ପଗାର ବଂଶର ମହାମିଳନ ଉତ୍ସବ: ଏକାଠି ହେଲେ ୪୫ ଖଣ୍ଡ ଗାଁର ବଂଶଜ

Nov 02, 2026 - 17:58
ପଗାର ବଂଶର ମହାମିଳନ ଉତ୍ସବ: ଏକାଠି ହେଲେ ୪୫ ଖଣ୍ଡ ଗାଁର ବଂଶଜ

କର୍ଲାମୁଣ୍ଡା, ୨।୧୧ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ଏମ. ରାମପୁର ବ୍ଲକ ଅନ୍ତର୍ଗତ ଟୁର୍ଚିଠାରେ ରବିବାର ପଗାର ବଂଶର ମହାମିଳନ ଉତ୍ସବ ମହାଆଡ଼ମ୍ବରରେ ଆୟୋଜିତ ହୋଇଯାଇଛି। ଏଥିରେ ୪୫ ଖଣ୍ଡ ଗାଁରୁ ବହୁ ସଂଖ୍ୟାରେ ବଂଶଜ ଯୋଗଦେଇ ବଂଶୀୟ ଏକତା, ଭାଇଚାରା ଓ ସାମାଜିକ ସଂହତିର ବାର୍ତ୍ତା ଦେଇଥିଲେ। ଉତ୍ସବ ଅବସରରେ ମଶାଲ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ପାରମ୍ପରିକ ରୀତିନୀତି ଅନୁସାରେ ଉତ୍ସବର ଶୁଭାରମ୍ଭ ହୋଇଥିବାବେଳେ ଜ୍ୟୋର୍ତିବିଦ ସନ୍ତୋଷ ନନ୍ଦଙ୍କ ଦ୍ୱାରା ମଞ୍ଚରେ ପୂଜାର୍ଚ୍ଚନା କରାଯାଇଥିଲା।

ମହାମିଳନ ଉତ୍ସବ କମିଟି ସଭାପତି କାମଦେବ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗ ମୁଖ୍ୟ ତଥା ଉପକୁଳସଚିବ ମେଜର ଡ. ଜୟଦେବ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କୋଶଳୀ କବି ଅର୍ଜୁନ ସାହୁ ମୁଖ୍ୟବକ୍ତା ଏବଂ ଅବସରପ୍ରାପ୍ତ ଶିକ୍ଷକ ଋଷିକେଶ ସାହୁ ଓ ସତ୍ୟବାନ ସାହୁ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ସମ୍ପାଦକ ଧର୍ମପଦ ସାହୁ ଓ କୋଷାଧ୍ୟକ୍ଷ ଲଳିତ ମୋହନ ସାହୁ ମଧ୍ୟ ମଞ୍ଚାସୀନ ଥିଲେ।
ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ, ଏହି ମହାମିଳନ ଉତ୍ସବ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ବଂଶଜଙ୍କ ମଧ୍ୟରେ ସୁସମ୍ପର୍କ ଓ ଏକତା ସ୍ଥାପନ କରିବାର ଏକ ମହତ୍ ପ୍ରୟାସ। ବଂଶର ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ସୁରକ୍ଷା ସହ ଶିକ୍ଷାର ପ୍ରସାର, ସାମାଜିକ ଏକତା ଏବଂ ଯୁବପିଢ଼ିଙ୍କ ଉନ୍ନତି ପାଇଁ ସମସ୍ତେ ଏକଜୁଟ ହେବାକୁ ସେମାନେ ଆହ୍ବାନ ଦେଇଥିଲେ।୍‌
ଏହି ଅବସରରେ ଯୁବ ଡାକ୍ତର ଡ. ଲୋକନାଥ ସାହୁଙ୍କୁ ମାନପତ୍ର ପ୍ରଦାନ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭିନ୍ନ ଗାଁରୁ ଆସିଥିବା ବିଶିଷ୍ଟ ବ୍ୟକ୍ତିବିଶେଷ, ସରପଞ୍ଚ ଓ ସମିତି ସଭ୍ୟମାନଙ୍କୁ ମଧ୍ୟ ଉତ୍ସବରେ ସମ୍ମାନିତ କରାଯାଇଥିଲା।
ଉତ୍ସବରେ ଯୁବକ ଯୁବତୀଙ୍କ ଦ୍ୱାରା ପରିବେଷିତ ନୃତ୍ୟ, ସଙ୍ଗୀତ ସମେତ ବିଭିନ୍ନ ସାଂସ୍କୃତିକ ପ୍ରସ୍ତୁତି ଦର୍ଶକଙ୍କ ମନ ମୋହିଥିଲା। ସାମ୍ବାଦିକ ପ୍ରଦୀପ କୁମାର ସାହୁ ମଞ୍ଚ ସଂଯୋଜନା କରିଥିବାବେଳେ ନୌକେଶ ସାହୁ, ରଙ୍ଗା ସାହୁ ଓ ନୀଳମଣି ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଅବସରପ୍ରାପ୍ତ ଶିକ୍ଷକ ଅଭୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।