ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ
ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର ତଥା ସମାଜସେବୀ ଅନିରୁଦ୍ଧ ନାଏକ (୭୪)ଙ୍କର ସୋମବାର ରାତି ପ୍ରାୟ ୮:୪୦ ମିନିଟରେ ପରଲୋକ ହୋଇଯାଇଛି। ସେ ଦୀର୍ଘ ୧ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ପକ୍ଷାଘାତ ଜନିତ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଥିଲେ। ମୃତ୍ୟୁ ସମୟରେ ତାଙ୍କ ପରିବାରବର୍ଗ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ। ତାଙ୍କ ନିଧନ ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।
ସ୍ୱର୍ଗତ ନାଏକ କେବଳ ଜଣେ ପୂଜକ ନଥିଲେ, ବରଂ ଜଣେ ସମର୍ପିତ ସମାଜସେବୀ ଓ ସଂସ୍କୃତିପ୍ରେମୀ ଭାବେ ବେଶ୍ ଆଦରଣୀୟ ଥିଲେ। ସେ ୨୦୦୦ ମସିହାରେ ଆରମ୍ଭ ହୋଇଥିବା ‘ନବଜୀବନ ଯୁବ ଅନୁଷ୍ଠାନ’ର ପ୍ରତିଷ୍ଠାତା ଥିଲେ ଏବଂ ୨୦୦୨ ମସିହାରେ ଅନୁଷ୍ଠାନର ପଞ୍ଜୀକରଣ ପରେ ପ୍ରଥମ ଉପସଭାପତି ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇଥିଲେ। ମା’ ମାଣିକେଶ୍ୱରୀଙ୍କ ଅନନ୍ୟ ଭକ୍ତ ଭାବେ ସେ ପ୍ରସିଦ୍ଧ ଜେନାମରା ବା ଛତର ଯାତ୍ରା ସମୟରେ ମନ୍ଦିରର ଡୋକରୀ ଦେବୀଙ୍କ ନିଶାନ ବାହକ ଭାବେ ଜେନଖଳକୁ ନିଶାନ ବୋହି ନେବାର ପରମ୍ପରା ନିଷ୍ଠାର ସହ ପାଳନ କରୁଥିଲେ।
ତାଲବନ୍ଧ ପଡ଼ାରେ ଆୟୋଜିତ ମା’ ମହାକାଳୀ ଦେବୀ ଓ ବାବା ଅଗ୍ନି ଭୈରବ ଦେବଙ୍କ ଝାମୁଯାତ୍ରା (ଭୈରବ ବା ବେଙ୍ଗୁଲି ଦେବୀ ଯାତ୍ରା) ଅବସରରେ ସେ ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ୱ କାଳ ଭୈରବ କାଳିସୀ ଭାବେ କାଳିସୀ ଖେଳି ଅଗ୍ନି ପରୀକ୍ଷା ଦେଇ ଆସୁଥିଲେ। ଏତଦ୍ବ୍ୟତୀତ, ନିଜର ହାସ୍ୟରସାତ୍ମକ କଳା ମାଧ୍ୟମରେ ସେ ଲୋକଙ୍କୁ ଆନନ୍ଦିତ କରୁଥିଲେ।
ସୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ ମଙ୍ଗଳବାର ସକାଳେ ତାଙ୍କ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତି, ରାଜନେତା, ଶ୍ରଦ୍ଧାଳୁ, ସମାଜସେବୀ ଓ ଗ୍ରାମବାସୀ ପହଞ୍ଚି ଶେଷ ଦର୍ଶନ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ଏକ ଶୋକାକୁଳ ପରିବେଶରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ତାଙ୍କ ବିୟୋଗରେ ଅଞ୍ଚଳବାସୀ ଜଣେ ସଚ୍ଚୋଟ, ନମ୍ର, ଧର୍ମପରାୟଣ ଓ ସମାଜସେବୀଙ୍କୁ ହରାଇଲେ ବୋଲି ଶୋକପ୍ରକାଶ କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।