ନୂତନ ପୋଡ଼ମପେଟାକୁ ଗଡ଼ିଲା ବସ: ବିଧାୟକଙ୍କ ପଦକ୍ଷେପରେ ଗ୍ରାମବାସୀ ଆଶ୍ୱସ୍ତ
ଗଞ୍ଜାମ, ୨୪।୧୦ (ଅନାଥ ତରାଇ): ଦୀର୍ଘଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତର ନୂତନ ପୋଡ଼ମପେଟା (ସିଦ୍ଧାନ୍ତ ନଗର) ଗ୍ରାମକୁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ବସ ସେବା। ଏଥିସହ ଗ୍ରାମର ଦୀର୍ଘଦିନର ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି।
ସମୁଦ୍ରକୂଳରୁ ବିସ୍ଥାପିତ ହୋଇ ନୂତନ ପୋଡ଼ମପେଟାରେ ବସବାସ କରୁଥିବା ଲୋକେ ବର୍ଷ ବର୍ଷ ଧରି ଯାତାୟାତ ଓ ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଆସୁଥିଲେ। ଗ୍ରାମକୁ କୌଣସି ଯାତ୍ରୀବାହୀ ଗାଡ଼ି ଚଳାଚଳ କରୁନଥିବାରୁ ଦୈନନ୍ଦିନ କାମରେ ବଜାର ଯିବା ହେଉ କିମ୍ବା ପାଠପଢ଼ା ପାଇଁ କଲେଜ ଯିବା, ଗ୍ରାମବାସୀ ଓ ଛାତ୍ରଛାତ୍ରୀଙ୍କୁ ୫ରୁ ୭ କିଲୋମିଟର ପର୍ଯ୍ୟନ୍ତ ଚାଲିବାକୁ ପଡ଼ୁଥିଲା। ଏହାଦ୍ୱାରା ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବା ସହ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ମଧ୍ୟ ବାଧା ସୃଷ୍ଟି ହେଉଥିଲା।
ଗ୍ରାମବାସୀଙ୍କ ଏହି ସମସ୍ୟାର ସମାଧାନ ପାଇଁ କିଛିଦିନ ପୂର୍ବେ ସ୍ଥାନୀୟ ବିଜେପି ଯୁବନେତା ଜିତେନ୍ଦ୍ର ଦଳାଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କୁ ଭେଟିଥିଲେ। ଅଭିଯୋଗ ଶୁଣାଣି ଶିବିରରେ ସେମାନେ ଗ୍ରାମର ଯାତାୟାତ ଓ ପାନୀୟ ଜଳ ସମସ୍ୟା ସମ୍ପର୍କରେ ବିଧାୟକଙ୍କୁ ଅବଗତ କରାଇଥିଲେ।
ବିଧାୟକ ଶ୍ରୀ ନାୟକ ଗ୍ରାମବାସୀଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ଶୁଣିବା ସହ ଏହାର ଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏବେ ତାଙ୍କ ହସ୍ତକ୍ଷେପ ପରେ ଗ୍ରାମକୁ ମୁଖ୍ୟମନ୍ତ୍ରୀ ବସ ସେବା ଆରମ୍ଭ ହୋଇଛି। ସେହିପରି ପାନୀୟ ଜଳ ସମସ୍ୟାର ସମାଧାନ ଦିଗରେ ମଧ୍ୟ ଆବଶ୍ୟକ ପଦକ୍ଷେପ ନିଆଯାଉଛି।
ଦୀର୍ଘଦିନର ଦାବି ପୂରଣ ହେବା ସହ ଗ୍ରାମକୁ ବସ ସେବା ଆରମ୍ଭ ହୋଇଥିବାରୁ ଗ୍ରାମବାସୀ ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ଏଥିସହ ପ୍ରତିଶ୍ରୁତି ରକ୍ଷା କରି ଗ୍ରାମର ମୌଳିକ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେଇଥିବାରୁ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କୁ ଗ୍ରାମବାସୀ କୃତଜ୍ଞତା ଜଣାଇଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।