ତୃତୀୟ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା, ସିରିଜରୁ ବାଦ୍ ପଡ଼ିଲେ…

Oct 01, 2026 - 16:17
ତୃତୀୟ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା, ସିରିଜରୁ ବାଦ୍ ପଡ଼ିଲେ…

ନୂଆଦିଲ୍ଲୀ,୩୦ା୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦୁଇଟି ମ୍ୟାଚ୍ ଶେଷ ହୋଇଛି । ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ସିରିଜ୍‌କୁ ନିଜ ନାମରେ କରିସାରିଛି । ଏବେ ଅକ୍ଟୋବର ୩ରେ ଖେଳାଯିବ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍। ଏହା ପୂର୍ବରୁ ଭାରତୀୟ ଦଳକୁ ଏକ ଝଟକା ଲାଗିଛି । ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣ ସିରିଜରୁ ବାଦ୍ ପଡ଼ିଥିବା ଜଣାପଡ଼ିଛି ।

ପ୍ରସିଦ୍ଧ କୃଷ୍ଣଙ୍କ ସ୍ଥାନରେ ଅଂଶୁଲ କମ୍ବୋଜଙ୍କୁ ଦଳରେ ସାମିଲ କରାଯାଇପାରେ ବୋଲି ରିପୋର୍ଟରେ କୁହାଯାଇଛି । ଅଂଶୁଲ ବର୍ତ୍ତମାନ ଅଷ୍ଟ୍ରେଲିଆ-ଏ ବିପକ୍ଷରେ ଚାଲିଥିବା ଅନୌପଚାରିକ ଟେଷ୍ଟ ସିରିଜରେ ଭାରତ-ଏ ପକ୍ଷରୁ ଖେଳୁଛନ୍ତି । ତାଙ୍କୁ ଶୀଘ୍ର ନ୍ୟୁ ଚଣ୍ଡିଗଡ଼ରେ ପହଞ୍ଚିବାକୁ କୁହାଯାଇଥିବା ସୂଚନା ମିଳିଛି । ତେବେ ଏନେଇ ବିସିସିଆଇ ପକ୍ଷରୁ ଏପର୍ଯ୍ୟନ୍ତ ଅଧିକାରିକ ଘୋଷଣା ହୋଇନାହିଁ।

ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଖେଳିଛନ୍ତି ପ୍ରସିଦ୍ଧ କୃଷ୍ଣ । ପ୍ରଥମ ଦିନିକିଆରେ ସେ ୧୦ ଓଭର ବୋଲିଂ କରି ୬୦ ରନ୍ ବ୍ୟୟ କରିବା ସହ ୨ଟି ୱିକେଟ୍ ନେଇଥିଲେ । ଦ୍ୱିତୀୟ ମ୍ୟାଚ୍‌ରେ ୫ ଓଭରରେ ୪୫ ରନ୍ ବ୍ୟୟ କରି ଗୋଟିଏ ୱିକେଟ୍ ହାସଲ କରିଥିଲେ । ଅର୍ଥାତ୍ ଦୁଇଟି ମ୍ୟାଚ୍‌ରେ ତାଙ୍କ ନାମରେ ରହିଛି ମୋଟ ୩ଟି ୱିକେଟ୍। ପ୍ରସିଦ୍ଧଙ୍କ ବିକଳ୍ପ ଭାବେ ଚର୍ଚ୍ଚାରେ ଥିବା ଅଂଶୁଲ କମ୍ବୋଜ ଏପର୍ଯ୍ୟନ୍ତ ଭାରତ ପାଇଁ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନାହାନ୍ତି । ସେ ଭାରତ ପାଇଁ ଟେଷ୍ଟ ଡେବ୍ୟୁ କରିସାରିଛନ୍ତି, କିନ୍ତୁ ଦିନିକିଆ ଓ ଟି-୨୦ ଅନ୍ତର୍ଜାତୀୟରେ ଏପର୍ଯ୍ୟନ୍ତ ସୁଯୋଗ ପାଇନାହାନ୍ତି।

ଯଦି ଅଂଶୁଲଙ୍କୁ ଦଳରେ ସାମିଲ କରାଯାଏ, ତେବେ ତୃତୀୟ ଦିନିକିଆରେ ତାଙ୍କୁ ପ୍ଲେଇଂ ଇଲେଭେନ୍‌ରେ ସୁଯୋଗ ମିଳିବ କି ନାହିଁ, ତାହା ଉପରେ ନଜର ରହିବ ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।