ପୋଖରୀରେ ବୁଡ଼ି ଚାଲିଗଲା ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ଜୀବନ, ଗାଁରେ ଶୋକ
ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ଶ୍ରେଣୀରେ ପଢୁୁଥିବା ଖଲିଙ୍ଗି ଗ୍ରାମର ପିଣ୍ଟୁ ମହାନ୍ତିଙ୍କ ପୁଅ ରାଜବୀର ମହାନ୍ତି(୭) ମାମୁଁ ଘର ଆମ୍ବଠା ଗ୍ରାମକୁ ଶ୍ରାଦ୍ଧ ଭୋଜି ଖାଇବାକୁ ଯାଇଥିଲେ। ସେ ଗାଁର ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ଅସାବଧାନତା କାରଣରୁ ଗଭୀର ପାଣିରେ ବୁଡ଼ି ଯାଇଥିଲେ। ସାଙ୍ଗରେ ଥିବା ଅନ୍ୟ ଦୁଇ ଜଣ ଦୌଡ଼ି ଆସି ପରିବାର ଲୋକଙ୍କୁ ଜଣାଇବାରୁ କିଛି ବ୍ୟକ୍ତି ଘଟଣାସ୍ଥଳରେ ପହଞ୍ଚି ରାଜବୀରଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।
ତେବେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ରାଜବୀରଙ୍କ ବାପା ପିଣ୍ଟୁ ମହାନ୍ତି ପାଟପୁର ଥାନାରେ ଏତଲା ଦେବାପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଏକ ଅପମୃତ୍ୟୁ ମାମଲା(ନଂ.୨୨/୨୬) ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ଟିମ୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।