ବରଗଡ଼ ଧନୁଯାତ୍ରା: ନଭେମ୍ବର ୧ରୁ କଂସ ଚୟନ ପ୍ରକ୍ରିୟା ଆରମ୍ଭ, ଉଠିଲା ବୟସ କଟକଣା
ବରଗଡ଼, ୨୮।୧୦(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୭ ମସିହା ଜାନୁଆରୀ ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଦୀର୍ଘ ୧୧ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ମହୋତ୍ସବ ଜାନୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ତେବେ ଏଥର ଧନୁଯାତ୍ରାରେ ପୁଣି ବଦଳିବେ ମହାରାଜା କଂସ। ଏଥିପାଇଁ ଆସନ୍ତା ନଭେମ୍ବର ୧ ତାରିଖରୁ କଂସ ଚରିତ୍ର ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ କରାଯିବ।
ବୁଧବାର ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବ ସମିତିର କଳାକାର ଉପଦେଷ୍ଟା କମିଟି ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆଶାୟୀ କଳାକାରମାନେ ନଭେମ୍ବର ୧ରୁ ୧୫ ତାରିଖ ମଧ୍ୟରେ ଆବେଦନ କରିପାରିବେ ଏବଂ ନଭେମ୍ବର ମାସ ଶେଷ ସପ୍ତାହରେ କଂସ ଚରିତ୍ର ପାଇଁ ଚୂଡ଼ାନ୍ତ ଚୟନ ପ୍ରକ୍ରିୟା ଶେଷ ହେବ। ଏହି ବୈଠକରେ ଅତିରିକ୍ତ ଜିଲାପାଳ ମହେନ୍ଦ୍ର ମହାପାତ୍ର, ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
ଗତବର୍ଷ କଂସ ଭୂମିକାରେ ଅଭିନୟ କରିଥିବା କଳାକାର ସୁଶିଲ ମେହେର ଆସନ୍ତା ଧନୁଯାତ୍ରାରେ ଅଭିନୟରୁ ଅବ୍ୟାହତି ନେବା ପାଇଁ ଗତ ସୋମବାର ଧନୁଯାତ୍ରା ମହୋତ୍ସବ ସମିତିକୁ ଲିଖିତ ଭାବେ ଜଣାଇଥିଲେ। ସେ ଅଭିନୟରୁ ଓହରିବା ପରେ ପ୍ରଶାସନ ଓ ସମିତି ପକ୍ଷରୁ ନୂଆ କଂସ ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଉଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।