ବନ୍ୟାବିପନ୍ନଙ୍କ ମୁହଁରେ ହସ ଫୁଟାଇଲା ଗଞ୍ଜାମ ପୋଲିସ, ମାନବିକତାର ଆଲୋକ ଜଳାଇଲେ ଏସ୍‌ପି

Nov 06, 2026 - 17:48
ବନ୍ୟାବିପନ୍ନଙ୍କ ମୁହଁରେ ହସ ଫୁଟାଇଲା ଗଞ୍ଜାମ ପୋଲିସ, ମାନବିକତାର ଆଲୋକ ଜଳାଇଲେ ଏସ୍‌ପି

ପୁରୁଷୋତ୍ତମପୁର,୬ା୧୧(ସବିତା ମିଶ୍ର): ବନ୍ୟାର କରାଳ ବିଭୀଷିକାରେ ଛାରଖାର ହୋଇଯାଇଛି ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳ। ବନ୍ୟା ସବୁକିଛି ଛଡ଼ାଇ ନେଇ ଅନେକ ପରିବାରଙ୍କୁ ନିଃସହାୟ କରିଦେଇଛି। ଏଭଳି ଦୁଃଖଦ ସ୍ଥିତିରେ ବନ୍ୟାବିପନ୍ନଙ୍କ ମୁହଁରେ ହସ ଫୁଟାଇବାକୁ ଆଗେଇ ଆସିଛି ଗଞ୍ଜାମ ପୋଲିସ।
ବନ୍ୟାରେ ଘରଦ୍ୱାର ହରାଇ ଅନେକ ଲୋକ ଅସହାୟ ଅବସ୍ଥାରେ ରହିଥିବାବେଳେ ପବିତ୍ର ଦୀପାବଳି ପର୍ବରେ ସେମାନଙ୍କ ଦୁର୍ଦ୍ଦଶାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଗଞ୍ଜାମ ଏସ୍‌ପି ହରିଶ ବି.ସି.। ତାଙ୍କ ଉଦ୍ୟମକ୍ରମେ ପୁରୁଷୋତ୍ତମପୁର ପୋଲିସ ସବ୍‌ଡିଭିଜନ ପକ୍ଷରୁ ବନ୍ୟାପୀଡ଼ିତ ଶିଶୁଙ୍କୁ ପୋଷାକ, ମହିଳାଙ୍କୁ ଶାଢ଼ି ଓ ଅନ୍ୟାନ୍ୟ ବସ୍ତ୍ର, ବୃଦ୍ଧାବୃଦ୍ଧଙ୍କୁ ପିନ୍ଧାବସ୍ତ୍ର ସହ କମ୍ବଳ ବଣ୍ଟନ କରାଯାଇଛି। ବିପଦ ସମୟରେ ପୋଲିସର ଏହି ମାନବିକତାପୂର୍ଣ୍ଣ ପଦକ୍ଷେପ ବନ୍ୟାବିପନ୍ନ ପରିବାରଙ୍କ ମନରେ ଆଶା ଓ ଆତ୍ମବିଶ୍ୱାସ ଭରିଦେଇଛି। ଏହି ସମୟରେ ପୁରୁଷୋତ୍ତମପୁର ଏସ୍‌ଡିପିଓ ସୁଜିତ କୁମାର ନାୟକ, ପୁରୁଷୋତ୍ତମପୁର ଆଇଆଇସି କୁଳମଣି ସେଠୀ, କୋଦଳା ଆଇଆଇସି ସୁବାସ ବେହେରା, ପୋଲସରା ଆଇଆଇସି କୌଶିକ ମାଝୀ, ବେଗୁନିଆପଡ଼ା ଆଇଆଇସି ଭଗବାନ ପୂଜାରୀ ଓ କବିସୂର୍ଯ୍ୟନଗର ଆଇଆଇସି ସନ୍ଦୀପ କୁମାର ବେହେରାଙ୍କ ସମେତ ପୁରୁଷୋତ୍ତମପୁର ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।