ଧରାପଡ଼ିଲେ ନକଲି ଏମ୍ଭିଆଇ
ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ ଚକାପାଦ ଗ୍ରାମ ତୋଟାସାହିର ଧର୍ମେନ୍ଦ୍ର କୁମାର ବେହେରା ଓରଫ ନିଖିଲ କୁମାର ପଟ୍ଟନାୟକ (୩୦)। ଧର୍ମେନ୍ଦ୍ର ନିଜକୁ ଏମ୍ଭିଆଇ କହି ଗାଡି ଯାଞ୍ଚ କରି ଅର୍ଥ ଲୁଟିବା ସହ ଜଣେ ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଯୌନଶୋଷଣ କରିଥିବା ଅଭିଯୋଗ ହୋଇଛି।
ଧର୍ମେନ୍ଦ୍ର ଏମ୍ଭିଆଇ ୟୁନିଫର୍ମ ପିନ୍ଧିବା ସହ ଗାଡିରେ କମଳା ରଙ୍ଗ ଲାଇଟ ଲଗାଇ ଚକାପାଦ ସମେତ ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଗାଡି ଅଟକାଇ ଯାଞ୍ଚ କରୁଥିଲେ। ଏଥିସହ ଅନେକ ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଆର୍ଥିକ ଶୋଷଣ କରୁଥିଲେ ା ପ୍ରାୟ ବର୍ଷକ ତଳେ ଜଣେ ମହିଳାଙ୍କ ସହ ପରିଚିତ ହୋଇ ତାଙ୍କ ପରିବାରର ବିଶ୍ୱାସ ଜିତି ବିବାହ କରିବେ ବୋଲି ପ୍ରସ୍ତାବ ଦେଇଥିଲେ ା କେବଳ ଏତିକି ନୁହେଁ, ବରିଷ୍ଠ ସରକାରୀ ଅଧିକାରୀଙ୍କ ସହ ନିଜର ପ୍ରଭାବ ଥିବା ଏବଂ ସରକାରୀ ଚାକରି କରାଇ ଦେବାକୁ କହି ମହିଳାଙ୍କୁ ଟଙ୍କା ମାଗିଥିଲେ। ଏଥିରେ ବିଶ୍ୱାସ କରି ମହିଳା ଜଣକ ଗତବର୍ଷ ସେପ୍ଟେମ୍ବର ୨୬ରୁ ଜାନୁୟାରୀ ୨୦ ତାରିଖ ମଧ୍ୟରେ ୭ ଲକ୍ଷ ୧୮ ହଜାର ୮୫୧ ଟଙ୍କା ବିଭିନ୍ନ କିସ୍ତିରେ ଫୋନ ପେ ମାଧ୍ୟମରେ ଧର୍ମେନ୍ଦଙ୍କ ଆକାଉଣ୍ଟକୁ ପଠାଇଥିଲେ। ହେଲେ ବିବାହ ଏବଂ ଟଙ୍କା କଥା ଉଠିବାରୁ ଫୋନ ବନ୍ଦ କରି ଦେଇଥିଲେ। ଏ ନେଇ ମହିଳା ଜଣକ ସାରଙ୍ଗଡ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାକୁ ଗୁରତ୍ୱର ସହ ନେଇ ନଂ.୧୩୨/୨୬ରେ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ଧର୍ମେନ୍ଦ୍ରଙ୍କୁ ପାବୁରିଆ ଛକ ନିକଟରୁ ଧରିବା ସହ ସେ ପିନ୍ଧିଥିବା ୟୁନିପର୍ମ, ଗାଡିକୁ ଜବତ କରାଯାଇଥିଲା ବୋଲି ଶନିବାର ଜିଲା ପୋଲିସ କାର୍ଯାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍ପି ରମେନ୍ଦ୍ର ପ୍ରସାଦ ସୂଚନା ଦେଇଛନ୍ତି।
ଧର୍ମେନ୍ଦ୍ର ଏକାଧିକ ମହିଳାଙ୍କୁ ବିବାହ ପ୍ରସ୍ତାବ ପଠାଇ ମିଥ୍ୟା ପ୍ରତିଶ୍ରୁତି ଦେଇ ଆର୍ଥିକ ଏବଂ ଯୌନ ଶୋଷଣ କରୁଥିବା ଅଭିଯୋଗ ରହିଛି। ଠକେଇରୁ ମିଳୁଥିବା ଅର୍ଥରେ ସେ ବିଳାସପୂର୍ଣ୍ଣ ଜୀବନଯାପନ କରୁଥିବା ଜଣାପଡିଛି। ଏହାର ଅଧିକ ତଦନ୍ତ ଜାରି ରହିଛି ବୋଲି ଏସ୍ପି କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।