ଡାଟା ସେଣ୍ଟରକୁ ବିରୋଧ
ଦି ଗ୍ରେଟ୍ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍ କାମୁସ ଏହି ଶବ୍ଦ ପ୍ରଥମେ ସାମ୍ନାକୁ ଆଣିଥିଲେ। ଫ୍ରାନ୍ସରେ ମରିନ ଲେ ପେନ୍ଙ୍କ ନ୍ୟାଶନାଲ ରାଲି, ହଙ୍ଗେରୀରେ ଭିକ୍ଟର ଓର୍ବାନଙ୍କ ଶାସନ, ଜର୍ମାନୀରେ ଅଲଟରନେଟିଭ୍ ଫର୍ ଡଏଚଲ୍ୟାଣ୍ଡ ଏବଂ ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟାପକ ଦେଶାନ୍ତର କାର୍ଯ୍ୟକ୍ରମ ପାଇଁ ଏହା ମୁଖ୍ୟ ଆଧାର ସାଜିଛି। ଖ୍ରୀଷ୍ଟଚର୍ଚ୍ଚ, ଏଲ୍ପାସୋ, ହାନାଉ ଏବଂ ବଫାଲୋର ଗଣହତ୍ୟାକାରୀମାନେ ମଧ୍ୟ ଏହାକୁ ଦର୍ଶାଇଛନ୍ତି। ଏହି ଧାରଣା ଜନସଂଖ୍ୟାଗତ ପରିବର୍ତ୍ତନକୁ ନେଇ ବ୍ୟାପକ ଅଶାନ୍ତି ସୃଷ୍ଟି କରେ। ‘ଦି ଗ୍ରେଟ୍ ରିପ୍ଲେସ୍ମେଣ୍ଟ’ ଧାରଣାର ବିଶ୍ୱାସୀମାନଙ୍କୁ କହେ ଯେ, ଅପରିଚିତ ଲୋକଙ୍କ ଦ୍ୱାରା ସେମାନଙ୍କୁ ଉପେକ୍ଷା କରାଯାଉଛି ଏବଂ ଏହି ପ୍ରକ୍ରିୟାକୁ ବଦଳାଯାଇପାରିବ। ଭୋଟରମାନଙ୍କୁ ଏକତ୍ରିତ କରିବା ପାଇଁ ଏହି ଧାରଣା ଭୟ ବାତାବରଣ ସୃଷ୍ଟି କରିଥାଏ।
ସେଥିପାଇଁ ଡାଟା ସେଣ୍ଟରଗୁଡ଼ିକୁ ନେଇ ଏବେ ଲାଗି ରହିଥିବା ଅଶାନ୍ତ ସ୍ଥିତି ଆଶ୍ଚର୍ଯ୍ୟଜନକ ମନେହୁଏ। ତିନି-ଚତୁର୍ଥାଂଶ ଆମେରିକୀୟ କହନ୍ତି, ସେମାନେ ସେମାନଙ୍କ ଅଞ୍ଚଳରେ ଏଆଇ ଡାଟା ସେଣ୍ଟର ନିର୍ମାଣକୁ ବିରୋଧ କରିବେ। ସେମାନଙ୍କ ମଧ୍ୟରେ ୮୩% ଡେମୋକ୍ରାଟ୍, ପ୍ରାୟ ୮୦% ସ୍ବାଧୀନ ଏବଂ ଦୁଇ-ତୃତୀୟାଂଶ ରିପବ୍ଲିକାନ ଅଛନ୍ତି। ଏଭଳି ପ୍ରକଳ୍ପଗୁଡ଼ିକୁ ନିୟନ୍ତ୍ରଣ, ବିଳମ୍ବ କିମ୍ବା ବନ୍ଦ କରିବା ପାଇଁ ରାଜ୍ୟର ନିର୍ବାଚିତ ପ୍ରତିନିଧିମାନେ କ୍ରମାଗତ ଭାବେ ଅନେକ ବିଲ୍ ଆଗତ କରିଛନ୍ତି। ଯେଉଁ ଗଭର୍ନରମାନେ ପୂର୍ବରୁ ଏଆଇକୁ ସ୍ବାଗତ କରୁଥିଲେ, ସେମାନେ ଏବେ ବିଦ୍ୟୁତ ଗ୍ରୀଡ୍ଗୁଡ଼ିକରେ ନୂତନ ସଂଯୋଗକୁ ରୋକିଛନ୍ତି। କେବଳ ଟ୍ରମ୍ପ ଦେଶସାରା ଗସ୍ତ କରି ସହରଗୁଡ଼ିକୁ ଏପରି ପ୍ରକଳ୍ପକୁ ଗ୍ରହଣ କରିବା ପାଇଁ ଅନୁରୋଧ କରୁଛନ୍ତି, ଯାହାକୁ ସେମାନଙ୍କ ସମର୍ଥକମାନେ ପ୍ରତ୍ୟାଖ୍ୟାନ କରୁଛନ୍ତି। ଉଭୟ ଦଳର ଏହି ବିରୋଧ ପଛରେ ଏକ ଭାବନା ରହିଛି ଯେ, ଦେଶରେ ସେମାନଙ୍କ ସ୍ଥାନ ସୁରକ୍ଷିତ ନୁହେଁ। ତେବେ ଗୋଟିଏ ଭୟ ଗଣତନ୍ତ୍ରଗୁଡ଼ିକୁ ବିଭାଜିତ କରିଥିବାବେଳେ ଅନ୍ୟଟି ଏକାଠି କରିଦେଇଛି। ଯେତେବେଳେ ଏକ ବଡ଼ ଝରକାଶୂନ୍ୟ ବଡ଼ ହଲ୍ (ଡାଟାସେଣ୍ଟର) ଜାତୀୟ ସମ୍ମତି ସୃଷ୍ଟିକରୁଛି ସେତେବେଳେ ପ୍ରବାସନ କାହିଁକି ପରସ୍ପର ବିରୋଧୀ ଗୋଷ୍ଠୀ ସୃଷ୍ଟି କରିବ?
ଡାଟା ସେଣ୍ଟରଗୁଡ଼ିକୁ ବିରୋଧ କରିବା ପଛରେ ବ୍ୟବହାରିକ କାରଣ ରହିଛି। ସେଗୁଡ଼ିକ ପ୍ରଚୁର ଜମି, ଜଳ ଏବଂ ବିପୁଳ ପରିମାଣର ବିଦ୍ୟୁତ ବ୍ୟବହାର କରନ୍ତି। ସେଗୁଡ଼ିକ ନିର୍ମାଣ କାର୍ଯ୍ୟ ଏବଂ ଟିକସ ବାବଦରେ ରାଜସ୍ବ ଆଣିଥାନ୍ତି, କିନ୍ତୁ ନିଯୁକ୍ତି ବହୁତ କମ୍ ଦିଅନ୍ତି ଏବଂ ସେମାନଙ୍କର ଲାଭ ଦୂରରେ ଥିବା ନିବେଶକମାନଙ୍କ ପାଖକୁ ଚାଲିଯାଏ। ଏକଦା କାରଖାନାର ଚିମିନି ବାୟୁ ପ୍ରଦୂଷଣ କରୁଥିଲେ ମଧ୍ୟ ସ୍ଥାନୀୟ ସହରବାସୀଙ୍କୁ ଆଶ୍ୱାସନାପୂର୍ଣ୍ଣ ବାର୍ତ୍ତା ଦେଉଥିଲା ଯେ, ଏଠାରେ ତୁମମାନଙ୍କର ଆବଶ୍ୟକତା ଅଛି। କିନ୍ତୁ ଡାଟା ସେଣ୍ଟର ଚାହେଁ ସହରର ବିଦ୍ୟୁତ, ଜଳ ଓ ଜମି। ଏହା ସେଠାକାର ଲୋକଙ୍କ ବିଷୟରେ କିଛି ଭାବେ ନାହିଁ। ତାହା ହିଁ ବିରୋଧକୁ ଅଧିକ ବଳ ଦେଉଛି। ଡାଟା ସେଣ୍ଟର ହେଉଛି ଏଭଳି ଏକ ଅର୍ଥନୈତିକ ଭିତ୍ତିଭୂମି, ଯାହା ଏକ ଜନସମୁଦାୟର ସମ୍ବଳ ଲୋଡ଼ିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ଆବଶ୍ୟକତାକୁ ଅନୁଭବ କରେ ନାହିଁ। ଏହା ଯେଉଁ ଭୟ ସୃଷ୍ଟି କରେ, ତାହା ମୁଖ୍ୟତଃ ନିଜ ସ୍ଥାନ ହରାଇବାର ଭୟ ନୁହେଁ, ବରଂ ଏହା ହେଉଛି ସ୍ଥାନୀୟ ଲୋକଙ୍କୁ ଯୋଗ୍ୟ ବୋଲି ବିବେଚନା ନ କରାଯିବାର ଭୟ। ପ୍ରବାସୀ ରାଜନୀତି ହେଉଛି ଏକ ପ୍ରତିଯୋଗିତାର ରାଜନୀତି। ପୁରୁଣା ପ୍ରବାସୀ ଭୟ ରାଜନୈତିକ ବିଭାଜନ ବଢ଼ାଇଥିଲା। ଯେତେବେଳେ ଗୋଟିଏ ଦଳ କହେ ଯେ ପ୍ରବାସୀ ତୁମର ସ୍ଥାନ ନେଉଛି, ଅନ୍ୟ ଦଳ ସେହି ପ୍ରବାସୀର ପିଲାଙ୍କୁ ଦେଶର ଭବିଷ୍ୟତ ବୋଲି କହିପାରେ। ସମର୍ଥକମାନେ ଏହା ମଧ୍ୟ କହିପାରନ୍ତି ଯେ, ସ୍ଥାନୀୟ ଲୋକମାନେ ଯେଉଁ କାମ କରିବାକୁ ଚାହାନ୍ତି ନାହିଁ, ସେହି କାମ ପାଇଁ ପ୍ରବାସୀଙ୍କ ଆବଶ୍ୟକତା ରହିଛି ଏବଂ ସ୍ଥାନୀୟ ଲୋକମାନେ ଭବିଷ୍ୟତରେ ଯେଉଁ ପେନ୍ସନ୍ ପାଇବାକୁ ଆଶା କରନ୍ତି, ତାହାକୁ ଅର୍ଥ ଯୋଗାଇବା ପାଇଁ ମଧ୍ୟ ସେମାନଙ୍କ ଆବଶ୍ୟକତା ରହିଛିି। ତେବେ ଜଣେ ବ୍ୟକ୍ତିଙ୍କ ପାଇଁ ଯିଏ ପ୍ରତିଦ୍ୱନ୍ଦ୍ୱୀ, ସିଏ ଅନ୍ୟ ପାଇଁ ଜଣେ ପଡ଼ୋଶୀ, କର୍ମଚାରୀ। ପ୍ରବାସନକୁ ନେଇ ବିତର୍କ ଯେତେ କଟୁ ହେଲେ ବି ସମାଜ ଏବେ ମଧ୍ୟ ସେମାନଙ୍କ ଆବଶ୍ୟକତାକୁ ସ୍ବୀକାର କରେ। ବାହାର ଲୋକ ତୁମର ଚାକିରି ନେଇଯିବେ ବୋଲି ଭୟ କରିବାର ଅର୍ଥ ହେଉଛି, ଅତି କମ୍ରେ ତୁମେ ଏହା ଧରି ନେଉଛ ଯେ ତୁମର ଚାକିରି ଭବିଷ୍ୟତରେ ରହିବ। ସ୍ଥାନାନ୍ତରିତ ହେବାର ଭୟ ହେଉଛି ସେହି ଲୋକମାନଙ୍କର ଭୟ, ଯେଉଁମାନେ ଏବେ ମଧ୍ୟ ବିଶ୍ୱାସ କରନ୍ତି ଯେ ସେମାନଙ୍କ ବଦଳରେ ଅନ୍ୟ କାହାକୁ ରଖିବା ଭଳି ଯୋଗ୍ୟ ବ୍ୟକ୍ତି ଅଛନ୍ତି। ଡାଟା ସେଣ୍ଟରଗୁଡ଼ିକ ଯେଉଁ ଭୟ ସୃଷ୍ଟି କରନ୍ତି, ତାହା କର୍ମଚାରୀ ସଂଖ୍ୟା କମିଯିବାର ଭୟ ନୁହେଁ, ବରଂ ଲୋକମାନେ ବେକାର ହୋଇଯିବାର ଭୟ। ସେଗୁଡ଼ିକ ଏପରି ଏକ ଅର୍ଥନୀତିର ପୂର୍ବାନୁମାନ କରନ୍ତି, ଯେଉଁଠାରେ ସ୍ଥାନୀୟ ଅଞ୍ଚଳର ଅବଦାନ ଓ ସେଥିରୁ ମିଳୁଥିବା ସମ୍ପତ୍ତିର ଅଂଶ ମଧ୍ୟରେ କିଛି ସମ୍ପର୍କ ରହେ ନାହିଁ।
କୌଣସି ଜାତି ନାହିଁ କିମ୍ବା ପାସପୋର୍ଟକୁ ନେଇ ବିପଦ ନାହିଁ। କାହାକୁ ବି ଗିରଫ କରାଯାଇପାରିବ ନାହିଁ। ଯେଉଁ ନୂଆ ବିପଦ ସୃଷ୍ଟି ହୋଇଛି ତାହା ସହରର ସୀମାରେ ଥିବା ଡାଟା ସେଣ୍ଟରକୁ ନେଇ। ତାହା ଏପରି ଏକ ବ୍ୟବସ୍ଥା ପାଇଁ ଶକ୍ତି ଟାଣୁଛି ଯେଉଁଥିରେ ସେହି ସହରର କୌଣସି ଆବଶ୍ୟକତା ଥିବା ପରି ମନେହୁଏ ନାହିଁ। ସେଥିପାଇଁ ଏହି ଭୟ କେବଳ ରାଷ୍ଟ୍ରବାଦୀ ଦକ୍ଷିଣପନ୍ଥୀଙ୍କ ମଧ୍ୟରେ ସୀମିତ ରହିପାରିବ ନାହିଁ। ସେଥିପାଇଁ ପ୍ରବାସୀଙ୍କ ଭୟକୁ ନେଇ ନିଜର କ୍ୟାରିୟର ଗଢ଼ିଥିବା ନେତାମାନେ ଏହି ନୂତନ ଭୟ ଆଗରେ ଅସହାୟ ହୋଇପଡ଼ିଛନ୍ତି। ଟ୍ରମ୍ପ ନିଜ ଭୋଟରମାନଙ୍କୁ କହିପାରୁଥିଲେ ଯେ ସେମାନଙ୍କ ନିମ୍ନ ସ୍ତରର ଲୋକମାନେ ସେମାନଙ୍କ ସ୍ଥାନ ନେଇଯାଉଛନ୍ତି। କିନ୍ତୁ ପ୍ରବାସୀଙ୍କୁ ବଦଳାଇବା ଦରକାର ନାହିଁ ବୋଲି ସେ ତାଙ୍କ ଭୋଟରଙ୍କୁ କହିପାରିବେ ନାହିଁ । କିମ୍ବା ସେ ସେମାନଙ୍କୁ କହିପାରିବେ ନାହିଁ ଯେ କିଏ ସେମାନଙ୍କୁ ବଦଳାଉଛି, କାରଣ ଯେଉଁମାନେ ଏହା କରୁଛନ୍ତି, ସେମାନେ ଶପଥ ଗ୍ରହଣ ଉତ୍ସବରେ ତାଙ୍କ ପାଖରେ ଠିଆ ହୋଇଥିଲେ। ଯେଉଁ ସମର୍ଥକମାନେ ସୀମା ବିଷୟରେ ତାଙ୍କ କଥାକୁ ବିଶ୍ୱାସ କରୁଥିଲେ, ସେମାନେ ଏହି ଡାଟା ସେଣ୍ଟର ବିଷୟରେ ତାଙ୍କୁ ବିଶ୍ୱାସ କରୁନାହାନ୍ତି। କାହାକୁ ସେ ଦେଶାନ୍ତର କରିବେ?
ଆମେରିକାର ଇତିହାସରେ ପ୍ରବାସନ କେବଳ ଯୁଦ୍ଧ, ନିର୍ଯାତନା ଓ ପାରିବାରିକ ସମ୍ପର୍କ ଦ୍ୱାରା ହୋଇ ନ ଥିଲା; ନିଯୁକ୍ତିଦାତାମାନଙ୍କର ଶ୍ରମିକ ଚାହିଦା ଏହାର ଏକ ପ୍ରମୁଖ କାରଣ ଥିଲା। ଚାଷଜମି, କାରଖାନା, ରେଲଓ୍ବେ, ଡାକ୍ତରଖାନା ଏବଂ ଘରଗୁଡ଼ିକ ପାଇଁ ଶ୍ରମିକ ଆବଶ୍ୟକ ଥିଲେ। ଯଦି ବିଭିନ୍ନ କ୍ଷେତ୍ରରେ କାମର ଚାହିଦା କମିଯାଏ, ତେବେ ଟ୍ରମ୍ପଙ୍କର ସେହି ବିଭାଜନ ରେଖା ଅନାବଶ୍ୟକ ହୋଇଯିବ। ଏହା ନୁହେଁ ଯେ ଆମେରିକୀୟମାନେ ସେମାନଙ୍କ ସମାଜରେ କିଏ ରହିବେ ତାହାକୁ ନେଇ ଥିବା ବିବାଦର ସମାଧାନ କରିସାରିଛନ୍ତି; ବରଂ ଏବେ ସେମାନଙ୍କ ଅର୍ଥନୀତି ନୂଆ ପ୍ରବାସୀ ଓ ସ୍ଥାନୀୟ ଲୋକ-ଉଭୟଙ୍କ ଉପରେ କମ୍ ନିର୍ଭରଶୀଳ ହୋଇପଡ଼ିଛି।
ଡାଟା ସେଣ୍ଟରଗୁଡ଼ିକ ବିରୋଧରେ ହେଉଥିବା ଜନଅସନ୍ତୋଷ ପୁରୁଣା ରାଜନୀତିକୁ ଦୋହଲାଇ ଦେଉଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ନୂତନ ରୂପ ନେଇନାହିଁ। ଏଥିରେ ଦେଖାଯାଇଥିବା ସର୍ବସମ୍ମତି ଦେଶରେ ରାଜନୈତିକ ମତଭେଦ ଶେଷ ହୋଇଯାଇଛି ବୋଲି ଦର୍ଶାଏ ନାହିଁ; ବରଂ ଏହା ଏମିତି ଏକ ଭୟକୁ ଦର୍ଶାଏ, ଯାହାକୁ କୌଣସି ଦଳୀୟ ଆଧାରରେ ଭାଗ କରାଯାଇପାରିବ ନାହିଁ। ଦଳୀୟ ସୀମା ଅତିକ୍ରମ କରିଥିବା ପ୍ରତିବାଦ ସେତେଦିନ ପର୍ଯ୍ୟନ୍ତ ରହିବ, ଯେପର୍ଯ୍ୟନ୍ତ ଲୋକମାନଙ୍କୁ ପଚରାଯିବ ନାହିଁ ଯେ ସେମାନେ କେଉଁ ଭବିଷ୍ୟତ ଚାହାନ୍ତି। ‘ଗ୍ରେଟ୍ ରିପ୍ଲେସମେଣ୍ଟ’ ଏକ ମିଥ୍ୟା ଥିଲା, ଯାହା ବିଶ୍ୱାସୀମାନଙ୍କୁ କହୁଥିଲା ଯେ ସେମାନଙ୍କ ମୂଲ୍ୟବାନ ଜମିକୁ କେହି ଚୋରି କରି ନେବାକୁ ଚାହୁଁଛି। କିନ୍ତୁ ସହରର ଶେଷ ସୀମାରେ ତିଆରି ହେଉଥିବା ସେହି କୋଠାଟି ଏଭଳି କୌଣସି ସୂଚନା ଦିଏ ନାହିଁ। ଏହା ତୁମ ସ୍ଥାନ ନେବାକୁ ଆସୁନାହିଁ। ତାହାର ତୁମ ସ୍ଥାନର କୌଣସି ଆବଶ୍ୟକତା ହିଁ ନାହିଁ।
ଷ୍ଟିଫେନ୍ ହୋମ୍ସ
-ପ୍ରାଧ୍ୟାପକ, ସ୍କୁଲ୍ ଅଫ୍ ଲ,
ନ୍ୟୁୟର୍କ ବିଶ୍ୱବିଦ୍ୟାଳୟ
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।