିବା ପାଇଁ ଚୁପଚାପ କରୁଛନ୍ତି ଏହି କାମ: କୋଚ କରିଦେଲେ…

ନୂଆଦିଲ୍ଲୀ,୩୧।୧୦: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ କେବଳ ବ୍ୟାଟିଂ ନୁହେଁ, ବୋଲିଂରେ ମଧ୍ୟ ନିଜ ଦକ୍ଷତା ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି। ମାତ୍ର ୧୫ ବର୍ଷ ବୟସରେ ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ଚର୍ଚ୍ଚାରେ ଥିବା ଏହି ଯୁବ ଖେଳାଳି ଏବେ ଚୁପଚାପ ନିଜ ବୋଲିଂ ଦକ୍ଷତାକୁ ଶାଣିତ କରିବାରେ ଲାଗିଛନ୍ତି। ଟିମ ଇଣ୍ଡିଆର ସ୍ପିନ ବୋଲିଂ କୋଚ ସାଇରାଜ ବାହୁତୁଲେ ଏହି ଖୁଲାସା କରିଛନ୍ତି।

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ପୂର୍ବରୁ ବୈଭବଙ୍କୁ ପ୍ଲେଇଂ ଇଲେଭେନ୍‌ରୁ ବାଦ ଦିଆଯିବା ନେଇ ଚର୍ଚ୍ଚା ହୋଇଥିଲା। ଇଶାନ କିଶନ ଆହତ ହେବା ପରେ ତାଙ୍କୁ ଦ୍ୱିତୀୟ ଓ ତୃତୀୟ ଟି-୨୦ରେ ଖେଳିବାର ସୁଯୋଗ ମିଳିଥିଲା। ୱେଲିଂଟନ୍‌ରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍‌ରେ ସେ ଅଭିଷେକ ଶର୍ମାଙ୍କ ସହ ମିଶି ମାତ୍ର ୬ ଓଭରରେ ୧୦୦ରୁ ଅଧିକ ରନ ଯୋଡ଼ିଥିଲେ। ତେବେ ଏତେ ଭଲ ପ୍ରଦର୍ଶନ ସତ୍ତ୍ୱେ ପରବର୍ତ୍ତୀ ମ୍ୟାଚ୍‌ରେ ତାଙ୍କୁ ସୁଯୋଗ ମିଳି ନ ଥିଲା। ଦଳରେ ଅନେକ ଅଭିଜ୍ଞ ଖେଳାଳି ଥିବାରୁ ପ୍ଲେଇଂ ଇଲେଭେନ୍‌ରେ ସ୍ଥାନ ପାଇବାକୁ କଡ଼ା ପ୍ରତିଯୋଗିତା ରହିଛି।

ସାଇରାଜ ବାହୁତୁଲେ କହିଛନ୍ତି, ବୈଭବ ନିଜ ବୋଲିଂକୁ ନେଇ ବେଶ ଉତ୍ସାହିତ ଏବଂ ନିୟମିତ ଭାବେ ଅଭ୍ୟାସ କରୁଛନ୍ତି। ଏହି ଦକ୍ଷତାକୁ ଆହୁରି ଉନ୍ନତ କରିବା ପାଇଁ ସେ ପରଦା ପଛରେ କଠିନ ପରିଶ୍ରମ କରୁଛନ୍ତି। ଏଥିପାଇଁ ଆହୁରି କିଛି ସମୟ ଲାଗିବ। ତେବେ ଯଦି ବୈଭବ ଟି-୨୦ ମ୍ୟାଚ୍‌ରେ ଗୋଟିଏ କିମ୍ବା ଦୁଇଟି ଓଭର ବୋଲିଂ କରିପାରନ୍ତି, ତେବେ ଏହା ଦଳ ପାଇଁ ବେଶ ଲାଭଦାୟକ ହେବ। ଦଳରେ ଅନେକ ଅଭିଜ୍ଞ ଖେଳାଳି ଅଛନ୍ତି ଏବଂ ସେମାନଙ୍କୁ ମଧ୍ୟ ଉପଯୁକ୍ତ ସୁଯୋଗ ମିଳିବା ଦରକାର। ତେଣୁ ବୈଭବଙ୍କୁ ବୋଲିଂରେ ପ୍ରସ୍ତୁତ ହେବା ପାଇଁ ଆଉ କିଛି ସମୟ ଦେବାକୁ ପଡ଼ିବ।

ଅନ୍ୟପଟେ ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟି-୨୦ରେ ଭାରତୀୟ ଦଳକୁ ୮୭ ରନ୍‌ରେ ପରାଜୟ ବରଣ କରିବାକୁ ପଡ଼ିଛି। ଖ୍ରୀଷ୍ଟଚର୍ଚ୍ଚର ହାଗ୍‌ଲି ଓଭାଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୦ ଓଭରରେ ୭ ଉଇକେଟ ହରାଇ ୨୫୯ ରନ କରିଥିଲା। ଜବାବରେ ଭାରତୀୟ ଦଳ ୨୦ ଓଭରରେ ୯ ଉଇକେଟ ହରାଇ ମାତ୍ର ୧୭୨ ରନ କରିପାରିଥିଲା। ଫଳରେ ନ୍ୟୁଜିଲାଣ୍ଡ ୮୭ ରନ୍‌ର ବଡ଼ ବିଜୟ ହାସଲ କରିଥିଲା।

ବର୍ତ୍ତମାନ ବୈଭବଙ୍କ ବୋଲିଂ ଅଭ୍ୟାସକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ଯଦି ସେ ବ୍ୟାଟିଂ ସହ ବୋଲିଂରେ ମଧ୍ୟ ନିଜକୁ ପ୍ରମାଣିତ କରନ୍ତି, ତେବେ ଭାରତୀୟ ଦଳ ପାଇଁ ଜଣେ ଉପଯୋଗୀ ଅଲରାଉଣ୍ଡର ଭାବେ ଉଭା ହୋଇପାରନ୍ତି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।