ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ
କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ ଆକ୍ରମଣ ଶିକାର ହୋଇଥିବା ବିଶ୍ୱନାଥ ଓଝାଙ୍କ ମୃତ୍ୟୁ ଘଟଣାରେ ପୋଲିସକୁ ସଫଳତା ମିଳିଛି । ନନ୍ଦିପଦା ପୋଲିସ ୪ନଂ ଅଭିଯୁକ୍ତ ବ୍ରହ୍ମାନନ୍ଦ ଜେନାକୁ ୩ ମାସ ପରେ ତାମିଲନାଡୁରୁ ରବିବାର ଗିରଫ କରିବାରେ ସଫଳ ହୋଇଛି । ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତିଙ୍କ ତତ୍ତ୍ୱବଧାନରେ ଗଠିତ ଏକ ପୋଲିସ ଟିମ ତାମିଲନାଡୁ ଗ୍ରସ୍ତ କରି ଯାନ୍ତ୍ରିକ ପଦ୍ଧତି ସହାୟତାରେ ଅଭିଯୁକ୍ତ ବ୍ରହ୍ମାନନ୍ଦକୁ ଗିରଫ କରାଯାଇଛି । ଅପରପକ୍ଷେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଫେରାର ଥିବା ଅଭିଯୁକ୍ତକୁ ଗିରଫ ପାଇଁ ପ୍ରୟାସ ଜାରି ରହିଥିବା ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି ପ୍ରକାଶ କହିଛନ୍ତି ।
ସୂଚନା ଯୋଗ୍ୟ,ଗ୍ରାମର ବିଶ୍ୱନାଥ ଓଝା ୩ ବର୍ଷ ପୂର୍ବେ ନିଜ ଗ୍ରାମର ରମାମଣି ପହିଙ୍କ ନିକଟରେ ସୁନା ବନ୍ଧକ ରଖି ୧୫ ହଜାର ଟଙ୍କା ଧାର ନେଇଥିଲେ । ବିଶ୍ୱନାଥ ସୁଧ ଟଙ୍କା ଦେଇ ବନ୍ଧକ ସୁନାକୁ ମୁକୁଳାଇବା ପାଇଁ ରମାମଣିକୁ କହିଥିଲେ । କିନ୍ତୁ ରମାମଣି ସୁନା ଫେରାଇ ନଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ରମାମଣି ଏବଂ ତାଙ୍କ ସହଯୋଗୀ ମିଳିତ ଭାବେ ବିଶ୍ୱନାଥଙ୍କୁ ଲୁହା ରଡ଼ରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ବିଶ୍ୱନାଥଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ମେଡିକାଲ ଏବଂ ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଜୁନ ୨୪ ବୁଧବାର ମୃତ୍ୟୁ ଘଟିଥିଲା ।
ବିଶ୍ୱନାଥଙ୍କ ସ୍ତ୍ରୀ କାଞ୍ଚନଙ୍କ ଅଭିଯୋଗ କ୍ରମେ ପୋଲିସ କେସ ନଂ ୨୭୧/୨୦୨୬ ରେ ଏକ ମାମଲା ରୁଜୁ କରିଥିଲା । ଉକ୍ତ ଘଟଣାରେ ସମ୍ପୃକ୍ତ ତିନି ଅଭିଯୁକ୍ତ ସ୍ୱାମୀ ହରେକୃଷ୍ଣ ପହି, ସ୍ତ୍ରୀ ରମାମଣି ପହି ଏବଂ ପୁଅ ପ୍ରଦୀପ ପହିଙ୍କୁ ପୋଲିସ ପୂର୍ବରୁ ଗିରଫ କରିଥିଲା । ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗ୍ରାମବାସୀମାନେ ରାସ୍ତାରୋକ କରିଥିଲେ । ପରେ ଥାନାଧିକାରୀ ଧର୍ମେନ୍ଦ୍ରଙ୍କ ହସ୍ତକ୍ଷେପ ପରେ ରାସ୍ତା ରୋକ ହଟିଥିଲା । ଘଟଣା ଘଟିବା ଦିନରୁ ଅନ୍ୟ ଅଭିଯୁକ୍ତ ମାନେ ଗାଁ ଛାଡି ଫେରାର ହୋଇ ଯାଇଥିଲେ । ତଦନ୍ତକାରୀ ଅଧିକାରୀ ବଳିଆ ବାରିକ କହିଛନ୍ତି ଯେ ଗିରଫ ଅଭିଯୁକ୍ତ ବ୍ରହ୍ମାନନ୍ଦ ତାମିଲନାଡୁ ରେ ଏକ ସୂତା କମ୍ପାନୀରେ କାର୍ଯ୍ୟ କରୁଥିଲେ । ତାଙ୍କୁ ସେଠାରୁ ଗିରଫ କରାଯାଇଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।