ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

Oct 03, 2026 - 23:08
ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ କ୍ରମେ ଆନନ୍ଦପୁର ଉପଖଣ୍ଡରେ ନିରାପତ୍ତା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି।

ଏହି ପ୍ରସ୍ତୁତିର ଅଂଶସ୍ୱରୂପ, ଶନିବାର ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡା, ନନ୍ଦିପଦା ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି, ଘସିପୁରା ଥାନାଧିକାରିଣୀ ମିତାଲି ମଧୁଲିତା ବିଶ୍ୱାଳ ଏବଂ ଅନ୍ୟ ପୋଲିସ ଅଧିକାରୀମାନେ ଅଞ୍ଚଳର ବିଭିନ୍ନ ବ୍ୟାଙ୍କ, ଆର୍ଥିକ ଅନୁଷ୍ଠାନ ଓ ଗୋଲ୍ଡ ଲୋନ୍ ସଂସ୍ଥାଗୁଡ଼ିକୁ ପରିଦର୍ଶନ କରି ନିରାପତ୍ତା ସ୍ଥିତିର ସବିଶେଷ ଯାଞ୍ଚ କରିଛନ୍ତି।

ପୋଲିସ ଟିମ୍ ପକ୍ଷରୁ ସମସ୍ତ ଅନୁଷ୍ଠାନର ସିସିଟିଭି କ୍ୟାମେରା, ଜରୁରୀକାଳୀନ ଆଲାରାମ୍ ସିଷ୍ଟମ ଓ ସୁରକ୍ଷା କର୍ମୀଙ୍କ ନିୟୋଜନ ବ୍ୟବସ୍ଥାର ତଦାରଖ କରାଯାଇଛି। ସମ୍ପୃକ୍ତ ସଂସ୍ଥାଗୁଡ଼ିକର କର୍ତ୍ତୃପକ୍ଷଙ୍କୁ ସଦାସର୍ବଦା ସତର୍କ ରହିବାକୁ ଏବଂ କୌଣସି ସନ୍ଦେହଜନକ ବ୍ୟକ୍ତି କିମ୍ବା ଗତିବିଧି ନଜରକୁ ଆସିଲେ ତୁରନ୍ତ ସ୍ଥାନୀୟ ପୋଲିସକୁ ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି।

ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ଅପରାଧମୁକ୍ତ ପାର୍ବଣ ପାଳନ ସୁନିଶ୍ଚିତ କରିବା ପାଇଁ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ ଦାୟିତ୍ୱ ନିର୍ବାହ କରୁଛି ବୋଲି ଏସଡିପିଓ ଶ୍ରୀ ପଣ୍ଡା ଓ ଉଭୟ ଥାନାଧିକାରୀ କହିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।