ନୂଆ ଛାତ୍ରୀଛାତ୍ରଙ୍କୁ ସ୍ବାଗତ: ପ୍ରତିଭା ବିକାଶ ଉପରେ ଗୁରୁତ୍ୱ
ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ମଙ୍ଗଳବାର ନବାଗତ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ଅଧ୍ୟାପକ ଡ. ସୁରେନ୍ଦ୍ର ଶବରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ କଲେଜ ଅଧ୍ୟକ୍ଷ ଅଶ୍ୱିନୀ କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବାଗତ ଛାତ୍ରୀଛାତ୍ର ମାନଙ୍କୁ ସ୍ବାଗତ ଜଣାଇଥିଲେ। ମୁଖ୍ୟବକ୍ତା ଭାବେ ରସାୟନ ବିଭାଗର ମୁଖ୍ୟ ତଥା ଷ୍ଟାଫ କାଉନସିଲ ସଚିବ ଡ. କୈଳାଶ ଚନ୍ଦ୍ର ସ୍ବାଇଁ ଯୋଗଦେଇ ଛାତ୍ରଜୀବନରେ ଶୃଙ୍ଖଳା, ନିଷ୍ଠା, ନିରନ୍ତର ଅଧ୍ୟୟନ ଓ ନିଜ ପ୍ରତିଭାର ବିକାଶର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।
ଛାତ୍ରୀଛାତ୍ରମାନେ କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନ ରହି ସାହିତ୍ୟ, ସଂସ୍କୃତି ଓ ସମାଜ ସମ୍ପର୍କରେ ବ୍ୟାପକ ଜ୍ଞାନ ଆହରଣ କରିବାକୁ ସେ ପରାମର୍ଶ ଦେଇଥିଲେ। ଅଧ୍ୟାପକ ତ୍ରିଲୋଚନ ଦାସ, ସଞ୍ଜୟ କୁମାର ଭୂୟାଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରୀଛାତ୍ର ବୃନ୍ଦ ନିଜ ଶିକ୍ଷା ଜୀବନର ଏହି ନୂତନ ପର୍ଯ୍ୟାୟକୁ ସୁଯୋଗ ଭାବେ ଗ୍ରହଣ କରି ନିୟମିତ ଶ୍ରେଣୀରେ ଯୋଗଦେବା, ଅଧ୍ୟାପିକା ଅଧ୍ୟାପକ ମାନଙ୍କ ସହ ଉତ୍ତମ ସମ୍ପର୍କ ରଖିବା ଏବଂ ସହପାଠୀମାନଙ୍କ ସହ ସୁସ୍ଥ ଶିକ୍ଷାମୂଳକ ପରିବେଶ ଗଢ଼ିବାକୁ ପରାମର୍ଶ ଦେଇଥିଲେ।
ଓଡ଼ିଆ ବିଭାଗର ଅଧ୍ୟାପିକା ବର୍ଷାରାଣୀ ପାଣିଗ୍ରାହୀ ଓଡ଼ିଆ ଭାଷା, ସାହିତ୍ୟର ସମୃଦ୍ଧ ପରମ୍ପରା, ସାମ୍ପ୍ରତିକ ସ୍ଥିତିରେ ଏହାର ଗୁରୁତ୍ୱ ଏବଂ ଛାତ୍ରୀଛାତ୍ରଙ୍କ ଶିକ୍ଷାଗତ ଓ ସୃଜନଶୀଳ ବିକାଶ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଛାତ୍ରୀ ପ୍ରିୟଙ୍କା ଦଳାଇ ସଭାମଞ୍ଚ ପରିଚାଳନା କରିଥିବାବେଳେ ଛାତ୍ରୀ ପ୍ରମିତା ପଣ୍ଡା, ସରିତା ପରିଡ଼ା ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ଛାତ୍ରୀ ଶିବାନୀ ପରିଡ଼ା, ପୂଜା ଦାସ, ଦୀପିକା ସ୍ବାଇଁ, ଛାତ୍ର ଗୋପାଳ ସାହୁ, ବିଶ୍ୱଜିତ ଆଚାର୍ଯ୍ୟ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଛାତ୍ରୀଛାତ୍ର ବୃନ୍ଦ କଲେଜର ଶିକ୍ଷାମୂଳକ ପରିବେଶ ସହ ନିଜକୁ ଯୋଡ଼ିବା ସହିତ ଓଡ଼ିଆ ବିଭାଗ ପକ୍ଷରୁ ଭାଷା, ସାହିତ୍ୟ ଓ ସଂସ୍କୃତିର ଅଧ୍ୟୟନକୁ ଆଗେଇ ନେବା ପାଇଁ ପ୍ରେରଣା ପାଇଥିବା ନେଇ ମତପ୍ରକାଶ କରିଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।