ନିୟମରେ ବଡ଼ ପରିବର୍ତ୍ତନ! ମାତ୍ର ୧୫୦୦ ଟଙ୍କାରେ ମିଳିବ ବାର୍ଷିକ FASTag ପାସ୍, ଜାଣଣନ୍ତୁ କିପରି
ନୂଆଦିଲ୍ଲୀ,୨୮।୧୦(ପି.ଟି.): ଜାତୀୟ ରାଜପଥ (ଏନ୍ଏଚ୍) ଟୋଲ୍ ପ୍ଲାଜାର ୨୦ କିଲୋମିଟର ପରିସର ମଧ୍ୟରେ ବସବାସ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଆସନ୍ତା ନଭେମ୍ବର ୧ରୁ ନୂଆ ବାର୍ଷିକ ରିହାତି ଫାସ୍ଟାଗ୍ ପାସ୍ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି। ସଡ଼କ ପରିବହନ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ, ଜାତୀୟ ରାଜପଥ ଆଇନ-୧୯୫୬ ର ‘ନ୍ୟାଶନାଲ ହାଇୱେ ଫି (ଫି ନିର୍ଦ୍ଧାରଣ ଓ ଆଦାୟ) (ପଞ୍ଚମ ସଂଶୋଧନ) ନିୟମାବଳୀ, ୨୦୨୬’ ଅଧୀନରେ ଏହି ନୂତନ ନିୟମ ଲାଗୁ କରାଯାଇଛି। ତଦନୁଯାୟୀ, ମ୍ୟୁନିସିପାଲିଟି କିମ୍ବା ସ୍ଥାନୀୟ ପୌର ଅଞ୍ଚଳ ସୀମା ବାହାରେ ଥିବା ଟୋଲ୍ ପ୍ଲାଜାଗୁଡ଼ିକ ପାଇଁ ବାର୍ଷିକ ପାସ୍ ଫି ୧,୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ପୌରାଞ୍ଚଳ ସୀମା ମଧ୍ୟରେ ଥିବା ଟୋଲ୍ ପ୍ଲାଜା ପାଇଁ ଏହି ବାର୍ଷିକ ଫି’ ୩,୦୦୦ ଟଙ୍କା ରହିବ। ବର୍ତ୍ତମାନ ସ୍ଥାନୀୟ ଲୋକଙ୍କ ପାଇଁ ମାସିକ ୩୬୦ ଟଙ୍କାର ପାସ୍ ମିଳୁଛି, ଯାହା ବାର୍ଷିକ ହିସାବରେ ୪,୩୨୦ ଟଙ୍କା ହେଉଛି। ନୂତନ ବାର୍ଷିକ ପାସ୍ ଦ୍ୱାରା ଟୋଲ୍ ପ୍ଲାଜା ନିକଟ ଯାତ୍ରୀଙ୍କର ଯଥେଷ୍ଟ ଅର୍ଥ ସଞ୍ଚୟ ହେବ।
ତେବେ ୨୦ କିଲୋମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ଅଞ୍ଚଳରେ ରହୁଥିବା ଏବଂ ବୈଧ ଫାସ୍ଟ୍ୟାଗ୍ ଥିବା ଅଣବ୍ୟବସାୟିକ ଚାରିଚକିଆ ଯାନବାହନ ମାଲିକମାନେ ଏହି ସୁବିଧା ପାଇପାରିବେ। ଏହି ପାସ୍ କେବଳ ନିର୍ଦ୍ଦିଷ୍ଟ ଗୋଟିଏ ଟୋଲ୍ ପ୍ଲାଜା ପାଇଁ କାର୍ଯ୍ୟକାରୀ ହେବ ଏବଂ ଅନ୍ୟ କୌଣସି ଟୋଲ୍ ପ୍ଲାଜାକୁ ହସ୍ତାନ୍ତର କରାଯାଇପାରିବ ନାହିଁ। ‘କ୍ଲୋଜଡ୍ ୟୁଜର୍ ଫି କଲେକ୍ସନ ସିଷ୍ଟମ’ରେ ଚାଲୁଥିବା ଜାତୀୟ ରାଜପଥ କିମ୍ବା ଏକ୍ସପ୍ରେସ୍ୱେରେ ଏହି ସ୍ଥାନୀୟ ରିହାତି ପାସ୍ ମିଳିବ ନାହିଁ।
ସେହିପରି ଯେଉଁ ସ୍ଥାନଗୁଡ଼ିକରେ ଗମନାଗମନ ପାଇଁ ପୃଥକ୍ ସର୍ଭିସ ରୋଡ୍ କିମ୍ବା ବିକଳ୍ପ ରାସ୍ତା ଉପଲବ୍ଧ ରହିଛି, ସେଠାରେ ମଧ୍ୟ ଏହି ପାସ୍ ଜାରି କରାଯିବ ନାହିଁ। ସାରା ଦେଶରେ ୧୩ କୋଟିରୁ ଅଧିକ ଫାସ୍ଟାଗ୍ ଜାରି କରାଯାଇଥିବାବେଳେ ଟୋଲ୍ ପ୍ଲାଜା ନିକଟସ୍ଥ ବାସିନ୍ଦାଙ୍କ ପାଇଁ ଯାତାୟାତକୁ ଅଧିକ ସୁଲଭ ଓ ସହଜ କରିବା ଏହି ନିଷ୍ପତ୍ତିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ ପ୍ରକାଶ କରିଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।