ଡକାୟତି ଘଟଣାର ପର୍ଦ୍ଦାଫାସ କଲା ପାଟପୁର ପୋଲିସ, ଜେଲ୍ ଗଲେ ୪ ଅଭିଯୁକ୍ତ
ଦିଗପହଣ୍ଡି,୨୫।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଏକ ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି । ଛିନତାଇ ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ରବିବାର ତଦନ୍ତକାରୀ ଅଧିକାରୀ ଏସ.ଆଇ ଶ୍ରୀନିବାସ ଦାସ ଗିରଫ କରି ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟକୁ ଚାଲାଣ କରିଛନ୍ତି ।ଅଭିଯୁକ୍ତମାନେ ହେଲେ ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗ୍ରାମର ମୁନା ପାତ୍ର, ଟୁନା ପାତ୍ର, ପାଟପୁର ଥାନା ପାଟପୁର ଗ୍ରାମର ରାକେଶ ପଟ୍ଟନାୟକ, ଚିନ୍ତାଖାଳି ଗ୍ରାମର ସମୀର ଦୋରା। ଥାନା ମାମଲା ନଂ.୩୪୬/୨୬ ବିଏନଏସ ର ଦଫା – ୩୧୦(୨) ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ମାନଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି ।
ଗତ ଶୁକ୍ରବାର ରାତି ପ୍ରାୟ ୧୧ ଟାରେ ସାହାସପୁର ଗ୍ରାମର ନାଟକ ମ୍ୟାନେଜର ସନ୍ତୋଷ ମହାରଣା ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ସାହାସପୁର ଗ୍ରାମ ପୂର୍ବରୁ ନିଛାଟିଆ ରାସ୍ତାରେ କଳା ମୁଖା ପିନ୍ଧିଥିବା ଅଭିଯୁକ୍ତମାନେ ତାଙ୍କୁ ଅଟକାଇ ଠେଙ୍ଗାରେ ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ପକେଟରୁ ୧୫ ଶହ ଟଙ୍କା ଜବରଦସ୍ତ ଛଡାଇ ନେଇଥିଲେ । ଏନେଇ ସନ୍ତୋଷ ପାଟପୁର ଥାନାରେ ଏତଲା ଦେବାପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ମକଦ୍ଦମା ରୁଜୁ କରିଥିଲେ। ତଦନ୍ତକାରୀ ଅଧିକାରୀ ସଦଳବଳେ ବିଭିନ୍ନ ରାସ୍ତାକୁ ନାକାବନ୍ଦୀ କରି ରାସ୍ତାରେ ଯାଉଥିବା ସମସ୍ତ ଗାଡ଼ି ମୋଟର ଖାନ ତଲାସି କରିଥିଲେ।
ପରେ ପ୍ରାପ୍ତ ସୂଚନାକୁ ଭିତ୍ତିକରି ଏହି ଡକାୟତି ଘଟଣାରେ ସାମିଲ ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟମାନେ ଫେରାର ଥିବା ଜଣାପଡିଛି । ଅଭିଯୁକ୍ତମାନେ ସନ୍ତୋଷଙ୍କୁ ମାଡ଼ ମାରି ଲୁଟି ନେଇଥିବା ୧୫ ଶହ ଟଙ୍କା, ୨ ଟି ମୋବାଇଲ ଫୋନ୍ ଏବଂ ତାଙ୍କୁ ଆକ୍ରମଣରେ ବ୍ୟବହୃତ ଠେଙ୍ଗା, କଳା ମୁଖା, ବାଇକ ଜବତ କରାଯାଇଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।