ବଡ଼ଧରଣର ଡକାୟତି ଯୋଜନା: କାଇତାଳା-ତନ୍ତିଆପାଳ ରାସ୍ତାର ନିଛାଟିଆ ସ୍ଥାନରୁ ଧରିଲା ପୋଲିସ; ଜଣେ ଫେରାର
ମହାକାଳପଡ଼ା, ୧୯।୧୦ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ପୁଲିସ ଏକ ବଡ଼ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି। ଡକାୟତି ପାଇଁ ଯୋଜନା କରୁଥିବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଅନ୍ୟ ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୋଲିସ ଘଟଣାସ୍ଥଳରୁ ଗୋଟିଏ କାର୍, ଗୋଟିଏ ବାଇକ୍, ଗ୍ୟାସ୍ କଟର୍ ଓ ବିଭିନ୍ନ ମାରଣାସ୍ତ୍ର ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।
ସୂଚନା ଅନୁଯାୟୀ, ତନ୍ତିଆପାଳ ସାମୁଦ୍ରିକ ଥାନାଠାରୁ ପ୍ରାୟ ୨ କିଲୋମିଟର ଦୂର କାଇତାଳା-ତନ୍ତିଆପାଳ-ଭୋପାଳ ରାସ୍ତାର ଏକ ନିଛାଟିଆ ସ୍ଥାନରେ ରବିବାର ବିଳମ୍ବିତ ରାତିରେ ଏକ ଡକାୟତ ଗ୍ୟାଙ୍ଗ ବଡ଼ଧରଣର ଡକାୟତି ପାଇଁ ଯୋଜନା କରୁଥିବା ପୋଲିସ ଖବର ପାଇଥିଲା।
ଏହି ସୂଚନା ଆଧାରରେ ଥାନାର ଏଏସ୍ଆଇ ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ସମେତ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଅତି ସତର୍କତାର ସହ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସକୁ ଦେଖି ଅଭିଯୁକ୍ତମାନେ ଘନ ଅନ୍ଧକାରର ସୁଯୋଗ ନେଇ ନିକଟସ୍ଥ ଚାଷଜମି ଆଡ଼କୁ ଦୌଡ଼ି ପଳାଇଥିଲେ। ତେବେ ପୁଲିସ ଟିମ୍ ବହୁ ଚେଷ୍ଟା ପରେ ୪ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ଅନ୍ୟ ଜଣେ ଅଭିଯୁକ୍ତ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଥିଲା।
ଘଟଣାସ୍ଥଳରୁ ପୁଲିସ ଗୋଟିଏ କାର୍, ଗୋଟିଏ ବାଇକ୍, କିଛି ମାରଣାସ୍ତ୍ର, ଗ୍ୟାସ୍ କଟର୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ସୋମବାର କେସ୍ ନମ୍ବର ୨୫୯/୨୬ରେ ମାମଲା ରୁଜୁ କରାଯାଇଛି। ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୦(୪) ଓ ୩୧୦(୫) ଅନୁଯାୟୀ ଗିରଫ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତନ୍ତିଆପାଳ ଥାନା ଅଧିକାରୀ ନରେଶ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।
ଗିରଫ ଅଭିଯୁକ୍ତମାନେ ହେଲେ ପାରାଦୀପ ଲକ୍ ଥାନା ଅଞ୍ଚଳର ରିଦାଇ ଗେନ୍ (୨୨), ପାରାଦୀପ ବଡ଼ପଡ଼ିଆ ଥାନା ଅଞ୍ଚଳର ପ୍ରକାଶ ପାଞ୍ଜିଆ (୨୫) ଏବଂ କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅଞ୍ଚଳର ସୁରେନ୍ଦ୍ର କୁଦା (୨୨) ଓ ଥୋମାସ ପୂର୍ତ୍ତୀ (୨୧)। ଏହି ଘଟଣାରେ ଫେରାର ଅଭିଯୁକ୍ତଙ୍କୁ ଧରିବା ଏବଂ ଡକାୟତି ଯୋଜନା ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ପାଇଁ ପୁଲିସର ତଦନ୍ତ ଜାରି ରହିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।