ପାଣିପାଗ ବିଭାଗର ବଡ଼ ସୂଚନା, ଆସନ୍ତା ୪ ଦିନ ଯାଏ ଏହି ଜିଲାରେ କଲବଲ କରିବ ତାତି
ଭୁବନେଶ୍ୱର,୫ା୧୦(ବନ୍ଦନା ସେଠୀ): ରାଜ୍ୟରେ ଏବେ ତାପମାତ୍ରା ବଢ଼ୁଛି । ଖରାତାତି ସାଙ୍ଗକୁ ଗରମ ଗୁଳୁଗୁଳି ଅନୁଭୂତ ହେଉଛି । ଆସନ୍ତା ୩/୪ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ । ଏହାପରେ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ତେବେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବାର ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁସାରେ, ରବିବାର ୧୦ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିବାବେଳେ ୨ଟି ସ୍ଥାନର ତାପମାତ୍ରା ୩୬ ଡିଗ୍ରୀ ଛୁଇଁଥିଲା। ପୁରୀରେ ସର୍ବାଧିକ ୩୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଖୋର୍ଦ୍ଧାରେ ୩୬ ଡିଗ୍ରୀ, ଗୋପାଳପୁର, ଛତ୍ରପୁର ଓ ଝାରସୁଗୁଡାରେ ୩୫.୪ ଡିଗ୍ରୀ, ଚାନ୍ଦବାଲି ୩୫.୩ ଡିଗ୍ରୀ, ଢେଙ୍କାନାଳ ୩୫.୨ ଡିଗ୍ରୀ, ପାରାଦୀପ ୩୫.୧ ଡିଗ୍ରୀ ଏବଂ ଭୁବନେଶ୍ୱର ଓ ପାରଳାଖେମୁଣ୍ଡିରେ ୩୫ ଡିଗ୍ରୀ ରହିଥିଲା।
ଅନ୍ୟପକ୍ଷରେ ଆସନ୍ତା ୭ ଓ ୮ ତାରିଖରେ ବିଭିନ୍ନ ଜିଲାରେ ଝଡ଼ବର୍ଷା ହେବା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ୭ ତାରିଖ (ବୁଧବାର) ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼କୁ ୟେଲୋ ଓ୍ବାର୍ନିଂ ରହିଛି। ସେହିପରି ୮ ତାରିଖ (ଗୁରୁବାର) ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଏହାପରେ ପରେ ପାଗରେ ପରିବର୍ତ୍ତନ ଦେଖାଦେବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।