ଦୁଃଖଦ…୯ ଦିନ ଛାତିରେ କଳସ ରଖି କରିଥିଲେ ପୂଜା, ନବରାତ୍ର ପରଦିନ ଚାଲିଗଲା ମହିଳାଙ୍କ ଜୀବନ

Oct 21, 2026 - 16:30
ଦୁଃଖଦ…୯ ଦିନ ଛାତିରେ କଳସ ରଖି କରିଥିଲେ ପୂଜା, ନବରାତ୍ର ପରଦିନ ଚାଲିଗଲା ମହିଳାଙ୍କ ଜୀବନ

ପାଟନା,୨୧।୧୦: ନବରାତ୍ରରେ ଦୀର୍ଘ ୯ ଦିନ ଧରି ଛାତି ଉପରେ କଳସ ରଖି ମା’ ଦୁର୍ଗାଙ୍କ ଆରାଧନା କରୁଥିବା ଜଣେ ୩୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି । ବିହାରର ସୁପୌଲ୍‌ ଜିଲାର ତ୍ରିବେଣୀଗଞ୍ଜ ବଜାରସ୍ଥିତ ଦୁର୍ଗା ମନ୍ଦିର ପରିସରରେ ସେ ଏହି ଧାର୍ମିକ ଅନୁଷ୍ଠାନ କରୁଥିଲେ। ବୁଧବାର ସକାଳେ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତ ମହିଳା ଜଣକ ହେଉଛନ୍ତି ତ୍ରିବେଣୀଗଞ୍ଜ ନଗର ପରିଷଦର ୱାର୍ଡ ନମ୍ବର-୪ର ବାସିନ୍ଦା ବୀରେନ୍ଦ୍ର ଯାଦବଙ୍କ ପତ୍ନୀ ସଚିତା ଦେବୀ। ତାଙ୍କ ଅଚାନକ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।
ପରିବାର ସଦସ୍ୟଙ୍କ ସୂଚନା ଅନୁଯାୟୀ, ସଚିତା ଦେବୀ ନବରାତ୍ରର ପ୍ରଥମ ଦିନରୁ ତ୍ରିବେଣୀଗଞ୍ଜ ବଜାରସ୍ଥିତ ଦୁର୍ଗା ମନ୍ଦିର ପରିସରରେ ଛାତି ଉପରେ କଳସ ରଖି ମା’ଙ୍କ ଆରାଧନା କରୁଥିଲେ । ନଅ ଦିନର ଧାର୍ମିକ ଅନୁଷ୍ଠାନ ଶେଷ ହେବା ପରେ ମଙ୍ଗଳବାର ସେ ଘରକୁ ଫେରିଥିଲେ।

କିନ୍ତୁ ଘରକୁ ଫେରିବା ପରେ ରାତିରେ ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା। କିଛି ସମୟ ପରେ ତାଙ୍କୁ ସାମାନ୍ୟ ଆରାମ ମିଳିଥିଲେ ମଧ୍ୟ ବୁଧବାର ସକାଳେ ପୁଣି ଛାତିରେ ଯନ୍ତ୍ରଣା ହୋଇଥିଲା। ଏହାପରେ ପରିବାର ଲୋକେ ତାଙ୍କୁ ତ୍ରିବେଣୀଗଞ୍ଜ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତରଖାନାରେ ଉପସ୍ଥିତ ଡାକ୍ତର ଉମେଶ କୁମାର ମଣ୍ଡଳ କହିଛନ୍ତି ଯେ, ବୁଧବାର ସକାଳେ ମହିଳାଙ୍କୁ ଛାତିରେ ଯନ୍ତ୍ରଣା ହେଉଥିବା ଅଭିଯୋଗ ସହ ଡାକ୍ତରଖାନାକୁ ଅଣାଯାଇଥିଲା। ଯାଞ୍ଚ ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ଡାକ୍ତରଙ୍କ ଅନୁସାରେ, ଶରୀରରେ ଜଳୀୟ ଅଂଶର ଅଭାବ ବା ଡିହାଇଡ୍ରେସନ୍‌ ଏବଂ ହୃଦ୍‌ଜନିତ ସମସ୍ୟା ମୃତ୍ୟୁର ସମ୍ଭାବ୍ୟ କାରଣ ହୋଇପାରେ । ତେବେ ସଚିତା ଦେବୀଙ୍କ ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ଆନୁଷ୍ଠାନିକ ଭାବେ ସ୍ପଷ୍ଟ ହୋଇନାହିଁ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।