ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ
ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି। ଗତ ସପ୍ତାହରେ ବିହାରର ଜାମୁଇରେ ଘଟିଥିବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟିକରିଥିଲା। ୧୦ମ ଶ୍ରେଣୀର ଜଣେ ନାବାଳିକା ନିଜ ସହପାଠୀଙ୍କ ସହ କୋଚିଂ ସେଣ୍ଟରରୁ ବାଇକ୍ରେ ଫେରୁଥିବା ବେଳେ ସେମାନେ ରାସ୍ତାକଡ଼ରେ ଫଟୋ ଉଠାଇବା ପାଇଁ ଅଟକିଥିଲେ। ସେହି ସମୟରେ କେତେଜଣ ସ୍ଥାନୀୟ ଗୁଣ୍ଡାଶ୍ରେଣୀର ଯୁବକ ସେମାନଙ୍କୁ ଘେରିଯାଇ ଦୁର୍ବ୍ୟବହାର ଓ ଅସଦାଚରଣ କରିଥିଲେ ଏବଂ ମୋବାଇଲରେ ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ତା’ପରଦିନ ବିହାରର ସମସ୍ତିପୁରରେ ମଧ୍ୟ ଏଭଳି ସମାନ ଘଟଣା ଦେଖିବାକୁ ମିଳିଛି, ଯେଉଁଠାରେ ପୁରୁଷବନ୍ଧୁଙ୍କ ସହ ଯାଉଥିବା ନାବାଳିକା ଓ ଯୁବତୀଙ୍କୁ ଅଟକାଇ ନୈତିକତାର ପାଠ ପଢ଼ାଇବା ବାହାନାରେ ଶାରୀରିକ ଓ ଯୌନ ନିର୍ଯାତନା ଦିଆଯାଇଛି।
ନିକଟରେ ଦିଲ୍ଲୀର ଲେଡି ଶ୍ରୀରାମ କଲେଜ ନିକଟରେ ଥିବା ଆସ୍ଥାକୁଞ୍ଜ ପାର୍କରେ ଜଣେ ନାବାଳିକାଙ୍କ ଉପରେ ନୈତିକ ପହରା ନଁାରେ ଯେଉଁ ବର୍ବରତା ପ୍ରଦର୍ଶନ କରାଗଲା, ତାହା ଦିଲ୍ଲୀର ନିର୍ଭୟା କାଣ୍ଡକୁ ପୁଣି ଥରେ ମନେପକାଇଦେଇଛି। ପାର୍କକୁ ଯାଇଥିବା ଏହି ୧୭ ବର୍ଷୀୟା ନାବାଳିକା ଓ ତାଙ୍କ ବନ୍ଧୁଙ୍କୁ ଆକ୍ରମଣକରିବା ପୂର୍ବରୁ ଅପରାଧୀମାନେ ନିଜକୁ ପୋଲିସ ବୋଲି ପରିଚୟ ଦେଇଥିଲେ। ଦିଲ୍ଲୀର ସାର୍ବଜନୀନ ସ୍ଥାନଗୁଡ଼ିକରେ ପ୍ରଶାସନ ତଥା ପୋଲିସ ଦ୍ୱାରା ଯୁବତୀଯୁବକଙ୍କ ଉପରେ ଚାଲିଥିବା ଅବୈଧ ନୈତିକ ଯାଞ୍ଚ ହିଁ ଏହି ଦୁର୍ବୃତ୍ତମାନଙ୍କୁ ଅପରାଧ ଓ ପ୍ରତାରଣା କରିବା ପାଇଁ ସାହସ ଯୋଗାଇଥିଲା।
ତେବେ ସମାଜର ମହିଳା ଓ କିଶୋରୀଙ୍କ ଉପରେ ‘ନୈତିକ ପହରା’ ନାଁରେ ନିର୍ଯାତନା ଓ ଅତ୍ୟାଚାରର ଏହି ପ୍ରବୃତ୍ତି ନିକଟରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ କପିଳାସରେ ଦେଖିବାକୁ ମିଳିଛି। କପିଳାସ ପୀଠ ଏବଂ ଏହାର ଆଖପାଖ ପାହାଡ଼ିଆ ଅଞ୍ଚଳକୁ ଭ୍ରମଣରେ ଆସୁଥିବା ଛାତ୍ରୀଛାତ୍ର ତଥା କିଶୋରୀଙ୍କୁ ସ୍ଥାନୀୟ କେତେଜଣ ଯୁବକ ନୈତିକତା ଓ ସଂସ୍କୃତି ରକ୍ଷା ନାମରେ ନିୟମିତ ହଇରାଣ କରିବାର ଘଟଣା ସାମ୍ନାକୁ ଆସିଛି। ତେବେ ଜାମୁଇ, ସମସ୍ତିପୁର କିମ୍ବା କପିଳାସ ଏହି ସମସ୍ତ ଘଟଣାର ମୂଳ ଉଦ୍ଦେଶ୍ୟ କୌଣସି ତଥାକଥିତ ସଂସ୍କୃତି କିମ୍ବା ମହିଳାଙ୍କ ସୁରକ୍ଷା ନୁହେଁ, ବରଂ ‘ନୈତିକ ପହରା’ ନାଁରେ ମହିଳାଙ୍କୁ ଭୟଭୀତ କରିବା ଏବଂ ଅପରାଧ ଘଟାଇବାର ପୁରୁଷବାଦୀ ବିଚାର ରହିଛି।
‘ନୈତିକ ପହରା’ ବା ‘ମୋରାଲ ପୋଲିସିଂ’ ହେଉଛି ଏପରି ଏକ ମାନସିକତା, ଯେଉଁଠାରେ ବ୍ୟକ୍ତିଗତ ସ୍ବାଧୀନତା ଏବଂ ସାମ୍ବିଧାନିକ ଅଧିକାରକୁ ଉଲ୍ଲଂଘନ କରି କିଛି ସ୍ବାର୍ଥପର ଗୋଷ୍ଠୀ ନିଜକୁ ନୈତିକତାର ରକ୍ଷକ ବୋଲି ଘୋଷଣା କରନ୍ତି। ମହିଳାମାନେ କେଉଁଠିକି ଯିବେ, କାହା ସହ କଥା ହେବେ, କେଉଁ ପୋଷାକ ପିନ୍ଧିବେ କିମ୍ବା କେଉଁ ସମୟ ପର୍ଯ୍ୟନ୍ତ ଘର ବାହାରେ ରହିବେ ଏହି ସବୁକୁ ନିୟନ୍ତ୍ରଣ କରିବା ଏହି ମାନସିକତାର ମୂଳଲକ୍ଷ୍ୟ। ସମାଜର ପୁରୁଷବାଦୀ ମାନସିକତା ମହିଳା ଓ ଝିଅଙ୍କୁ ଜଣେ ଜଣେ ସ୍ବାଧୀନ ଚେତନା ଓ ସ୍ବତନ୍ତ୍ର ଇଚ୍ଛା ଥିବା ମଣିଷ ପରିବର୍ତ୍ତେ ପୁରୁଷମାନଙ୍କୁ ସେମାନଙ୍କର ମାଲିକ ଭାବେ ବିଚାର କରୁଛି। ବିଡ଼ମ୍ବନାର ବିଷୟ, ଏହି ନୈତିକ ପହରା ବର୍ତ୍ତମାନ ଯୌନ ନିର୍ଯାତନା ଏବଂ ବଳାତ୍କାର ଭଳି ମହିଳା ବିରୋଧୀ ଅପରାଧର ମାଧ୍ୟମ ପାଲଟିଛି।
ଏହି ସମସ୍ୟାକୁ ଆହୁରି ଜଟିଳ କରୁଛି ସରକାରରେ ଥିବା ଲୋକଙ୍କ ରାଜନୈତିକ ଏବଂ ପ୍ରଶାସନିକ ଆଭିମୁଖ୍ୟ। ଅନେକ ସମୟରେ ଘଟଣା ଘଟିବା ପରେ ଶାସନରେ ଥିବା ରାଜନୈତିକ ନେତାମାନେ ନିଜର ବିଫଳତାକୁ ଘୋଡ଼ାଇବା ପାଇଁ ଏହାକୁ ‘ଛୋଟମୋଟ ଘଟଣା’ କହି ଏଡ଼ାଇଯାଉଛନ୍ତି କିମ୍ବା ‘ମୋରାଲ ପୋଲିସିଂ ସଭ୍ୟ ଉପାୟରେ କରାଯିବା ଉଚିତ’ ବୋଲି ଅଜବ ଯୁକ୍ତି ବାଢ଼ୁଛନ୍ତି। ଏପରି ମନ୍ତବ୍ୟ ପରୋକ୍ଷରେ ଏହି ବାର୍ତ୍ତା ଦିଏ ଯେ ଜଣେ ମହିଳାଙ୍କ ଚଳପ୍ରଚଳ ଉପରେ ପ୍ରଶ୍ନ କରିବା ସମାଜର ଅଧିକାର।
ଉଦ୍ବେଗର ବିଷୟ ହେଲା, ପୁରୁଷବାଦୀ ବିଚାରରୁ ଉତ୍ପନ୍ନ ଏହି ତଥାକଥିତ ନୈତିକ ପହରା ନାଁରେ ସମାଜରେ ମହିଳାଙ୍କ ବିରୋଧରେ ଘଟୁଥିବା ହିଂସା ବିଶେଷକରି ଯୌନ ହିଂସା ପାଇଁ ସମ୍ପୃକ୍ତ ପୁରୁଷ ଅପରାଧୀ ଓ ସୁରକ୍ଷା ଦେବାରେ ବିଫଳ ଆମ ଶାସନ ବ୍ୟବସ୍ଥାକୁ ପ୍ରଶ୍ନ କରିବା ପରିବର୍ତ୍ତେ ପୀଡ଼ିତା ଝିଅଟିକୁ କାଠଗଡ଼ାରେ ଠିଆକରାଇବା ଆରମ୍ଭ କରାଯାଇଥାଏ। ପୀଡ଼ିତା ପ୍ରତି ସମର୍ଥନ ଓ ଅନୁକମ୍ପା ପ୍ରଦର୍ଶନକରିବା ବଦଳରେ ତା’ ବିରୋଧରେ ଘଟିଥିବା ଅପରାଧ ପାଇଁ ତାକୁ ଦୋଷାରୋପ କରାଯାଏ। ପ୍ରଶ୍ନ ଉଠେ, ସେ କେଉଁଠି କି ଯାଇଥିଲେ, କାହିଁକି ବାହାରକୁ ବାହାରିଥିଲେ, କାହା ସହ କଥା ହେଉଥିଲେ କିମ୍ବା କେଉଁ ପୋଷାକ ପିନ୍ଧିଥିଲେ, ସନ୍ଧ୍ୟା କିମ୍ବା ରାତିରେ କାହିଁକି ଘରୁ ବାହାରିଲେ, ଏକୁଟିଆ କାହିଁକି ଯାଇଥିଲେ ? ଏସବୁ କହି ମହିଳା ବା ଝିଅଟି ଉପରେ ଅପରାଧକୁ ସ୍ବାଭାବିକ ବୋଲି ଦର୍ଶାଇବାକୁ ଚେଷ୍ଟା କରାଯାଇଥାଏ।
ସୁରକ୍ଷା ନାମରେ ଚାଲିଥିବା ଏହି ଅଭିଭାବକତ୍ୱ ବା ପିତୃପ୍ରଧାନ ଚିନ୍ତାଧାରା ମହିଳାଙ୍କୁ ଘର ଭିତରେ ବନ୍ଦୀ ରହିବାକୁ ବାଧ୍ୟକରେ। ମହିଳାମାନେ ନିଜ ଜୀବନ ଓ ସ୍ବାଧୀନତାକୁ ସଙ୍କୁଚିତକରି ନିଜକୁ ସୁରକ୍ଷିତ ରଖିବେ ବୋଲି ଆଶାକରିବା ଏକ ସୁସ୍ଥ ଗଣତାନ୍ତ୍ରିକ ସମାଜର ଲକ୍ଷଣ ନୁହେଁ। ପୁରୁଷବାଦୀ ବିଚାରର ଯୁକ୍ତି ଅଧିକାଂଶ ସମୟରେ ମହିଳାଙ୍କ ଉପରେ ସଂଗଠିତ ହିଂସାକୁ ପରୋକ୍ଷରେ ସମର୍ଥନ କରିବା ଦେଖିବାକୁ ମିଳେ। ଯୌନ ଅପରାଧ ଘଟାଇଥିବା ପୁରୁଷଟିକୁ ତା’ର ଅପକର୍ମ ପାଇଁ ଅଙ୍ଗୁଳି ନିର୍ଦ୍ଦେଶ କରାଯିବା ପରିବର୍ତ୍ତେ ପୀଡ଼ିତାର ଚରିତ୍ର ଉପରେ ଅଧିକ ପ୍ରଶ୍ନ ଉଠାଯାଇଥାଏ। ପୀଡ଼ିତାକୁ ଜରୁରୀ ସହାନୁଭୂତି ଓ ନ୍ୟାୟର ଭରସା ଦେବା ବଦଳରେ ‘ତା’ର ଇଜ୍ଜତ ଗଲା’ ଓ ‘ସବୁକିଛି ଚାଲିଗଲା’ ଆଦି ମନ୍ତବ୍ୟ ତାକୁ ମାନସିକ ଭାବେ ଅଧିକ ଭାଙ୍ଗିଦେଇଥାଏ। ଅନେକ ସମୟରେ ବଳାକତ୍ାର ଘଟଣାରେ ପରିବାର ଓ ସମାଜର ଏଭଳି ସମ୍ବେଦନହୀନ ତଥା ମହିଳା ବିରୋଧୀ ଆଭିମୁଖ୍ୟ ପୀଡ଼ିତାଟିକୁ ହତାଶାରେ ନିଜର ପ୍ରାଣ ହରାଇବାକୁ ଉସୁକାଇଥାଏ। ଏଭଳି ମାନସିକତା ସମାଜରେ ମହିଳାଙ୍କ ବିରୋଧରେ ହିଂସା ପାଇଁ ନୈତିକ କ୍ଷେତ୍ର ପ୍ରସ୍ତୁତ କରିଥାଏ।
ଦିଲ୍ଲୀ ଘଟଣା ପରେ ସେଠାକାର ପୋଲିସ ପକ୍ଷରୁ ପାର୍କଗୁଡ଼ିକରେ ସନ୍ଧ୍ୟାରେ ମହିଳାଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ତେବେ ପ୍ରକୃତ ସୁରକ୍ଷା ନାରୀଙ୍କ ପରିସରକୁ ସୀମିତ କରିବାରେ ନାହିଁ, ବରଂ ସାର୍ବଜନୀନ ସ୍ଥାନଗୁଡ଼ିକୁ ସେମାନଙ୍କ ପାଇଁ ସୁରକ୍ଷିତ ଏବଂ ମୁକ୍ତ କରିବାରେ ରହିଛି। ସୁରକ୍ଷା ନାମରେ ନିୟନ୍ତ୍ରଣ କରିବା ବଦଳରେ ସେମାନଙ୍କୁ ସକ୍ଷମ କରିବା ପାଇଁ ବାତାବରଣ ସୃଷ୍ଟି କରିବା ଆବଶ୍ୟକ। ଏହାର ଅର୍ଥ ହେଉଛି ରାସ୍ତାଘାଟରେ କାର୍ଯ୍ୟକ୍ଷମ ଷ୍ଟ୍ରିଟ୍ ଲାଇଟ୍, ସୁରକ୍ଷିତ ଫୁଟ୍ପାଥ୍, ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ନିର୍ଭରଯୋଗ୍ୟ ସାର୍ବଜନୀନ ପରିବହନ, ସକ୍ରିୟ ସିସିଟିଭି ନେଟ୍ୱର୍କ, ଜରୁରିକାଳୀନ ପୋଲିସ ସହାୟତା ଏବଂ ନିୟମିତ ସୁରକ୍ଷା ଅଡିଟ୍। ଏହାସହ ନୈତିକତା ନାମରେ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରୁଥିବା ତଥାକଥିତ ଗୋଷ୍ଠୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିତାନ୍ତ ଜରୁରୀ।
କେବଳ ଭାଷଣରେ ‘ନାରୀ ଶକ୍ତି’ ଶବ୍ଦ ବ୍ୟବହାର କରିବା କିମ୍ବା ସ୍ଲୋଗାନ ଦେବା ଦ୍ୱାରା ଦେଶ ମହିଳାଙ୍କ ପାଇଁ ସୁରକ୍ଷିତ ହୋଇପାରିବ ନାହିଁ। ଏହାର ପ୍ରକୃତ ମାପକାଠି ହେଉଛି, ପୁରୁଷମାନେ ଯେଉଁ ସ୍ବାଧୀନତାକୁ ବିନା କୌଣସି ପ୍ରଶ୍ନରେ ଉପଭୋଗ କରନ୍ତି, ମହିଳାମାନେ ମଧ୍ୟ ସେହି ସମାନ ସ୍ବାଧୀନତା ସହ ସାର୍ବଜନୀନ ସ୍ଥାନଗୁଡ଼ିକୁ ନିଜର ବୋଲି ଦାବି କରିପାରୁଛନ୍ତି କି ନାହିଁ। ସେମାନେ ବିନା କୌଣସି ଭୟରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ କାର୍ଯ୍ୟକରିବା, ଏକାକୀ ଭ୍ରମଣ କରିବା, ନିଜ ବନ୍ଧୁମାନଙ୍କ ସହ ସମୟ ବିତାଇବା ଏବଂ ଗର୍ବର ସହ ନିଜ ଘରକୁ ଫେରିବାର ସମ୍ପୂର୍ଣ୍ଣ ଅଧିକାର ପାଇବା ଉଚିତ। ନାରୀଙ୍କୁ ସଙ୍କୁଚିତ ହେବାକୁ କହିବା ବନ୍ଦ କରି ସେମାନଙ୍କ ଅଧିକାରକୁ ସୁରକ୍ଷିତ କରିବା ଆଜିର ସମୟର ସବୁଠାରୁ ବଡ଼ ଆହ୍ବାନ।
ଭାଲଚନ୍ଦ୍ର ଷଡ଼ଙ୍ଗୀ
ମୋ : ୯୪୩୭୧୬୬୩୯୧
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।