ପୁଅକୁ ଡାକ୍ତର କରିବାକୁ ଭତ୍ତା କାର୍ଡ ବନ୍ଧା ରଖିଲେ ଦିବ୍ୟାଙ୍ଗ ଦମ୍ପତି: ସମ୍ପୂର୍ଣ୍ଣ ଘଟଣା ଜାଣିଲେ…

Oct 24, 2026 - 08:16
ପୁଅକୁ ଡାକ୍ତର କରିବାକୁ ଭତ୍ତା କାର୍ଡ ବନ୍ଧା ରଖିଲେ ଦିବ୍ୟାଙ୍ଗ ଦମ୍ପତି: ସମ୍ପୂର୍ଣ୍ଣ ଘଟଣା ଜାଣିଲେ…

ଫୁଲବାଣୀ, ୨୪ା୧୦(ରାକେଶ କୁମାର ରାଉତ):ଘରର ସମସ୍ତଙ୍କଠାରୁ ସାନ ପୁଅ ଚଳିତ ବର୍ଷ ଏନ୍‌ଇଇଟି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ମାତ୍ର ନାମ ଲେଖାଇବା ପାଇଁ ମା’ ବାପାଙ୍କ ପାଖରେ ଅର୍ଥ ନାହିଁ। ଉଭୟେ ପୁଣି ଦିବ୍ୟାଙ୍ଗ। ଏଭଳି ସ୍ଥଳେ ନିଜ ଭଉଣୀ ଭାଇ ମଧ୍ୟ ସହାୟତା କରିବାକୁ ପଛଘୁଞ୍ଚା ଦେଲେ। ବିଚରା ଦିବ୍ୟାଙ୍ଗ ଦମ୍ପତି ଶେଷରେ ସେମାନଙ୍କ ବାର୍ଦ୍ଧକ୍ୟ ଭତ୍ତା କାର୍ଡକୁ ପୁଅକୁ ଡାକ୍ତର କରିବାକୁ ଯାଇ ବନ୍ଧା ପକାଇଥିଲେ। ୨୨ ହଜାର ଟଙ୍କା ନେଇ ପୁଅ ଯାଜପୁରସ୍ଥିତ ମହାରାଜା ଯଯାତି କେଶରୀ ସରକାରୀ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି। ଏଭଳି ଏକ ଘଟଣା କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଧୁସାରୀ ଗାଁରେ ଦେଖିବାକୁ ମିଳିଛି।
ଗ୍ରାମର କେପାଙ୍ଗା ସୁନାମାଝୀ, ସ୍ତ୍ରୀ ନାଗାଟାଲୁ ୪ ପୁଅ ଓ ୪ ଝିଅଙ୍କୁ ନେଇ ତାଙ୍କ ପରିବାର। ବଡ ୩ ପୁଅ ବିବାହ କରି ଅନ୍ୟତ୍ର ରହୁଥିବା ବେଳେ ୪ ଭଉଣୀ ମଧ୍ୟ ବିବାହ କରି ସାରିଛନ୍ତି। ଘରେ ସାନପୁଅ ସୁଶାନ୍ତ ସୁନାମାଝୀ ମା’ବାପାଙ୍କ ନିକଟରେ ରହିଛନ୍ତି। ସୁଶାନ୍ତ ଭଲ ପାଠ ପଢ଼ୁଥିଲେ। ଚଳିତବର୍ଷ ଏନ୍‌ଇଇଟି ପରୀକ୍ଷାରେ ସେ କୃତକାର୍ଯ୍ୟ ହୋଇଛନ୍ତି। ହେଲେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବାକୁ ପରିବାର ଲୋକଙ୍କ ପାଖରେ ଅର୍ଥ ନାହିଁ। କିପରି ନାମ ଲେଖାଇବେ ମା’ ବାପା ଓ ପୁଅ ଚିନ୍ତାରେ ଥିଲେ । ପୁଅର ଭବିଷ୍ୟତ ଏବଂ ଡାକ୍ତର ହେବାର ସ୍ବପ୍ନରେ ମା’ ବାପା ଭତ୍ତାକାର୍ଡକୁ ବନ୍ଧା ପକାଇବାକୁ ନିଷ୍ପତ୍ତି ନେଇ ଗ୍ରାମରେ ଥିବା ଏକ ଏସ୍‌ଏଚ୍‌ଜିରେ ଗୋଟିଏ କାର୍ଡ ଏବଂ ଜଣେ ଦୋକାନୀଙ୍କ ପାଖରେ ଆଉ ଗୋଟିଏ କାର୍ଡ ବନ୍ଧକ ରଖି ୨୨ ହଜାର ଟଙ୍କା ଏବଂ ଏକ ଜମିକୁ ଆଉ ଜଣଙ୍କ ପାଖରେ ବନ୍ଧକ ରଖି କିଛି ଟଙ୍କା ଆଣିବା ପରେ ସୁଶାନ୍ତଙ୍କ ଯାଜପୁରସ୍ଥିତ ମେଡିକାଲ କଲେଜରେ ନାମ ଲେଖା ହୋଇଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।