ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ
ମାହାଙ୍ଗା,୧୩ା୯ (ଅଜୟ କୁମାର ମହାନ୍ତି): ରାଜ୍ୟରେ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ କଟକ ଜିଲା ମାହାଙ୍ଗା ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ୱେଦନଶୀଳ ଘଟଣା ସାମ୍ନାକୁ ଆସିଛି। ସ୍କୁଲର ପାଇଖାନା ବ୍ୟବହାର କରିବା ଯୋଗୁ ଜଣେ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ନିର୍ଦ୍ଦୟ ଭାବେ ମାଡ଼ ମାରିବା ଫଳରେ ତାଙ୍କର ଗୋଟିଏ ଆଖି ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ମାହାଙ୍ଗା ଥାନାରେ ମାମଲା (ନଂ.- ୩୬୫/୨୦୨୬) ରୁଜୁ କରାଯାଇଛି।
ଏତଲା ଅନୁଯାୟୀ, ମାହାଙ୍ଗା ଥାନା ନୃତାଙ୍ଗ ପଞ୍ଚାୟତ ଶିରିପୁର ଗ୍ରାମର ଦିବ୍ୟାଙ୍ଗ ଝିଅ ସ୍ଥାନୀୟ ଶିରିପୁର ପ୍ରାଥମିକ ପ୍ରକଳ୍ପ ବିଦ୍ୟାଳୟରେ ୩ୟ ଶ୍ରେଣୀରେ ପଢ଼ନ୍ତି। ଗତ ସେପ୍ଟେମ୍ୱର ୩ରେ ସେ ବିଦ୍ୟାଳୟ ପାଇଖାନାରେ ଝାଡ଼ା ବସିଥିବାରୁ, ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମମତା ଦେହୁରୀ ଉତ୍ତ୍ୟକ୍ତ ହୋଇ ତାଙ୍କୁ ମାଡ଼ ମାରିଥିଲେ। ମାଡ଼ ଯୋଗୁ ଛାତ୍ରୀଙ୍କ ବାମ ଆଖିର ଡୋଳା ଫାଟିଯାଇଥିଲା। ତେବେ ଘଟଣାକୁ ଲୁଚାଇବା ପାଇଁ ଶିକ୍ଷୟିତ୍ରୀଜଣକ ସ୍କୁଲ ରୋଷେୟା (ସହାୟିକା)ଙ୍କ ହାତରେ ଛାତ୍ରୀଙ୍କୁ ଘରକୁ ପଠାଇ ଦେଇଥିଲେ। ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ଏବଂ କଟକର ଏକ ଘରୋଇ ଚକ୍ଷୁ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ସ୍ଥିତି ଜଟିଳ ହେବାରୁ, ଗତ ୬ ତାରିଖରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚକ୍ଷୁ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ତେବେ ଡାକ୍ତରଙ୍କ କହିବା ଅନୁଯାୟୀ, ଆଘାତ ଯୋଗୁ ଛାତ୍ରୀଙ୍କ ବାମ ଚକ୍ଷୁଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।
ଘଟଣାକୁ ନେଇ ପୀଡ଼ିତାଙ୍କ ବାପା ବ୍ଲକ ଶିକ୍ଷା ଅଧିକାରିଣୀ, ସାଲେପୁର ଉପଖଣ୍ଡ ପୋଲିସ ଅଧିକାରୀ, କଟକ ଗ୍ରାମାଞ୍ଚଳ ଏସ୍ପି, ଜିଲାପାଳ ଓ ଜିଲା ଶିକ୍ଷା ଅଧିକାରୀଙ୍କ ନିକଟକୁ ଏତଲାର ନକଲ ପଠାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅନ୍ୟପଟେ ଅଭିଯୁକ୍ତା ଶିକ୍ଷୟିତ୍ରୀ ମମତା ଦେହୁରୀ ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି କହି ଖଣ୍ଡନ କରିଛନ୍ତି। ଅଭିଯୋଗର ତଦନ୍ତ ଆରମ୍ଭ ହୋଇଥିବା ମାହାଙ୍ଗା ଥାନାଧିକାରୀ ଯୁଗୋଳ କିଶୋର ଦାସ କହିଛନ୍ତି। ସେହିପରି ମଣ୍ଡଳ ଶିକ୍ଷା ଅଧିକାରିଣୀ ମୋନାଲିସା ସର୍କାର ପ୍ରକାଶ କରିଛନ୍ତି,ବିଭାଗୀୟ ତଦନ୍ତ ପ୍ରକ୍ରିୟା ଜାରି ରହିଛି ଏବଂ ରିପୋର୍ଟ ଆସିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।