ପ୍ରତିଦ୍ୱନ୍ଦ୍ୱିତା ବଢୁ
ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ, ଘରୋଇକରଣ ଓ ଜଗତୀକରଣ (ଏଲ୍ପିଜି) ଉପରେ ଗୁରୁତ୍ୱ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ କେତେକ ସଂସ୍ଥାକୁ ଘରୋଇକରଣ କରାଯିବା ବା ସରକାରୀ ସଂସ୍ଥାର ଅନେକ ଅଂଶଧନକୁ ଘରୋଇ କ୍ଷେତ୍ର କିଣିବା ପରେ ଡିସ୍ଇନ୍ଭେଷ୍ଟମେଣ୍ଟ ବା ଅଂଶଧନ ପ୍ରତ୍ୟାହାର ଚାଲିଲା। ସେଥିରୁ ଦେଖାଗଲା ଘରୋଇ ସଂସ୍ଥାଗୁଡ଼ିକ ସାମଗ୍ରୀ ବା ସେବା କ୍ଷେତ୍ରରେ ଭଲ ପ୍ରଦର୍ଶନ କଲେ। ଏହା ଜଣାଶୁଣା ଯେ, ଘରୋଇ ସଂସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲାଭ ଅର୍ଜନ କରିବା, ଯାହାକି ବିଶ୍ୱବ୍ୟାପୀ ଗ୍ରହଣୀୟ। କିନ୍ତୁ ଭାରତବର୍ଷରେ ଘରୋଇକରଣ ଫଳରେ କମ୍ପାନୀଗୁଡ଼ିକର ଅତ୍ୟଧିକ ଲାଭ ହେଉଥିବା ବେଳେ ଗ୍ରାହକ ଅଣଦେଖା ରହିଯାଉଛନ୍ତି। ପ୍ରାରମ୍ଭିକ ଅବସ୍ଥାରେ ଗ୍ରାହକଙ୍କୁ ସେମାନଙ୍କ ସାମଗ୍ରୀ ପ୍ରତି ଆକର୍ଷିତ କରିବା ପରେ ଅନେକ ସଂସ୍ଥା ଶୋଷଣ କରିବାରେ ଲାଗିପଡ଼ୁଛନ୍ତି। ଟେଲିକମ୍ କ୍ଷେତ୍ରକୁ ଲକ୍ଷ୍ୟ କଲେ ଆଜି ଉପଭୋକ୍ତାମାନେ ସର୍ବାଧିକ ଶୋଷଣର ଶିକାର ହେଉଛନ୍ତି।
ଆଧୁନିକ ଡିଜିଟାଲ ଅର୍ଥନୀତିରେ ଇଣ୍ଟରନେଟ୍ ସଂଯୋଗୀକରଣ ଆଉ ଏକ ବିଳାସପୂର୍ଣ୍ଣ ସାମଗ୍ରୀ ହୋଇ ରହିନାହିଁ। ଏହା ଆବଶ୍ୟକତାରେ ପରିଣତ ହୋଇଗଲାଣି। ଖାଇବା ଡେରି ହୋଇଗଲେ ଚଳିଯାଉଛି, କିନ୍ତୁ ମୋବାଇଲରେ ଡାଟା ସରିଗଲେ ବୁଦ୍ଧି ଗୁଡୁମ୍। ସରକାରୀ ଉଦ୍ୟୋଗ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍)ରୁ ସିମ୍ଟିଏ ପାଇବା ପାଇଁ ଦୁଇ ଦଶନ୍ଧି ପୂର୍ବରୁ କାଠିକରପାଠ ହେଉଥିଲା ଓ ତାହା ପୁଣି ଜଣେ ବ୍ୟକ୍ତିଙ୍କୁ ସବୁ ପ୍ରକାର ବ୍ୟକ୍ତିଗତ ପ୍ରମାଣ ଦେବା ସତ୍ତ୍ୱେ ଦୀର୍ଘ ଦିନ ଅପେକ୍ଷା କରିବାକୁ ପଡ଼ୁଥିଲା। ଜୁଲାଇ ୧୯୯୫ରେ ଏ କ୍ଷେତ୍ରକୁ ଘରୋଇ ଉଦ୍ୟୋଗ ଭାବେ ସୁନୀଲ ଭାରତୀ ମିତ୍ତଲଙ୍କ ‘ଭାରତୀ ସେଲ୍ୟୁଲାର ଲିମିଟେଡ୍’ ପ୍ରବେଶ କରିବା ପରେ ଟେଲିକମ୍ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିଲା। କିନ୍ତୁ ସେପ୍ଟେମ୍ବର ୨୦୧୬ରେ ରିଲାଏନ୍ସ ଜିଓ ବଜାର ପ୍ରବେଶ କରିବା ପରେ ଟେଲିକମ୍ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହେଲା। ଗ୍ରାହକଙ୍କୁ ମାଗଣାରେ କଥାବାର୍ତ୍ତା ସହ ଡାଟା ଶସ୍ତା କରିଦେବାରୁ ଜିଓ ଖୁବ୍ କମ୍ ସମୟରେ ବଜାରରେ ସର୍ବାଗ୍ରେ ରହିଛି। ଯେହେତୁ ଲୋକେ ତା’ ସେବାରେ ଅଭ୍ୟସ୍ତ ହୋଇଗଲେ, ତେଣିକି ତାହାର ଏକଚାଟିଆ ପଦକ୍ଷେପ ବଳବତ୍ତର ରହିଛି। ତାହା ଦେଖାଦେଖି ଅନ୍ୟ ଘରୋଇ ଓ ବିଏସ୍ଏନ୍ଏଲ୍ ମଧ୍ୟ କ୍ରମଶଃ ବିଭିନ୍ନ ପ୍ଲାନ୍ରେ ବୈଧତା ଅବଧି ହ୍ରାସ କରିବା ଏବଂ ଗ୍ରାହକମାନଙ୍କୁ ଅଧିକ ମୂଲ୍ୟର ପ୍ଲାନ୍ ନେବା ପାଇଁ ବାଧ୍ୟ କରିଚାଲୁଛନ୍ତି। ଟେଲିକମ୍ କମ୍ପାନୀଗୁଡ଼ିକ ଜାଣିଶୁଣି ଗ୍ରାହକଙ୍କୁ ଶୋଷଣ କରିଚାଲୁଛନ୍ତି, କାରଣ ସେମାନେ ଜାଣିଗଲେଣି ଲୋକଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ। ସାଧାରଣରେ ମାସକ ୩୦ ଦିନ ଧରିଲେ ସେହି ଅନୁଯାୟୀ ଡାଟା ପ୍ଲାନ୍ କରାଯାଉଥିଲା। ହେଲେ ୨୨ ଦିନିଆ, ୨୦ ଦିନିଆଠାରୁ ଆରମ୍ଭ କରି ଆଉ କେତେ କମ୍ ଦିନରେ ଅଧିକ ଅର୍ଥ ନେଇ ହେବ ସେହି ଦିଗରେ ଟେଲିକମ୍ ସଂସ୍ଥାଗୁଡ଼ିକ ଅନବରତ ଅଙ୍କ କଷିଚାଲିଛନ୍ତି। କହିବାକୁ ଗଲେ ୧୨ ମାସରେ ଗ୍ରାହକଙ୍କୁ ୧୩ କିମ୍ବା ତଦୂର୍ଦ୍ଧ୍ୱ ମାସର ଅର୍ଥ ଦେବାକୁ ପଡ଼ୁଛି। ଏହି ତଥ୍ୟକୁ ପ୍ରଚ୍ଛଦପଟରେ ରଖି ଭାରତୀୟ ନୀତିକୁ ସମ୍ପୂର୍ଣ୍ଣ ବୁଝିବା ଆବଶ୍ୟକ ହୋଇପଡ଼ିଲାଣି। ଆଜିର ସରକାର ଯେଉଁଭଳି ଆଇନ ସୃଷ୍ଟି କରୁଛନ୍ତି, ସେଥିରୁ ଅଧିକ ସଂଖ୍ୟକ ବ୍ୟବସାୟିକ ପ୍ରତିନ୍ଦ୍ୱନ୍ଦ୍ୱୀ ବଞ୍ଚତ୍ରହିବା ଅସମ୍ଭବ ହୋଇପଡୁଛି। ଘରୋଇକରଣକୁ ଆଜିର ଯୁଗରେ ବିରୋଧ କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଲାଣି। କିନ୍ତୁ ଘରୋଇକରଣର ଅର୍ଥ ଗୋଟିଏ କିମ୍ବା ଦୁଇଟି ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ନୁହେଁ। ଗ୍ରାହକଙ୍କ ଶୁଭ ଦେଖିବାର ଇଚ୍ଛା ରଖିଥିଲେ, ଆଜିର ସରକାର ଅନେକ ଘରୋଇ ସଂସ୍ଥାକୁ ପ୍ରତ୍ୟେକଟି ବ୍ୟବସାୟରେ ଉତ୍ସାହିତ କରିପାରି ଥାଆନ୍ତେ। ଉଦାହରଣସ୍ବରୂପ, ଗୋଟିଏ ଆଦାନୀ କମ୍ପାନୀକୁ ଭାରତର ସବୁ ବିମାନବନ୍ଦର, ପାଣି ବନ୍ଦର ଭଳି ଜାତୀୟ ସମ୍ପତ୍ତି ସମର୍ପି ଦେବାର ଆବଶ୍ୟକତା ନ ଥିଲା। କିନ୍ତୁ ସରକାର ଯେଉଁଭଳି ଭାବେ ନାଗରିକଙ୍କ ପ୍ରତି ଉଦାସୀନତା ଦର୍ଶାଇବାକୁ ଯାଇ କୋଇଲା ଓ ବକ୍ସାଇଟ ଖଣି ମଧ୍ୟ ଆଦାନୀକୁ ଦେଉଛନ୍ତି, ତାହା ଦେଶର ପ୍ରଗତିକୁ ଏବେଠାରୁ ଅନେକ ବାଧା ସୃଷ୍ଟି କରିବାକୁ ଆରମ୍ଭ କଲାଣି।
ବର୍ତ୍ତମାନ ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତା କମିଯାଇଥିବାରୁ ଗ୍ରାହକ ଆକର୍ଷିତ କରିବା ବଦଳରେ ଅତ୍ୟଧିକ ଲାଭ ଅର୍ଜନକୁ ରଣନୀତି କରାଯାଇ ଉପଭୋକ୍ତାଙ୍କୁ ଶୋଷଣ କରିବା ଯେମିତି ହୋଇଯାଇଛି ନୂଆ ଚିନ୍ତାଧାରା। ୫ଜି ଡାଟା କିମ୍ବା ତାହାଠାରୁ ଲୋଭନୀୟ ସେବା କଥା କୁହାଯାଇ ମୂଲ୍ୟ ବୃଦ୍ଧି କରିଦିଆଯାଉଥିବାରୁ ସାଧାରଣ ଗ୍ରାହକ ବେଶି ହନ୍ତସନ୍ତ ହେଉଛି। ଧରନ୍ତୁ, ଦମ୍ପତିି ଓ ତାଙ୍କ ଘରେ ଥିବା ଦୁଇଟି କଲେଜ ପଢ଼ୁଥିବା ପିଲା ଅଛନ୍ତି। ସେଭଳି କ୍ଷେତ୍ରରେ ସର୍ବନିମ୍ନ ୪ଟି ମୋବାଇଲରେ କାର୍ଡ ପକାଇବାକୁ ପଡୁଛି। ପିଲାମାନେ କଲେଜ ପଢ଼ା ଓ ପ୍ରୋଜେକ୍ଟ କାମ ପାଇଁ ଯେହେତୁ ଡାଟା ଉପରେ ନିର୍ଭରଶୀଳ, ସେହି କ୍ଷେତ୍ରରେ ବ୍ରଡ୍ବ୍ୟାଣ୍ଡ ବ୍ୟବହାର କରି ଅତି ଶସ୍ତା ପ୍ଲାନ ନେଲେ ମଧ୍ୟ ସବୁକୁ ମିଶାଇ ମାସକୁ ଟଙ୍କା ଦେଢ଼ ହଜାରରୁ ଦୁଇ ହଜାର ଛୁଇଁଯିବା ନିଶ୍ଚିତ। ଏଭଳି ସ୍ଥଳେ ପରିସଂଖ୍ୟାନ ଦେଖିଲେ ଭାରତରେ ବିଏସ୍ଏନ୍ଏଲ୍ର ମୋବାଇଲ ଗ୍ରାହକ ସଂଖ୍ୟା ୯ କୋଟି ୨୦ ଲକ୍ଷ ଥିବାବେଳେ ରିଲାଏନ୍ସ ଜିଓର ୫୦ କୋଟି ୮୪ ଲକ୍ଷ ଏବଂ ଏୟାରଟେଲର ୩୬ କୋଟି ୮୦ ଲକ୍ଷ ବ୍ୟବହାରକାରୀ ଅଛନ୍ତି। ଏହି ବରାଟକାୟ ସଂଖ୍ୟାର ଗ୍ରାହକ ନାକରେ ପାଣି ପିଇଲେଣି। ଜଣାପଡୁ ନ ଥିଲେ ମଧ୍ୟ ପ୍ରତ୍ୟେକ ନାଗରିକ ମୋବାଇଲ ବ୍ୟବହାର କଲାବେଳକୁ ବିପୁଳ ଅର୍ଥ ଖର୍ଚ୍ଚ କରୁଛି। ପୂର୍ବରୁ କୁହାଯାଉଥିଲା ଭାରତ ତୁଳନାରେ ଅନ୍ୟ ଦେଶରେ ଡାଟା ଖର୍ଚ୍ଚ ଯଥେଷ୍ଟ ଅଧିକ। କ୍ରମଶଃ, ପ୍ରତି ପରିବାରର ହିସାବ ଦେଖିଲେ, ଭାରତରେ ଡାଟାର ମୂଲ୍ୟ କୌଣସି ଭାବେ କମ୍ ନୁହେଁ।
ଟେଲିକମ୍ କମ୍ପାନୀଗୁଡ଼ିକ ବାରମ୍ବାର ଶୁଳ୍କ ବୃଦ୍ଧି ଓ ସେବା ଅବଧି କମାଇ ଦେଉଥିବାରୁ ଉପଭୋକ୍ତାମାନେ ଭାରତୀୟ ଟେଲିକମ୍ ନିୟନ୍ତ୍ରଣ କର୍ତ୍ତୃପକ୍ଷ (ଟ୍ରାଇ) ନିକଟରେ ଅଭିଯୋଗ କରିଥିଲେ। ଫଳରେ ଏବେ ଟ୍ରାଇ ପ୍ରିପେଡ୍ ମୋବାଇଲ ଗ୍ରାହକଙ୍କ ପାଇଁ ୩୦ ଦିନିଆ ରିଚାର୍ଜ ବ୍ୟବସ୍ଥା ଓ ଭଏସ୍ ବା ଏସ୍ଏମ୍ଏସ୍ ବିକଳ୍ପକୁ ବାଧ୍ୟତାମୂଳକ କରି ସଂଶୋଧନ ଆଣିଛନ୍ତି। ଅର୍ଥାତ୍ ଯେଉଁମାନେ ଡାଟା ଚାହୁଁ ନାହାନ୍ତି ସେମାନଙ୍କୁ ଶସ୍ତା ପ୍ଲାନ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏଭଳି ନିର୍ଦ୍ଦେଶକୁ ଟେଲିକମ୍ ସେବାପ୍ରଦାନକାରୀ ସଂସ୍ଥା କେତେଦୂର କାର୍ଯ୍ୟକାରୀ କରିବେ ତାହା ସନ୍ଦେହ ରହୁଛି। କାରଣ ଅତୀତରେ ମଧ୍ୟ ଟେଲିକମ୍ କମ୍ପାନୀଗୁଡ଼ିକ ମାର୍କେଟ କରେକ୍ଶନ ବା ବଜାର ସଂଶୋଧନକୁ ଆଳକରି ନିଜର ଯୁକ୍ତିକୁ ଠିକ୍ ଦର୍ଶାଇ ଆସିଛନ୍ତି। କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆ ଉପରେ ଗୁରୁତ୍ୱ ଦେଉଥିଲେ ମଧ୍ୟ ସାଧାରଣ ଗ୍ରାହକ ସର୍ବନିମ୍ନ ସୁବିଧା ନ ପାଇବା ଦୁର୍ଭାଗ୍ୟର ବିଷୟ। ଏଭଳି ପରିସ୍ଥିତିରେ ଭାରତ ସରକାରଙ୍କ ଚେତା ପଶିବା ଦରକାର ଏବଂ ଜନସାଧାରଣଙ୍କ ପ୍ରତି ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବା ଆବଶ୍ୟକ ହୋଇପଡ଼ିଲାଣି। ବେପାରୀ ଲାଭ କରନ୍ତୁ, ତତ୍ସହିତ ନାଗରିକ କ୍ଷତିଗ୍ରସ୍ତ ହେବାରୁ ବଞ୍ଚନ୍ତୁ।
Dharitri – Odisha’s No.1, Most Trusted Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।