ବନ୍ୟାଜଳରେ ବୁଡ଼ିଲା କୁକୁଡ଼ା ଫାର୍ମ, ୩ ହଜାରରୁ ଅଧିକ କୁକୁଡ଼ା ମୃତ

Sep 26, 2026 - 19:11
ବନ୍ୟାଜଳରେ ବୁଡ଼ିଲା କୁକୁଡ଼ା ଫାର୍ମ, ୩ ହଜାରରୁ ଅଧିକ କୁକୁଡ଼ା ମୃତ

ଗଞ୍ଜାମ, ୨୬/୯ (ଅନାଥ ତରାଇ/ଦିଲୀପ ସାମଲ): ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଅଞ୍ଚଳରେ ଏକ କୁକୁଡ଼ା ଫାର୍ମରେ ପାଣି ପଶିଯିବାରୁ ୩ ହଜାରରୁ ଅଧିକ କୁକୁଡ଼ା ମରିଯାଇଛନ୍ତି। ଏଥିଯୋଗୁଁ ଫାର୍ମ ମାଲିକା କାମିନୀ ବେହେରାଙ୍କ ୪ ଲକ୍ଷରୁ ଅଧିକ ଟଙ୍କାର କ୍ଷତି ହୋଇଥିବା ଜଣାପଡ଼ିଛି। ଏଥିସହ କୁକୁଡ଼ା ଦାନା ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଛି।

ସୂଚନା ଅନୁଯାୟୀ, ଦାମୋଦରପୁର ଗ୍ରାମର କାମିନୀ ବେହେରା କିଛି ମାସ ପୂର୍ବେ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟରେ ଏହି କୁକୁଡ଼ା ଫାର୍ମ ପ୍ରତିଷ୍ଠା କରିଥିଲେ। ଫାର୍ମ ଚଳାଇବା ପାଇଁ ସେ ଋଣ ନେଇଥିବା ବେଳେ ଏଯାବତ୍‌ ମୂଳଧନ ମଧ୍ୟ ସମ୍ପୂର୍ଣ୍ଣ ପରିଶୋଧ ହୋଇନାହିଁ। ଏଭଳି ସମୟରେ ଲଗାଣ ବର୍ଷା ଯୋଗୁଁ ଫାର୍ମରେ ଆଣ୍ଠୁଏ ପାଣି ଜମିଯାଇ ହଜାର ହଜାର କୁକୁଡ଼ା ମରିଯିବାରୁ ପରିବାର ଉପରେ ଆର୍ଥିକ ସଙ୍କଟ ଦେଖାଦେଇଛି।

ଘଟଣାକୁ ନେଇ କାମିନୀ ଓ ତାଙ୍କ ସ୍ୱାମୀ ମନେନ୍ଦ୍ର ବେହେରା ଭାଙ୍ଗି ପଡ଼ିଛନ୍ତି। ଫାର୍ମରେ ପ୍ରାୟ ୧୦ ଜଣ କର୍ମଚାରୀ କାମ କରୁଥିବାରୁ ସେମାନଙ୍କୁ ନିୟମିତ ଦରମା ଦେବା ମଧ୍ୟ କଷ୍ଟକର ହୋଇପଡ଼ିଥିବା ମନେନ୍ଦ୍ର କହିଛନ୍ତି। ଏହି ପରିସ୍ଥିତିରେ ଋଣର ମାସିକ କିସ୍ତି ଛାଡ଼ କରିବା ସହ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଓ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି।

ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ଏନ୍‌ଏସି ଅଧ୍ୟକ୍ଷାଙ୍କ ପ୍ରତିନିଧି ବିନୋଦ ପାଢ଼ୀଙ୍କ ସମେତ ପ୍ରାଣୀ ଚିକିତ୍ସା ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ। ଫାର୍ମ ପରିସରରେ ଆଣ୍ଠୁଏ ପାଣି ଜମି ରହିଥିବାରୁ ଉଦ୍ଧାର ଓ ପରବର୍ତ୍ତୀ ପଦକ୍ଷେପ ନେଇ ଅଧିକାରୀମାନେ ସ୍ଥିତି ପରଖିଥିଲେ।

ବିଧାୟକ ଓ ତହସିଲଦାର ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ମନେନ୍ଦ୍ର କହିଛନ୍ତି। ବର୍ଷାଜଳରେ ଜଣେ ଛୋଟ ଉଦ୍ୟୋଗୀଙ୍କ ବର୍ଷ ବର୍ଷର ପରିଶ୍ରମ ଓ ପୁଞ୍ଜି ନଷ୍ଟ ହୋଇଥିବାରୁ ତୁରନ୍ତ କ୍ଷୟକ୍ଷତିର ଆକଳନ କରି ସରକାରୀ ନିୟମ ଅନୁଯାୟୀ ସହାୟତା ପ୍ରଦାନ କରିବା ସହ ଋଣ କିସ୍ତି ସମ୍ପର୍କରେ ଆବଶ୍ୟକ ସହାୟତା ଯୋଗାଇଦେବାକୁ ପରିବାର ପକ୍ଷରୁ ଦାବି ହୋଇଛି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।