ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

Sep 30, 2026 - 23:11
ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ ଅନୁସାରେ, ଉଡ଼ାଣ ସମୟରେ ହୋଇଥିବା ଆକ୍ରମଣରେ ସେ ଆହତ ହୋଇଥିଲେ । ଆହତ ଅବସ୍ଥାରେ ମଧ୍ୟ ସେ ବିମାନକୁ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରାଇବାରେ ଭୂମିକା ନେଇଥିବା ଦାବି କରାଯାଉଛି। ରିପୋର୍ଟ ଅନୁସାରେ, ବିମାନରେ ପ୍ରାୟ ୧୮୦ ଜଣ ଯାତ୍ରୀ ଥିଲେ । ଘଟଣା ପରେ ବିମାନକୁ ସାଉଦି ଆରବର ତବୁକ୍‌ରେ ଜରୁରୀ ଅବତରଣ କରାଯାଇଥିଲା।

ସ୍ମିତ ମଚ୍ଛରଙ୍କ ଲିଙ୍କଡିନ୍ ପ୍ରୋଫାଇଲ ଅନୁସାରେ, ସେ ୨୦୨୨ ମସିହା ଜୁନ୍‌ରୁ ଫ୍ଲାଇଦୁବାଇ ସହ ଯୋଡ଼ି ହୋଇଥିଲେ ଏବଂ ବୋଇଂ ୭୩୭ରେ କ୍ୟାପ୍ଟେନ୍ ଭାବେ କାର୍ଯ୍ୟ କରୁଛନ୍ତି । ଏହା ପୂର୍ବରୁ ସେ ଭାରତୀୟ ବିମାନ କମ୍ପାନୀ ସ୍ପାଇସଜେଟ୍‌ରେ ପ୍ରାୟ ୧୧ ବର୍ଷ କାମ କରିଥିଲେ। ସ୍ପାଇସଜେଟ୍‌ରେ ସେ ସିନିୟର କମାଣ୍ଡର ଭାବେ କାମ କରିବା ସହ ୨୦୨୦ ନଭେମ୍ବରରୁ ଲାଇନ୍ ଟ୍ରେନିଂ କ୍ୟାପ୍ଟେନ୍ ଭୂମିକା ମଧ୍ୟ ତୁଲାଇଥିଲେ । ତାଙ୍କ ପ୍ରୋଫାଇଲ ଅନୁସାରେ, ବୋଇଂ ୭୩୭-୮୦୦ ଏବଂ ୭୩୭ MAX 8/9 ବିମାନରେ ତାଙ୍କର ପ୍ରାୟ ୯,୭୫୦ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ରହିଛି।

ତବୁକ୍ ବିମାନବନ୍ଦରର ସୂଚନା ଅନୁସାରେ, ସ୍ଥାନୀୟ ସମୟ ସକାଳ ୮ଟା ୪୪ରେ ଜରୁରୀ କଲ୍ ମିଳିଥିଲା। ପ୍ରାୟ ଏକ ଘଣ୍ଟା ପରେ ବିମାନ ତବୁକ୍‌ରେ ଜରୁରୀ ଅବତରଣ କରିଥିଲା। ଫ୍ଲାଇଟ୍-ଟ୍ରାକିଂ ତଥ୍ୟ ଅନୁସାରେ, ବିମାନଟି ମାତ୍ର ୩୭ ସେକେଣ୍ଡରେ ପ୍ରାୟ ୧୪,୩୦୦ ଫୁଟ୍ ତଳକୁ ଖସିଥିଲା। ଘଟଣାକୁ ନେଇ ଫ୍ଲାଇଦୁବାଇ ପକ୍ଷରୁ ଏହାକୁ ବିମାନ ଭିତରେ ଘଟିଥିବା ଏକ ଘଟଣା ବୋଲି କୁହାଯାଇଛି। ଏୟାରଲାଇନ୍‌ର କହିବା ଅନୁସାରେ, ଡ୍ୟୁଟିରେ ଥିବା କ୍ରୁ ସଦସ୍ୟମାନେ ପରିସ୍ଥିତିକୁ ନିୟନ୍ତ୍ରଣ କରି ବିମାନକୁ ସୁରକ୍ଷିତ ଭାବେ ତବୁକ୍‌ରେ ଅବତରଣ କରାଇଥିଲେ ।

ଅନ୍ୟପକ୍ଷରେ, ଇସ୍ରାଏଲ ପ୍ରତିରକ୍ଷାମନ୍ତ୍ରୀ ଇସ୍ରାଏଲ କାଟ୍ଜ ଏହି ଘଟଣାକୁ ଜିହାଦୀ ଆତଙ୍କୀ ଆକ୍ରମଣର ଉଦ୍ୟମ ବୋଲି ବର୍ଣ୍ଣନା କରିଛନ୍ତି । ତାଙ୍କ ଅନୁସାରେ, କିଛି ଇସ୍ରାଏଲୀ ଯାତ୍ରୀ କକ୍‌ପିଟ୍‌ରେ ପହଞ୍ଚି ଆକ୍ରମଣକାରୀଙ୍କୁ କାବୁ କରିବାରେ ସହଯୋଗ କରିଥିଲେ ଏବଂ ଅତିରିକ୍ତ ଫ୍ଲାଇଟ୍ କ୍ରୁଙ୍କୁ ବିମାନର ନିୟନ୍ତ୍ରଣ ନେବାରେ ସାହାଯ୍ୟ କରିଥିଲେ ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।