ବଡ଼ ଘୋଷଣା କଲେ କେନ୍ଦ୍ର ସରକାର: ଡିଜେଲ ଉପରେ ୫ ଟଙ୍କା କମିଲା, ପେଟ୍ରୋଲରେ କେତେ? ଜାଣନ୍ତୁ ନୂଆ ହାର

Sep 17, 2026 - 09:56
ବଡ଼ ଘୋଷଣା କଲେ କେନ୍ଦ୍ର ସରକାର: ଡିଜେଲ ଉପରେ ୫ ଟଙ୍କା କମିଲା, ପେଟ୍ରୋଲରେ କେତେ? ଜାଣନ୍ତୁ ନୂଆ ହାର

ନୂଆଦିଲ୍ଲୀ,୧୭।୯: ସେପ୍ଟେମ୍ବର ୧୭ରେ ପେଟ୍ରୋଲିୟମ ଉତ୍ପାଦ ରପ୍ତାନି ଉପରେ ଲାଗୁଥିବା ୱିଣ୍ଡଫଲ ଟ୍ୟାକ୍ସରେ କେନ୍ଦ୍ର ସରକାର କଟକଣା କରିଛନ୍ତି। ପେଟ୍ରୋଲ, ଡିଜେଲ ଓ ଏଭିଏସନ ଟର୍ବାଇନ ଫ୍ୟୁଏଲ (ATF) ରପ୍ତାନି ଉପରେ ଲାଗୁଥିବା ଶୁଳ୍କରେ ଏହି ହ୍ରାସ କରାଯାଇଛି। ଏହାର ଫଳରେ ରିଫାଇନ୍ଡ ପେଟ୍ରୋଲିୟମ ଉତ୍ପାଦ ବିଦେଶକୁ ରପ୍ତାନି କରୁଥିବା କମ୍ପାନୀଗୁଡ଼ିକୁ ସିଧାସଳଖ ଲାଭ ମିଳିପାରେ।

ଡିଜେଲ, ପେଟ୍ରୋଲ ଓ ATF ଉପରେ କେତେ କମିଲା ଟ୍ୟାକ୍ସ?

ନୂଆ ହାର ଅନୁସାରେ, ଡିଜେଲ ରପ୍ତାନି ଉପରେ ଲାଗୁଥିବା ଲେଭିକୁ ଲିଟର ପିଛା ୨୫ ଟଙ୍କାରୁ ୨୦ ଟଙ୍କାକୁ କମାଯାଇଛି। ସେହିପରି ପେଟ୍ରୋଲ ରପ୍ତାନି ଉପରେ ଲାଗୁଥିବା ଶୁଳ୍କ ଲିଟର ପିଛା ୧.୫୦ ଟଙ୍କାରୁ ହ୍ରାସ ପାଇ ୫୦ ପଇସା ହୋଇଛି। ଏହାଛଡ଼ା ବିମାନ ଇନ୍ଧନ ଭାବେ ବ୍ୟବହୃତ ATF ଉପରେ ୱିଣ୍ଡଫଲ ଟ୍ୟାକ୍ସ ୧୯ ଟଙ୍କାରୁ କମି ୧୫ ଟଙ୍କା ପ୍ରତି ଲିଟର ହୋଇଛି। ୱିଣ୍ଡଫଲ ଟ୍ୟାକ୍ସ ହେଉଛି ଏକ ଅତିରିକ୍ତ କର, ଯାହା କୌଣସି ବିଶେଷ ପରିସ୍ଥିତି କିମ୍ବା ବଜାର ପରିବର୍ତ୍ତନ ଯୋଗୁ କମ୍ପାନୀଗୁଡ଼ିକ ଅସାଧାରଣ ଭାବେ ଅଧିକ ଲାଭ କଲେ ସରକାର ଲାଗୁ କରିପାରନ୍ତି।

ପେଟ୍ରୋଲିୟମ କ୍ଷେତ୍ରରେ ଅନ୍ତର୍ଜାତୀୟ ବଜାରର ପରିସ୍ଥିତି ଓ ଦରରେ ବଡ଼ ପରିବର୍ତ୍ତନ ହେଲେ ରିଫାଇନରୀ କମ୍ପାନୀଗୁଡ଼ିକ ଅତିରିକ୍ତ ଲାଭ କରିପାରନ୍ତି। ଏପରି ସ୍ଥିତିରେ ସରକାର ସେହି ଅତିରିକ୍ତ ଲାଭ ଉପରେ ୱିଣ୍ଡଫଲ ଟ୍ୟାକ୍ସ ଲାଗୁ କରିଥାଏ।

ୱିଣ୍ଡଫଲ ଟ୍ୟାକ୍ସ କମିବା ପରେ ଗ୍ରାହକଙ୍କ ମନରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛିଏବେ କ’ଣ ପେଟ୍ରୋଲ ଓ ଡିଜେଲ ଶସ୍ତା ହେବ? ତେବେ କେବଳ ୱିଣ୍ଡଫଲ ଟ୍ୟାକ୍ସ ହ୍ରାସ ହେବା ଦ୍ୱାରା ଦେଶର ଘରୋଇ ବଜାରରେ ପେଟ୍ରୋଲ କିମ୍ବା ଡିଜେଲର ଖୁଚୁରା ଦର ସିଧାସଳଖ କମିବା ଆବଶ୍ୟକ ନୁହେଁ। ଏହି ଟ୍ୟାକ୍ସ ମୁଖ୍ୟତଃ ରପ୍ତାନି ହେଉଥିବା ପେଟ୍ରୋଲିୟମ ଉତ୍ପାଦ ସହ ଜଡ଼ିତ।
ଅର୍ଥାତ୍‌ ୱିଣ୍ଡଫଲ ଟ୍ୟାକ୍ସରେ ହ୍ରାସର ମୁଖ୍ୟ ପ୍ରଭାବ ରିଫାଇନ୍ଡ ପେଟ୍ରୋଲିୟମ ଉତ୍ପାଦ ରପ୍ତାନି କରୁଥିବା କମ୍ପାନୀଗୁଡ଼ିକ ଉପରେ ପଡ଼ିବ। ଏହାକୁ ଆଧାର କରି ପେଟ୍ରୋଲ-ଡିଜେଲର ଘରୋଇ ଖୁଚୁରା ମୂଲ୍ୟ କମିବ ବୋଲି ସିଧାସଳଖ ନିଷ୍କର୍ଷ କରାଯାଇପାରିବ ନାହିଁ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।