ଦିଗପହଣ୍ଡିରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’: ଯୋଗଦେଲେ ବିଧାୟକ ସିଦ୍ଧାନ୍ତ, କୃତୀ ଛାତ୍ରଛାତ୍ରୀ…
ଦିଗପହଣ୍ଡି,୧୪।୧୦(ଅଶେଷ ନାଥ ମିଶ୍ର): ଶିଶୁମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ବିକାଶ, ସୃଜନଶୀଳତାର ପରିପ୍ରକାଶ ଏବଂ ସେମାନଙ୍କୁ ଲୋକଲୋଚନକୁ ଆଣିବା ଲକ୍ଷ୍ୟରେ ଦିଗପହଣ୍ଡି ବ୍ଲକ୍ ବି. ତୁରୁବୁଡ଼ି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆନନ୍ଦ-ଉଲ୍ଲାସ ସହ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ମହୋତ୍ସବର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ କେବଳ ପାଠ୍ୟକ୍ରମ ଭିତ୍ତିକ ଶିକ୍ଷାରେ ସୀମିତ ନରଖି ନୃତ୍ୟ, ଗୀତ, କ୍ରୀଡ଼ା, ବକ୍ତୃତା ଓ ରଚନା ଲିଖନ ଆଦି କ୍ଷେତ୍ରରେ ପାରଙ୍ଗମ କରିବା ପାଇଁ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ।
ଏହି ସମାରୋହରେ ସରପଞ୍ଚ ବି. ଲିଙ୍ଗରାଜ ଦୋରା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଦିଗପହଣ୍ଡି ବ୍ଲକ୍ ଗୋଷ୍ଠୀ ଶିକ୍ଷାଧିକାରୀ (BEO) ଭୋପେନ କୁମାର ମହାନ୍ତ, ପୂର୍ବତନ BEO କୋରେଶ ସେଠୀ, ABEO ବାଳା ମାଝୀ, ରସାନନ୍ଦ ଘଡ଼େଇ, BRC ସୁଶାନ୍ତ କୁମାର ପ୍ରଧାନ, CRCC ଅନୀଲ କୁମାର ଦାସଙ୍କ ସମେତ ଅନ୍ୟାନ୍ୟ CRCC ବୃନ୍ଦ ମଞ୍ଚାସୀନ ଥିଲେ। କ୍ଲଷ୍ଟର CRCC ମେନସନ୍ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ପରେ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଏହି ଅବସରରେ କ୍ଲଷ୍ଟର ଅଧୀନସ୍ଥ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ସେହିପରି ଦିଗପହଣ୍ଡି ସ୍ଥାନୀୟ ମଧୁବିଦ୍ୟାପୀଠ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ନଗର CRCC ଅନିଲ କୁମାର ଦାସଙ୍କ ସଂଯୋଜନା ଏବଂ BEO ଭୋପେନ କୁମାର ମହାନ୍ତଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ NAC ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ୧୧ ନଂ ୱାର୍ଡ କାଉନସିଲର ଜ୍ୟୋସ୍ନା ଜେନା, କରପଡ଼ା CRCC ରବି ବେହେରା ଓ ଭ୍ରମରପୁର CRCC ପ୍ରଭାକର ସେଠୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
ଉଦ୍ଯାପନୀ ଉତ୍ସବରେ ABEO ବାଳା ମାଝୀ, ରସାନନ୍ଦ ଘଡ଼େଇ, CRCC ମେନସନ୍ ପ୍ରଧାନ, ISCOFF ଜିଲ୍ଲା ସଭାପତି ହରପ୍ରସାଦ ରଥ, BRT ସୁଶାନ୍ତ କୁମାର ପ୍ରଧାନ, ମଦନ ମୋହନ ପଢ଼ିଆରୀ ଓ ନରସିଂହ ପ୍ରସାଦ ପାଠୀ ଅତିଥି ଭାବେ ଯୋଗଦେଇ କୃତୀ ଶିଶୁ ପ୍ରତିଭାମାନଙ୍କୁ ସମ୍ମାନିତ କରିଥିଲେ। ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଉଚ୍ଚକୋଟୀର ନୃତ୍ୟ ଓ ଅଭିନୟ ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି (SMC) କର୍ମକର୍ତ୍ତା ଏବଂ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।