ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

Sep 21, 2026 - 09:39
ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି ଅତୀତର କାହାଣୀ ନୁହେଁ ବରଂ ଏକ ଜୀବନ୍ତ ବାସ୍ତବତା। ଉକ୍ତ ବାଳିକାମାନଙ୍କ ମା’ ଓ ଜେଜେମା’ମାନେ ଯେଉଁ ଦୁଶ୍ଚକ୍ରରୁ ବର୍ତ୍ତିପାରି ନ ଥିଲେ, ସେଥିରୁ ବର୍ତ୍ତିବା ପାଇଁ ୭ ବର୍ଷ ବୟସରେ ସେମାନଙ୍କ ବିବାହ ସ୍ଥିର କରାଯାଇଥାଏ।
ଗଣିକା ଗ୍ରାମ ଭାବେ ପରିଚିତ ଗୁଜରାଟ ବନାସକାଣ୍ଠା ଜିଲା ଓ୍ବାଡ଼ିଆ ଗାଁ ଅହମଦାବାଦଠାରୁ ୨୦୦ କି.ମି. ଦୂରରେ ଅବସ୍ଥିତ। ଲିଙ୍ଗଗତ ସମାନତା ଆକାଂକ୍ଷା ରଖୁଥିବା ଭାରତଠାରୁ ସମ୍ପୂର୍ଣ୍ଣ ଦୂରରେ ଏମିତି ଏକ ଦୁନିଆ ଅଛି, ଯେଉଁଠି ଇତିହାସ ଦ୍ୱାରା ଲଦିଦିଆଯାଇଥିବା ଭୂମିକାଠାରୁ ମୁକ୍ତ ହେବା ପାଇଁ ମହିଳାମାନେ ସଂଘର୍ଷ କରୁଛନ୍ତି। ପାରମ୍ପରିକ ଭାବେ ଏହି ଯାଯାବର ଆଦିବାସୀ ଗ୍ରାମର ମହିଳାମାନେ ବହୁ ପିଢ଼ି ଧରି ଦେହ ବ୍ୟବସାୟ କରିବାକୁ ବାଧ୍ୟ ହୋଇଆସୁଛନ୍ତି ଓ ପୁରୁଷମାନେ ସେମାନଙ୍କ ଏଜେଣ୍ଟ ଭାବେ କାର୍ଯ୍ୟ କରିଥାନ୍ତି। ଗାଁର ପୁରୁଷମାନେ ପ୍ରତିଦିନ ସକାଳୁ ପଲାନପୁର ଥାରାଡ୍‌ ରାଜପଥ କଡ଼ରେ ଧାଡ଼ିରେ ଛିଡାହୁଅନ୍ତୁ, କୌଣସି କାମ ସନ୍ଧାନରେ ନୁହେଁ, ବରଂ ଗ୍ରାମର ମହିଳାମାନଙ୍କ ପାଇଁ ଗ୍ରାହକ ସଂଗ୍ରହ କରିବା ପାଇଁ। ସେମାନେ ଲାଇନ୍‌ରେ ଛିଡ଼ାହୋଇ ସେହି ବାଟ ଦେଇ ଯାଇଥିବା ଟ୍ରକ୍‌ ଡ୍ରାଇଭର, ପଥିକ, ଓ ପଡ଼ୋଶୀ ଗ୍ରାମ ଓ ସହରର ଲୋକମାନଙ୍କୁ ଗାଁ ମହିଳାଙ୍କ ଗ୍ରାହକ ହେବାକୁ ନିବେଦନ କରିଥାନ୍ତି।
ଭାରତରେ ଯଦିଓ ବାଲ୍ୟ ବିବାହ ନିଷିଦ୍ଧ ହୋଇଛି, ତଥାପି ଓ୍ବାଡ଼ିଆ ଗ୍ରାମ ଏବେ ବି ଅତୀତର ଚିନ୍ତାଧାରା ଦ୍ୱାରା ବାନ୍ଧିହୋଇ ରହିଛି, ଯେଉଁଠି ଅତୀତର କୁପ୍ରଥା ବର୍ତ୍ତମାନ ଉପରେ ପ୍ରଭାବ ପକାଉଛି। ନିଜ ନାବାଳିକା ଝିଅମାନଙ୍କ ନିର୍ବନ୍ଧ କରିଦେବାକୁ ସେମାନେ ଏକ ସୁରକ୍ଷା କବଚ ଭାବେ ଦେଖିଥାନ୍ତି। ଦେହ ବ୍ୟବସାୟରେ ପଶିବାକୁ ବାଧ୍ୟ ହେବା ପୂର୍ବରୁ ସେମାନଙ୍କୁ ଗ୍ରାମ ବାହାରେ ବାହାହେବାର ଏକ ସୁଯୋଗ ମିଳିଥାଏ। ୭୫୦ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ ଝିଅମାନଙ୍କୁ ଦେହ ବ୍ୟବସାୟରୁ ଦୂରେଇ ରଖିବାର ଏକମାତ୍ର ଉପାୟ ହେଉଛି ଛୋଟବେଳୁ ସେମାନଙ୍କ ବିବାହ ସ୍ଥିର କରିଦେବା।

Dharitri – Odisha’s No.1, Most Trusted Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।