ପୂର୍ବରୁ ମିସିଂ, ଏବେ ‘ଗୋ ବ୍ୟାକ’ ହିଞ୍ଜିଳିରେ ଜୋର ଧରିଲା ରାଜନୈତିକ ଚର୍ଚ୍ଚା
ହିଞ୍ଜିଳିକାଟୁ,୭।୧୧(ଦ୍ୱିତୀକୃଷ୍ଣ ପଣ୍ଡା): ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଜିଲା ଗସ୍ତକୁ ନେଇ ପୁଣି ଚର୍ଚ୍ଚାରେ ହିଞ୍ଜିଳିକାଟୁ। ପୂର୍ବରୁ ବନ୍ୟାଞ୍ଚଳ ପରିଦର୍ଶନରେ ନବୀନ ନ ଆସିବାକୁ ନେଇ ହିଞ୍ଜିଳିକାଟୁ ବସ୍ଷ୍ଟାଣ୍ଡରେ ‘ନବୀନ ମିସିଂ’ ପୋଷ୍ଟର ଲାଗିଥିବା ବେଳେ ଏବେ ତାଙ୍କ ଗସ୍ତ ପୂର୍ବରୁ ଘୋଡ଼ାହାଡ଼ ନଦୀ ସେତୁରେ ‘ନବୀନ ଗୋ ବ୍ୟାକ’ ଲେଖାକୁ ନେଇ ରାଜନୈତିକ ମହଲରେ ପୁଣି ଚର୍ଚ୍ଚା ଜୋର୍ ଧରିଛି।
ଶନିବାର ନବୀନଙ୍କ ହିଞ୍ଜିଳି ଗସ୍ତ ପୂର୍ବରୁ ଘୋଡ଼ାହାଡ଼ ନଦୀ ସେତୁର ଲୁହା ରେଲିଂରେ ଏହି ଲେଖା ଦେଖିବାକୁ ମିଳିଥିଲା। ଘଟଣାକୁ ନେଇ ବିଜେଡି ଶିବିରରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଗସ୍ତ ପୂର୍ବରୁ ପ୍ରଶାସନ ପକ୍ଷରୁ ରେଲିଂରେ ରଙ୍ଗ ଲଗାଇ ଲେଖାକୁ ଲିଭାଇ ଦିଆଯାଇଥିଲା।
ଅନ୍ୟପକ୍ଷରେ ଏଭଳି ବିଭ୍ରାଟ ସୃଷ୍ଟିକାରୀଙ୍କୁ ଜବାବ ଦେବା ପାଇଁ ଶତାଧିକ ଯୁବ ଓ ଛାତ୍ର ବିଜେଡି କର୍ମୀ ନବୀନଙ୍କ ଗସ୍ତ ସମୟରେ ଉପସ୍ଥିତ ରହିଥିଲେ। ତେବେ ତାଙ୍କ ଗସ୍ତ ସମୟରେ କୌଣସି ଅପ୍ରୀତିକର ଘଟଣା ଘଟି ନ ଥିଲା। ତେବେ ବିରୋଧୀଦଳ ନେତାଙ୍କ ଗସ୍ତ ପୂର୍ବରୁ ‘ମିସିଂ’ ପୋଷ୍ଟର ଓ ଏବେ ‘ଗୋ ବ୍ୟାକ’ ଲେଖାକୁ ନେଇ ହିଞ୍ଜିଳିରେ ରାଜନୈତିକ ଚର୍ଚ୍ଚା ଥମିବାର ନାଁ ନେଉନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।