ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

Sep 19, 2026 - 11:02
ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ. ଗ୍ରାହାମ ସ୍ୟାଙ୍କସନିଂ ରୁଷିଆ ଆଣ୍ଡ ଇରାନ ଆକ୍ଟ ଅଫ ୨୦୨୬’ ନାମକ ଆଇନରେ ସ୍ବାକ୍ଷର କରିଛନ୍ତି।
ଏହି ଆଇନ ପରେ ରୁଷିଆରୁ ବହୁ ପରିମାଣରେ ତେଲ ଓ ପ୍ରାକୃତିକ ଗ୍ୟାସ କିଣୁଥିବା ଦେଶଗୁଡ଼ିକ ଉପରେ ଭାରୀ ଟାରିଫ ଲଗାଇବା ପାଇଁ ଟ୍ରମ୍ପ ପ୍ରଶାସନକୁ ନୂଆ ଆଇନଗତ ଅଧିକାର ମିଳିଛି। ଏହି ଆଇନକୁ ନେଇ ଭାରତ ଓ ଚାଇନାକୁ ନେଇ ବିଶେଷ ଚର୍ଚ୍ଚା ହେଉଛି। ଉଭୟ ଦେଶ ରୁଷିଆରୁ ବହୁ ପରିମାଣରେ କଚା ତେଲ ଆମଦାନୀ କରୁଛନ୍ତି।

ତେବେ ଏହି ଆଇନରେ ଭାରତ କିମ୍ବା ଅନ୍ୟ କୌଣସି ଦେଶର ନାମ ସିଧାସଳଖ ଉଲ୍ଲେଖ କରାଯାଇନାହିଁ। ସେହିପରି ଆଇନ ସ୍ବାକ୍ଷର ହେବା ସହିତ ଭାରତ ଉପରେ ୧୦୦ ପ୍ରତିଶତ ଟାରିଫ ଲାଗୁ ହୋଇଯାଇନାହିଁ। ଆଇନ ଅନୁଯାୟୀ, ରାଷ୍ଟ୍ରପତିଙ୍କୁ ଟାରିଫ୍‌ର ହାର ନିର୍ଦ୍ଧାରଣ କରିବାର ଅଧିକାର ରହିଛି। ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆବଶ୍ୟକ କ୍ଷେତ୍ରରେ ଛାଡ଼ ଦେବାର ବ୍ୟବସ୍ଥା ମଧ୍ୟ ରହିଛି।
ନୂଆ ଆଇନ ଅନୁସାରେ, ରୁଷିଆରୁ ତେଲ କିମ୍ବା ପ୍ରାକୃତିକ ଗ୍ୟାସ କିଣୁଥିବା ପାଞ୍ଚଟି ବଡ଼ ଦେଶରୁ ଆମେରିକାକୁ ଆସୁଥିବା ସାମଗ୍ରୀ ଉପରେ ସର୍ବାଧିକ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ ଲଗାଇବାର ଅଧିକାର ରାଷ୍ଟ୍ରପତିଙ୍କୁ ମିଳିଛି। ଏହା ସହ ରୁଷିଆର ତେଲ ଉପରେ ଲାଗିଥିବା କଟକଣାକୁ ଏଡ଼ାଇବାରେ ସହାୟତା କରୁଥିବା ପାଞ୍ଚଟି ପ୍ରମୁଖ ପକ୍ଷ ଉପରେ ମଧ୍ୟ ସମାନ ଭାବେ ଟାରିଫ ଲଗାଯାଇପାରେ। ତେବେ ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୧୦୦ ପ୍ରତିଶତ ଟାରିଫ ଲଗାଇବା ବାଧ୍ୟତାମୂଳକ ନୁହେଁ। ଆଇନ କେବଳ ସର୍ବାଧିକ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ ଲଗାଇବାର ଅଧିକାର ଦେଇଛି।
ଏହି ଆଇନ ପରେ ଭାରତ ଉପରେ କେତେ ଟାରିଫ ଲାଗିବ କିମ୍ବା ଲାଗିବ କି ନାହିଁ, ତାହା ଏବେ ଆମେରିକା ପ୍ରଶାସନର ପରବର୍ତ୍ତୀ ନିଷ୍ପତ୍ତି ଉପରେ ନିର୍ଭର କରିବ। ଟ୍ରମ୍ପ ପ୍ରଶାସନ କେଉଁ ଦେଶକୁ ଲକ୍ଷ୍ୟ କରିବ ଏବଂ କେତେ ହାରରେ ଟାରିଫ ଲଗାଇବ, ସେନେଇ ଆଗାମୀ ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ ହେବ।
ଅଗଷ୍ଟର ଉପଲବ୍ଧ ତଥ୍ୟ ଅନୁଯାୟୀ, ରୁଷିଆରୁ କଚା ତେଲ ଆମଦାନୀ କ୍ଷେତ୍ରରେ ଭାରତ ପ୍ରାୟ ୧୬ ଲକ୍ଷ ବ୍ୟାରେଲ ପ୍ରତିଦିନ ସହିତ ବଡ଼ ଆମଦାନୀକାରୀ ଥିଲା। ଚାଇନା ପ୍ରାୟ ୧୧ ଲକ୍ଷ ବ୍ୟାରେଲ ପ୍ରତିଦିନ ଆମଦାନୀ କରିଥିବା ତଥ୍ୟ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ନୂଆ ଆମେରିକୀୟ ଆଇନ ଭାରତ-ଆମେରିକା ବାଣିଜ୍ୟ ସମ୍ପର୍କ ପାଇଁ ଆଗାମୀ ଦିନରେ ଗୁରୁତ୍ୱ ବହନ କରିପାରେ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।