‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

Sep 21, 2026 - 10:43
‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ ଓହରିଯିବା ଉଚିତ ଥିଲା। ତୃତୀୟ ଟେଷ୍ଟ ପୂର୍ବରୁ ବାବର ଦେଇଥିବା ଏକ ମନ୍ତବ୍ୟକୁ ମଧ୍ୟ ସେ ସମାଲୋଚନା କରିଥିଲେ। ଉଲ୍ଲେଖନୀୟ ଯେ, ଇତିହାସରେ ପ୍ରଥମ ଥର ପାଇଁ ପାକିସ୍ତାନ ଇଂଲଣ୍ଡ ଗସ୍ତରେ ‘କ୍ଲିନ ସୁଇପ’ (ସମସ୍ତ ମ୍ୟାଚରେ ପରାଜୟ)ର ସମ୍ମୁଖୀନ ହୋଇଥିଲା ଏବଂ ଆୟୋଜକ ଦଳ ତିନୋଟିଯାକ ମ୍ୟାଚ ସହଜରେ ଜିତି ନେଇଥିଲା।
ତୃତୀୟ ଟେଷ୍ଟ ପୂର୍ବରୁ ବାବର ଆଜମ କହିଥିଲେ ଯେ ଲର୍ଡସ ଟେଷ୍ଟ ପରେ ଦଳରେ କରାଯାଇଥିବା ପରିବର୍ତ୍ତନ ବିଷୟରେ ସେ ଅବଗତ ନଥିଲେ। ପିସିବି (PCB) ସାତ ଜଣ ଖେଳାଳିଙ୍କୁ ଦଳରୁ ବାଦ ଦେଇ ଘରକୁ ପଠାଇ ଦେଇଥିଲାଯାହା କ୍ରିକେଟ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଅନେକ ଖେଳାଳିଙ୍କ ଫୋନ ଜବତ କରାଯାଇଥିଲା ଏବଂ ମୁଖ୍ୟ କୋଚ ସରଫରାଜ ଅହମ୍ମଦ ଓ ବୋଲିଂ କୋଚ ଉମର ଗୁଲଡଙ୍କ ମଧ୍ୟ ସେମାନଙ୍କ ପଦରୁ ହଟାଇ ଦିଆଯାଇଥିଲା।
ମାଞ୍ଚେଷ୍ଟରରେ ଏକ କାର୍ଯ୍ୟକ୍ରମରେ ୱାକାର ୟୁନିସଙ୍କ ସହ କଥାବାର୍ତ୍ତା ବେଳେ ଆକ୍ରମ ବାବରଙ୍କ ମନ୍ତବ୍ୟକୁ ଉପହାସ କରି ପଚାରିଥିଲେ, ‘ଯଦି ତୁମକୁ ଦଳରେ ହେଉଥିବା ପରିବର୍ତ୍ତନ ବିଷୟରେ ଜଣା ନଥିଲା, ତେବେ ତୁମେ ସେଠାରେ କ’ଣ କରୁଥିଲ? ତୁମେ କ’ଣ ସେଠାକୁ ଚଣା ବିକ୍ରି କରିବାକୁ ଯାଇଥିଲ?”
ଆକ୍ରମ ବାବରଙ୍କ ଅଧିନାୟକତ୍ୱ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ ଜଣେ ଖେଳାଳିଙ୍କୁ ଏହା ଅନୁଭବ କରିବା ଆବଶ୍ୟକ ଯେ ତାଙ୍କ ଅଧିନାୟକ ସେମାନଙ୍କ ସହ ଛିଡ଼ା ହେବେ; ଅଧିନାୟକଙ୍କ ସମର୍ଥନ ବିନା ଜଣେ ଖେଳାଳି ନିଜର ଶତପ୍ରତିଶତ ପ୍ରଦର୍ଶନ ଦେଇପାରିବେ ନାହିଁ। ଯଦିଓ ସେ ସ୍ବୀକାର କରିଥିଲେ ଯେ ତାଙ୍କ ମତ ଭୁଲ ହୋଇପାରେ, ତଥାପି ସେ ଅନୁଭବ କରିଥିଲେ ଯେ ଦ୍ୱିତୀୟ ଟେଷ୍ଟରେ ପରାଜୟ ପରେ ବାବରଙ୍କର ଅଧିନାୟକତ୍ୱରୁ ଓହରିଯିବା ଏବଂ କେବଳ ଜଣେ ବ୍ୟାଟର ଭାବରେ ଖେଳ ଜାରି ରଖିବା ଉଚିତ ଥିଲା।
ଦଳରେ ଏହି ପରିବର୍ତ୍ତନ ସତ୍ତ୍ୱେ ଫଳାଫଳରେ କୌଣସି ପରିବର୍ତ୍ତନ ହୋଇନଥିଲା; ଇଂଲଣ୍ଡ ବର୍ମିଂହାମରେ ଅନୁଷ୍ଠିତ ତୃତୀୟ ଟେଷ୍ଟ ସହଜରେ ଜିତି ନେଇଥିଲା। ପାକିସ୍ତାନ ICC ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ୨୦୨୫-୨୭ର ପଏଣ୍ଟ ତାଲିକାରେ ନବମ ସ୍ଥାନରେ ଅର୍ଥାତ ସର୍ବନିମ୍ନ ସ୍ଥାନରେ ରହିଛି। ଏହି ଚକ୍ରରେ, ସେମାନେ ନିଜର ନଅଟି ମ୍ୟାଚ ମଧ୍ୟରୁ ମାତ୍ର ଦୁଇଟିରେ ବିଜୟୀ ହୋଇଥିବାବେଳେ ସାତୋଟି ମ୍ୟାଚରେ ପରାଜିତ ହୋଇଛନ୍ତି।

Dharitri – Odisha’s No.1, Most Trusted Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।