ଦୀପାବଳି ପାଇଁ ଆସିଲା ଗାଇଡ୍‌ଲାଇନ: ରାତି ୯ଟା ସୁଦ୍ଧା ବାଣଫୁଟା, ନିୟମ ଉଲଘଂନ କଲେ…

Oct 31, 2026 - 19:02
ଦୀପାବଳି ପାଇଁ ଆସିଲା ଗାଇଡ୍‌ଲାଇନ: ରାତି ୯ଟା ସୁଦ୍ଧା ବାଣଫୁଟା, ନିୟମ ଉଲଘଂନ କଲେ…

ଭୁବନେଶ୍ୱର,୩୧।୧୦: ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଶନିବାର ଦୀପାବଳିରେ ବାଣ ଫୁଟାଇବାକୁ ନେଇ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ଗାଇଡଲାଇନରେ ସବୁଜ ବାଣ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି।

ଦୀପାବଳିକୁ ଆନନ୍ଦ ଏବଂ ଉତ୍ସାହର ସହ ପାଳନ କରିବା ସହ ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି। ଏପରିକି ଶବ୍ଦ ପ୍ରଦୂଷଣ ରୋକିବା ସହ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ସା ୭ଟାରୁ ରାତି ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଉଦ୍ୟାନ, ପାର୍କ, ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କୋର୍ଟ ଏବଂ ଧାର୍ମିକ ସ୍ଥଳରେ ମାଣ ଫୁଟାଇବାକୁ ମନା କରାଯାଇଛି। ଖୋଲା ସ୍ଥାନରେ କେବଳ ଗ୍ରୀନ କ୍ରାକର୍ସ ଫୁଟାଇବାକୁ ଅନୁମତି ଦିଆଯାଇଛି। ନିୟମ ଉଲ୍ଲଙ୍ଘନ କଲେ ଆଇନ୍‌ ଅନୁଯାୟୀ ଦଣ୍ଡବିଧାନ କରାଯିବା ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି।

ଗାଇଡଲାଇନ ଅନୁଯାୟୀ, ବାଣ କିଣିବା ପୂର୍ବରୁ ତାହା ଅସଲି ଓ ଅନୁମୋଦିତ କି ନୁହେଁ, ଯାଞ୍ଚ କରିବାକୁ କୁହାଯାଇଛି। ଏପରିକି ବାଣ ପ୍ୟାକେଟରେ CSIR-NEERIର ଲୋଗୋ ଓ QR କୋଡ ରହିଛି କି ନାହିଁ ଦେଖିବାକୁ ପରାମର୍ଶ ଦିଆଯାଇଛି । ବାଣ ତିଆରିରେ ବାରିୟମ ଓ ଅନ୍ୟ ନିଷିଦ୍ଧ ରାସାୟନିକ ପଦାର୍ଥ ବ୍ୟବହାର ଉପରେ କଟକଣା କରାଯାଇଛି। ସେହିପରି ଅଧିକ ଶବ୍ଦ କରୁଥିବା ବାଣ ନ ଫୁଟାଇବାକୁ କୁହାଯାଇଛି ।

ଛୋଟ ପିଲାମାନେ ବାଣ ଫୁଟାଉଥିବା ସମୟରେ ବଡ଼ମାନେ ସେମାନଙ୍କ ଉପରେ ନଜର ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଯଦି କୌଣସି ବାଣ ଫୁଟି ନ ଥାଏ, ତେବେ ତାହାକୁ ପୁଣି ଥରେ ଜଳାଇବାକୁ ଚେଷ୍ଟା ନ କରିବାକୁ କୁହାଯାଇଛି । କାରଣ ଏହାଦ୍ୱାରା ଦୁର୍ଘଟଣା ଘଟିବାର ଆଶଙ୍କା ଯଥେଷ୍ଟ ବଢ଼ିଥାଏ। ଦୀପାବଳି ଖୁସି ଯେପରି ଅନ୍ୟମାନଙ୍କ ପାଇଁ ଅସୁବିଧାର କାରଣ ନ ହୁଏ, ସେଥିପ୍ରତି ସମସ୍ତେ ସଚେତନ ରହିବାକୁ କୁହାଯାଇଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।