ବଦଳିବ ସମାଜ, ମଜଭୁତ ହେବ ପୋଲିସ-ଜନସାଧାରଣ ସମ୍ପର୍କ
କେସିଙ୍ଗା,୩୧ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପରିସରରେ ଆମ ପୋଲିସ ସମିତି ପକ୍ଷରୁ ଜାତୀୟ ଏକତା ଦିବସ ଏବଂ ନିଶାମୁକ୍ତ ଓଡ଼ିଶା ଅଭିଯାନକୁ ନେଇ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଥିଲା। ଆଇଆଇସି ଜିତେନ୍ଦ୍ର କୁମାର ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଉପଖଣ୍ଡ ପୋଲିସ ଅଧିକାରୀ (ଏସ୍ଡିପିଓ), ସନ୍ଦୀପ ମାଝୀ ଥାନାର ସମସ୍ତ ପୋଲିସ କର୍ମଚାରୀ ଏବଂ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଭଦ୍ରବ୍ୟକ୍ତି ଓ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ। ଏହି
କାର୍ଯ୍ୟକ୍ରମରେ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ, ପାରସ୍ପରିକ ସହଯୋଗ ଏବଂ ସାମାଜିକ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଥିଲା। ଆମ ପୋଲିସ ସମିତି ମାଧ୍ୟମରେ ସାଧାରଣ ଲୋକଙ୍କ ସମସ୍ୟା ଓ ଅଭିଯୋଗକୁ ପୋଲିସ ପ୍ରଶାସନ ନିକଟରେ ଉପସ୍ଥାପନ କରିବା ସହ ଅଞ୍ଚଳରେ ଶାନ୍ତି, ଶୃଙ୍ଖଳା ଓ ଆଇନଶୃଙ୍ଖଳା ବଜାୟ ରଖିବାରେ ଜନସାଧାରଣଙ୍କ ସହଯୋଗ କେତେ ଆବଶ୍ୟକ, ସେ ସମ୍ପର୍କରେ ଆଲୋଚନା ହୋଇଥିଲା।
ସେହିପରି ଜାତୀୟ ଏକତା ଦିବସ ଅବସରରେ ଦେଶର ଅଖଣ୍ଡତା, ଏକତା ଓ ଭାଇଚାରା ବଜାୟ ରଖିବା ସହ ସମାଜରେ ସାମ୍ପ୍ରଦାୟିକ ସଦ୍ଭାବନା ଓ ଜାତୀୟ ସଂହତିକୁ ମଜଭୁତ କରିବା। ନିଶାମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ନିଶାଦ୍ରବ୍ୟ ସେବନର କୁପରିଣାମ, ଏହାର ସାମାଜିକ ପ୍ରଭାବ ଏବଂ ପରିବାର ଓ ଯୁବପିଢ଼ି ଉପରେ ପଡ଼ୁଥିବା ନକାରାତ୍ମକ ପ୍ରଭାବ ସମ୍ପର୍କରେ ଏକ ସୁସ୍ଥ, ସୁନ୍ଦର ଓ ନିଶାମୁକ୍ତ ସମାଜ ଗଠନ ପାଇଁ ସମସ୍ତେ ମିଳିତ ଭାବେ ଆଗେଇ ଆସିବାକୁ ଆଇଆଇସି ବିଶ୍ୱାଳ ଆଲୋକପାତ କହିଥିଲେ। ସ୍ବାଧୀନତା ପରେ ଭାରତରେ ଥିବା ଶତାଧିକ ଦେଶୀୟ ରାଜ୍ୟକୁ ଏକତ୍ର କରି ଏକ ଅଖଣ୍ଡ ଭାରତ ଗଠନ କରିବାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଭୂମିକା ଅତ୍ୟନ୍ତ ଐତିହାସିକ ଥିଲା। ତାଙ୍କର ଦୃଢ଼ ନେତୃତ୍ୱ, ଦୂରଦର୍ଶିତା ଓ ଅକ୍ଳାନ୍ତ ପ୍ରୟାସ ଯୋଗୁ ଭାରତର ରାଜନୈତିକ ଏକୀକରଣ ସମ୍ଭବ ହୋଇଥିଲା। ଏହି ମହାନ ଅବଦାନକୁ ସ୍ମରଣ କରିବା ସହ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ପ୍ରତି ନାଗରିକମାନଙ୍କୁ ସଚେତନ କରିବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଦିବସ ଅବସରରେ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ସଂଗଠନ ପକ୍ଷରୁ ଏକତା ଶପଥ ପାଠ, ଜାତୀୟ ଏକତା ପଦଯାତ୍ରା ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ଜାତି, ଧର୍ମ, ଭାଷା ଓ ଅଞ୍ଚଳଗତ ଭିନ୍ନତାକୁ ଭୁଲି ସମସ୍ତେ ଏକତା, ଭାଇଚାରା ଓ ସଦ୍ଭାବନାର ସହ ଦେଶର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ଏହି ଦିବସ ପ୍ରେରଣା ଦେଇଥାଏ ବୋଲି ଏସଡିପିଓ ସନ୍ଦୀପ ମାଝୀ ପ୍ରକାଶ କରିଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।